ବିଶେଷ

Long live life: ଜୀବନ ଜିନ୍ଦାବାଦ୍‌: ବଡ଼ ଦୁର୍ବାର ଏ ଜୀବନର ଗତି

ଦିନେ ଯାହାଙ୍କ କଣ୍ଠଶ୍ବର ଶୁଣି ଲକ୍ଷ ଲକ୍ଷ ଭାରତୀୟ ସକାଳୁ ଶେଯ ଛାଡୁଥିଲେ, ସେ ଯେ ବାକ୍‌ଶକ୍ତି ହରାଇବେ ଏ କଥା କେହି କଳ୍ପନା କରି ନ ଥିବେ। କିନ୍ତୁ, ଅକଳ୍ପନୀୟ ହେଲେ ବି ତାହା ଆଜି ସତ୍ୟ।

ଦିନେ ଯାହାଙ୍କ କଣ୍ଠଶ୍ବର ଶୁଣି ଲକ୍ଷ ଲକ୍ଷ ଭାରତୀୟ ସକାଳୁ ଶେଯ ଛାଡୁଥିଲେ, ସେ ଯେ ବାକ୍‌ଶକ୍ତି ହରାଇବେ ଏ କଥା କେହି କଳ୍ପନା କରି ନ ଥିବେ। କିନ୍ତୁ, ଅକଳ୍ପନୀୟ ହେଲେ ବି ତାହା ଆଜି ସତ୍ୟ। ସେ କଣ୍ଠସ୍ବର ହେଉଛି ଦେଶର ସର୍ବପ୍ରଥମ ଘରୋଇ ଏଫ୍‌ଏମ୍‌ ‘ରେଡିଓ ମିର୍ଚି’ର ଉଦ୍‌ଘୋଷିକା ଆର୍‌ଜେ ସପ୍‌ନାଙ୍କର। ଏହି ଏଫ୍‌ଏମ୍‌ କେନ୍ଦ୍ରର ଲୋକପ୍ରିୟ ଟ୍ୟାଗ୍‌ଲାଇନ୍‌ ଥିଲା- ‘ଇଟ୍‌ଜ୍‌ ହଟ୍‌’! ଆଉ ଏ ଟ୍ୟାଗ୍‌ଲାଇନ୍‌ ସପ୍‌ନା ହିଁ କହୁଥିଲେ। କିନ୍ତୁ, ଦୁର୍ଯୋଗ ସପ୍‌ନା ‘ଆମିଓ ଟ୍ରୋଫିକ୍‌ ଲାଟରଲ୍‌ ସ୍କଲ୍‌ରୋସିସ୍‌’ ସଂକ୍ଷେପରେ ‘ଏଏଲ୍‌ଏସ୍‌’ ନାମକ ମାରାତ୍ମକ ସ୍ନାୟବିକ ବ୍ୟାଧିରେ ଆକ୍ରାନ୍ତ ହେଲେ ଆଉ ବାକ୍‌ଶକ୍ତି ହରାଇଲେ।

ବେଙ୍ଗାଲୁରୁସ୍ଥିତ ବାସଭବନରୁ ଭିଡିଓ କଲ୍‌ ଜରିଆରେ ନିଜ ଜୀବନର ସବୁଠାରୁ ତିକ୍ତ ଅନୁଭୂତି ବଖାଣି ସେ କହନ୍ତି, ‘‘୨୦୨୧ ଫେବ୍ରୁଆରି‌ରେ ମୋତେ ଚିକିତ୍ସା କରୁଥିବା ଡାକ୍ତର କହିଲେ, ‘ଆପଣ ଆଉ ଦୁଇବର୍ଷ କି, ପାଞ୍ଚବର୍ଷ ବଞ୍ଚିବେ।’ ମୁଁ ମୃତ୍ୟୁ ପ୍ରତୀକ୍ଷାରେ ରହିଲି।’’ କ୍ରମଶଃ ବ୍ୟାଧି ସପ୍‌ନାଙ୍କର ସମସ୍ତ ସଉକ ଗ୍ରାସକରି ଚାଲିଲା। ତାଙ୍କର ପ୍ରଥମ ସଉକ ଥିଲା ଦୁଇ ପୋଷା କୁକୁର ଆଲୁ ଓ ମିଷ୍ଟିଙ୍କ ସହିତ ବୁଲିଯିବା। କିନ୍ତୁ, ତାହା ମଧ୍ୟ ଦୁଃସାଧ୍ୟ ହୋଇଗଲା। ତା’ପରେ ସେ ହରାଇଲେ ତାଙ୍କର ଦ୍ବିତୀୟ ସଉକ- ନୃତ୍ୟ। ଏକଦା ଅଫିସ୍‌ରେ ଅବ୍ୟବସ୍ଥିତ ଡ୍ୟାନ୍‌ସ୍‌ ପାର୍ଟି ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଥିବା ସପ୍‌ନା ଅନୁଭବ କଲେ ଶରୀର ଆଉ ତାଙ୍କ ବୋଲ ମାନୁନାହିଁ। ଉଦାସ ସପ୍‌ନା ତାଙ୍କ ସାମାଜିକ ଗଣମାଧ୍ୟମରୁ ବି ଅପସରିଗଲେ। ଏଥର ସେ ଗୋଟାଏ ‘ସେଲ୍‌ଫ୍‌-କଣ୍ଟ୍ରୋଲ୍‌ଡ୍‌ ହ୍ବିଲ୍‌ଚେୟାର୍‌’ ଆଶ୍ରାରେ ରହିଲେ, କିନ୍ତୁ ବ୍ୟାଧି ପ୍ରକୋପ ବୃଦ୍ଧି ପାଇଲା।

ସେ ତାଙ୍କ ଦୁଇ ବାହୁ ଉପରୁ ନିୟନ୍ତ୍ରଣ ହରାଇଲେ। ତା’ ପରେ ଗଳା ଆକ୍ରାନ୍ତ ହେବାରୁ ସେ କିଛି ଚୋବାଇ ପାରିଲେ ନାହିଁ କି, ଖାଦ୍ୟ ଗିଳି ପାରିଲେ ନାହିଁ। ସପ୍‌ନାଙ୍କ ଜୀବନ ନିଃସଙ୍ଗ ହୋଇଗଲା। କିନ୍ତୁ, ବ୍ୟାଧି ସପ୍‌ନାଙ୍କୁ ଚିରଦିନ ଲାଗି ନିରବ କରିପାରିଲା ନାହିଁ। ସମ୍ପ୍ରତି ସେ ପୁଣି ସାମାଜିକ ଗଣମାଧ୍ୟମକୁ ଫେରିଛନ୍ତି। ଭାଇରାଲ୍‌ ହେଉଥିବା ତାଙ୍କ ଭିଡିଓଗୁଡ଼ିକରେ ରହିଛି ରୋଗ ସହିତ ସେ ଯୁଝୁଥିବା ସମର। ତାଙ୍କର ଉଦ୍ଦେଶ୍ୟ ହେଉଛି ‘ଏଏଲ୍‌ଏସ୍‌’ (ପିଏଲ୍‌ଏସ୍‌) ଓ ସେମାନଙ୍କ ତତ୍ତ୍ବାବଧାରକ (ସିଏଏଲ୍‌ଏସ୍‌)ଙ୍କ ସହିତ ସମ୍ମିଳିତ ହେବା। ସେମାନଙ୍କ ମନରେ ଆଶା ଜାଗରୁକ କରିବା ତଥା ଏ ରୋଗ ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟିକରିବା।

ଚକ୍ଷୁ ଭାବଭଙ୍ଗି ଅକ୍ତିଆରକରି ତାହାକୁ ଲେଖା ଅଥବା କଥା ରୂପ ଦେଉଥିବା କ୍ୟାମେରା ସଂଲଗ୍ନ ହୋଇଥିବା ଯନ୍ତ୍ର ‘ଆଇ-ଗେଜ୍‌’ ସହାୟତାରେ ଏବେ ସେ ଯାହାକିଛି କହୁଛନ୍ତି। କିନ୍ତୁ, ଏ ବ୍ୟବସ୍ଥା ଅତି ମନ୍ଥର; ଥରକେ ଗୋଟିଏ ଗୋଟିଏ ସଙ୍କେତ ଅଥବା ଲିପି ଉପରେ ଧ୍ୟାନଦେଇ ସପ୍‌ନା ଶବ୍ଦ ଗଠନ କରୁଛନ୍ତି। ସେ କହନ୍ତି, ‘‘ବଡ଼ ଉତ୍ପୀଡ଼କ ଏ ବ୍ୟାଧି ଆଉ ଅତି ଦ୍ରୁତ ବେଗରେ ମାଡ଼ି ଚାଲିଛି। ତେଣୁ ମୁଁ ଯାହା ସବୁ ଶିଖିଛି ତାହା ଅନ୍ୟମାନଙ୍କୁ ଜଣାଇବା ଜରୁରୀ ମନେକରୁଛି। ମୁଁ ଜାଣେ ଏହାର ଉପଚାର ନାହିଁ। ଦିନୁଦିନ ଅବସ୍ଥା ଖରାପ ହେବ ବୋଲି ଜାଣିବା ପରେ ଜଣେ ବିଷାଦରେ ଡୁବିଯିବା ସ୍ବାଭାବିକ। ତେଣୁକରି ମୁଁ ଯାହା ପଢ଼ିଛି, ଶୁଣିଛି ଓ ପରାମର୍ଶ ପାଇଛି, ସକାରାତ୍ମକ ଓ ଆଶାବାଦୀ ହେବାକୁ ଉପଦେଶ ପାଇଛି ସବୁକିଛି ଜଣାଇ ଦେବାକୁ ଚାହୁଛି। ଜୀବନ ମୋ ଆଡ଼କୁ ଫିଙ୍ଗିଥିବା ପ୍ରକାଣ୍ଡ କାଗଜିଲେମ୍ବୁରେ ମୁଁ କେମିତି ‘ମାର୍ଗାରିଟା’ ପାନୀୟ ପ୍ରସ୍ତୁତ କଲି ସେକଥା ଲୋକମାନଙ୍କୁ କହିବାକୁ ମୁଁ ଖୁବ୍‌ ଆଗ୍ରହୀ।’’

 

‘‘ମତେ କାହିଁକି ବଞ୍ଚାଇ ରଖିଛ?’’ଏକଦା ପରିବାର ଲୋକଙ୍କୁ ଏଭଳି ପ୍ରଶ୍ନ ପଚାରିଥିବା ସପ୍‌ନା ଏବେ ମୃତ୍ୟୁ କବଳରୁ ବଞ୍ଚିବାକୁ ଖୁବ୍‌ ଆଗ୍ରହୀ। ଏ ବର୍ଷ ମାର୍ଚ୍ଚ ମାସରେ ନିମୋନିଆ ହେବାରୁ ସପ୍‌ନାଙ୍କୁ ଭେଣ୍ଟିଲେଟର୍‌ରେ ରଖିବାକୁ ପଡ଼ିଥିଲା। ସେ ଯେ ଆରୋଗ୍ୟ ହେବେ- ସେ କଥା ଡାକ୍ତରମାନେ ବି ସନ୍ଦେହ କରୁଥିଲେ, କିନ୍ତୁ ସେ ଆରୋଗ୍ୟ ହେଲେ। ସପ୍‌ନା କହନ୍ତି, ‘‘ଏ ଘଟଣା ମୋ ମନରେ ଦମ୍ଭ ଭରିଦେଲା। ଯଦି ମୁଁ ନିମୋନିଆକୁ ପରାହତ କରିପାରିଲି, ହୁଏତ ମୁଁ ‘ଏଏଲ୍‌ଏସ୍‌’କୁ ବି ପ୍ରତିହତ କରିପାରିବି।’’ ଏଥର ସେ ଥେରାପି ବା ବିଶେଷ ଚିକିତ୍ସା ଗ୍ରହଣକଲେ। ଦୈନିକ ଚାରିଘଣ୍ଟା ଧରି- ସ୍ପିଚ୍‌ ଓ ସ୍ବାଲୋ ଥେରାପି, ଫିଜିଓଥେରାପି, କାଉନ୍‌ସେଲିଙ୍ଗ୍‌ ଆଦି ଚିକିତ୍ସା ଗ୍ରହଣ କରିଥିବା ସପ୍‌ନା କହନ୍ତି, ‘‘କସରତ, ସ୍ପିଚ୍‌ ଥେରାପି ଏବଂ  ମୋ ସହିତ ଇନ୍‌ଷ୍ଟାଗ୍ରାମ୍‌ରେ ସମ୍ପର୍କ କରିଥିବା ଲୋକମାନଙ୍କୁ ସହାୟତାକରି ମୁଁ ‌ଦିନ ବିତାଏ। ମୁଁ ପୁଣି ଅଧ୍ୟୟନ କରୁଛି; କାର୍ଯ୍ୟଦକ୍ଷତା ବୃଦ୍ଧି ନବୀକରଣ ନିମନ୍ତେ ମୁଁ ଏବେ ‘ଏଆଇ’ ପାଠ୍ୟକ୍ରମ କରୁଛି। ନିଜକୁ ଓ ମୋ ସପୋର୍ଟ ଗ୍ରୁପ୍‌ରେ ଥିବା ଅନ୍ୟମାନଙ୍କୁ ଭଲଭାବେ ସାହାଯ୍ୟ କରିବା ଲାଗି ମୁଁ ମାନସିକ ସ୍ବାସ୍ଥ୍ୟ ଉପରେ ବି ପାଠ୍ୟକ୍ରମ କରୁଛି।’’  ସତରେ ସପ୍‌ନାଙ୍କ ସଂଗ୍ରାମ ସୂଚାଇ ଦେଉଛି- ଜୀବନ ଯାତ୍ରା ଦୁର୍ବାର… ତା’ର ଗତିରୋଧ କରିବା ସବୁବେଳେ ସହଜ ନୁହେଁ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button