Student: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକମାନଙ୍କୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ତାତିଛନ୍ତି ଗ୍ରାମବାସୀ। ଉତ୍ତ୍ୟକ୍ତ ଲୋକେ ସ୍କୁଲ୍‌ର ସମସ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି।

ବାସୁଦେବପୁର: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ତାତିଛନ୍ତି ଗ୍ରାମବାସୀ। ଉତ୍ତ୍ୟକ୍ତ ଲୋକେ ସ୍କୁଲ୍‌ର ସମସ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି। ଏପରି ଏକ ଘଟଣା ଘଟିଛି ଭଦ୍ରକଜିଲ୍ଲା ବାସୁଦେବପୁର ବ୍ଲକ୍‌ କିସ୍ମତ୍‌କୃଷ୍ଣପୁର ପଞ୍ଚାୟତରେ।

ସୂଚନା ଅନୁସାରେ, ଗତ ଶନିବାର ଦିନ କିସ୍ମତ୍‌କୃଷ୍ଣପୁର ପଞ୍ଚାୟତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଗୌତମ ସାହୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗାଁର କିଛି କୁଜିନେତା ଚପାଇଦେବା ପାଇଁ ଉଦ୍ୟମ କରିଥିଲେ। ହେଲେ ପରିବାର ଲୋକ ଓ ସମ୍ପର୍କୀୟମାନେ ଦୃଢ଼ ପ୍ରତିବାଦ କରିଥିଲେ। ଶିକ୍ଷକ ଗୌତମଙ୍କୁ ଚାକିରିରୁ ବହିଷ୍କାର ଏବଂ ଘଟଣା ଚାପିଦେବାକୁ ଉଦ୍ୟମ କରୁଥିବା ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ କୁଜିନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସେମାନେ ଗ୍ରାମବାସୀଙ୍କ ସହ ବାସୁଦେବପୁର-ଧାମରା ରାସ୍ତାର କୃଷ୍ଣପୁର ଛକଠାରେ ଟାୟାର୍‌ ଜାଳି ଧାରଣା ଦେଇଥିଲେ।

କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ
ଥାନାରେ ଆହତ ପ୍ରଧାନଶିକ୍ଷକଙ୍କ ଏତଲା
ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କଲେ ବିଇଓ

ଏମିତି କି କିଛି ଗ୍ରାମବାସୀ ବିଦ୍ୟାଳୟରେ ପଶି ଶିକ୍ଷକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ପ୍ରଧାନଶିକ୍ଷକ ଅବିନାଶ ପ୍ରଧାନ ଆହତ ହୋଇଥିଲେ। ନାୟକାଣିଡିହି ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ କିଛି ଫଳ ମିଳି ନଥିଲା। ତେବେ ପରେ ବ୍ଲକ୍‌ ସହ ଶିକ୍ଷାଧିକାରୀ (ଏବିଇଓ) ତପନ କୁମାର ଦ୍ବିବେଦୀ ଏବଂ ବରିଷ୍ଠ ଶିକ୍ଷକ ଅମିୟ କୁମାର ପାଣିଗ୍ରାହୀ ପହଞ୍ଚି ବୁଝାସୁଝା କରିଥିଲେ। ଅଭିଯୁକ୍ତ ଶିକ୍ଷକ ଗୌତମ ସାହୁଙ୍କୁ ନିଲମ୍ବନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ପ୍ରାଥମିକ ତଦନ୍ତ ଆଧାରରେ ସନ୍ଧ୍ୟାରେ ବ୍ଲକ୍‌ ଶିକ୍ଷାଧିକାରୀ (ବିିଇଓ) ଅଭିଯୁକ୍ତ ଶିକ୍ଷକ ଗୌତମ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀଙ୍କ ମାଡ଼ରେ ଆହତ ପ୍ରଧାନଶିକ୍ଷକ ଅବିନାଶ ନାୟକାଣିଡିହି ଥାନାରେ ଏତଲା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version