Supreme Court: କାର୍ତ୍ତିଗାଇ ଦୀପମ୍ ବିବାଦ: ସୁପ୍ରିମ୍କୋର୍ଟରେ କ୍ଷମା ମାଗିଲେ ମଦୁରାଇ ଜିଲ୍ଲାପାଳ
ତାମିଲନାଡ଼ୁର ମଦୁରାଇ ଜିଲ୍ଲାର ଥିରୁପ୍ପରଙ୍କୁନ୍ଦ୍ରମ୍ ପାହାଡ଼ ଉପରେ ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ ଜଳାଇବାକୁ ନେଇ ବିବାଦ ନୂଆ ମୋଡ଼ ନେଇଛି।

ନୂଆଦିଲ୍ଲୀ: ତାମିଲନାଡ଼ୁର ମଦୁରାଇ ଜିଲ୍ଲାର ଥିରୁପ୍ପରଙ୍କୁନ୍ଦ୍ରମ୍ ପାହାଡ଼ ଉପରେ ପାରମ୍ପରିକ କାର୍ତ୍ତିଗାଇ ଦୀପମ୍ ଜଳାଇବାକୁ ନେଇ ବିବାଦ ନୂଆ ମୋଡ଼ ନେଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଙ୍ଗଳବାର ପାହାଡ଼ ଉପରେ ଥିବା ‘ଦୀପଥୁନ୍’ ନାମକ ପଥର ସ୍ତମ୍ଭରେ ଦୀପ ଜଳାଯାଇ ନ ଥିବାରୁ ବୁଧବାର ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ ସୁପ୍ରିମ୍କୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିପାଇଁ ସେ ମନ୍ଦିରର ପରିଚାଳନା ଟ୍ରଷ୍ଟି ବୋର୍ଡକୁ ଦାୟୀ କରିଛନ୍ତି। ଟ୍ରଷ୍ଟିମାନେ ଦୀପ ଜଳାଇବା ପାଇଁ ଅନୁମତି ଦେଇ ନ ଥିବାରୁ ଅଦାଲତଙ୍କ ଆଦେଶ ପାଳନ ସମ୍ଭବ ହୋଇନଥିବା ସେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି। ଅପରପକ୍ଷେ ପ୍ରଶାସନର ଅବହେଳାକୁ ବିଜେପି ଦାୟୀ କରିଛି।
ମନ୍ଦିର ଟ୍ରଷ୍ଟିଙ୍କୁ ଦାୟୀ କଲା ପ୍ରଶାସନ
ନଭେମ୍ବର ୨୦ ତାରିଖରେ ସୁପ୍ରିମ୍କୋର୍ଟ ଏକକାଳୀନ ବ୍ୟବସ୍ଥା ଭାବେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୬ଟା ୩୦ ମଧ୍ୟରେ ଦୀପଥୁନ୍ରେ ଦୀପ ଜଳାଇବାକୁ ଅନୁମତି ଦେଇଥିଲେ। ମନ୍ଦିର ପରିଚାଳନା ସଂସ୍ଥା ଅନୁମୋଦିତ ସୀମିତ ସଂଖ୍ୟକ ବ୍ୟକ୍ତି ହିଁ ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଥିଲା। ମଦୁରାଇ ଜିଲ୍ଲାପାଳଙ୍କୁ ସମଗ୍ର ବ୍ୟବସ୍ଥାର ସମନ୍ୱୟ ଦାୟିତ୍ୱ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦୀପ ଜଳାଇବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିଲା। ଏଥିପାଇଁ ୨୭ ଜଣିଆ ପ୍ରସ୍ତୁତି ଦଳ ଏବଂ ୧୦ ଜଣିଆ ଦୀପ ପ୍ରଜ୍ୱଳନ ଦଳ ଗଠନର ଯୋଜନା ହୋଇଥିଲା। ପାହାଡ଼ ଓ ଆଖପାଖ ଅଞ୍ଚଳରେ ୫ ହଜାରରୁ ଅଧିକ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ। ମାତ୍ର ମନ୍ଦିରର ଟ୍ରଷ୍ଟ ବୋର୍ଡ ମଙ୍ଗଳବାର ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ପାରମ୍ପରିକ ସ୍ଥାନରେ ହିଁ ଦୀପ ଜଳାଇବାକୁ ନିଷ୍ପତ୍ତି ନେଇଥିଲା। ମନ୍ଦିରର ପ୍ରାଚୀନ ଆଗମ ନିୟମ ଓ ପରମ୍ପରା ଅନୁଯାୟୀ ଉଚ୍ଚିପିଲ୍ଲାୟାର ମନ୍ଦିର ନିକଟସ୍ଥ ଦୀପ ମଣ୍ଡପରେ ହିଁ ମହାଦୀପ ଜଳାଯାଏ ବୋଲି ଟ୍ରଷ୍ଟିମାନେ ଯୁକ୍ତି ରଖିଥିଲେ। ଫଳରେ ସେଠାରେ ଦୀପ ଜଳାଯାଇଥିଲା, କିନ୍ତୁ ବିବାଦୀୟ ଦୀପଥୁନ୍ ସ୍ତମ୍ଭ ଅନ୍ଧାରରେ ରହିଥିଲା।
Vantara: ମାଡାଗାସ୍କର ସହ ବନତାରାର ୧୦ ବର୍ଷିଆ ଚୁକ୍ତି
ବୁଧବାର ବିଚାରପତି ଅରବିନ୍ଦ କୁମାର ଓ ବିପୁଲ ଏମ୍. ପାଞ୍ଚୋଲିଙ୍କ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉଠିଥିଲା। ଜିଲ୍ଲାପାଳଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ୍ ଅଦାଲତରେ ପକ୍ଷ ରଖିଥିଲେ। ଆବେଦନକାରୀଙ୍କ ପକ୍ଷରୁ ରାମା ରବିକୁମାର ଅଦାଲତଙ୍କ ନିର୍ଦ୍ଦେଶ ଜାଣିଶୁଣି ଅବମାନନା କରାଯାଇଥିବା ଅଭିଯୋଗ କରିଥିଲେ। ତେବେ ସୁପ୍ରିମ୍କୋର୍ଟ ନିଜ ଆଡ଼ୁ ଅବମାନନା ମାମଲା ଆରମ୍ଭ କରିବାକୁ ମନା କରିବା ସହ ସମ୍ପୃକ୍ତ ପକ୍ଷଙ୍କୁ ପୃଥକ୍ ଅବମାନନା ଆବେଦନ ଦାଖଲ କରିବାକୁ କହିଛନ୍ତି। ସରକାରଙ୍କ ସ୍ଥିତି ରିପୋର୍ଟ ମଧ୍ୟ ଯାଞ୍ଚ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଦୀପଥୁନ୍ରେ ଦୀପ ଜଳାଇବାକୁ ନେଇ ମନ୍ଦିର ପରମ୍ପରା ଓ ଅଦାଲତଙ୍କ ନିର୍ଦ୍ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରିରେ ହେବ।
ସୌଜନ୍ୟ ସମ୍ବାଦ




