ଦେଶ ବିଦେଶ

Trump fresh tariffs: ଭାରତ ଉପରେ ଡୋନାଲ୍ଡ ଟ୍ରମ୍ପ ଲଗାଇବେ ୨୫% ପର୍ଯ୍ୟନ୍ତ ଶୁଳ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପୁଣି ନୂଆ ଶୁଳ୍କ ଲଗାଇବା ପ୍ରସ୍ତାବ ଦେଇଛନ୍ତି। ଏଥର ସେ ଅତ୍ୟଧିକ ଉତ୍ପାଦନ କରୁଥିବା ଦେଶଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି। ଭାରତ ଉପରେ ୨୫% ପର୍ଯ୍ୟନ୍ତ ଶୁଳ୍କ ଲାଗିବା ଆଶଙ୍କା ରହିଛି।

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପୁଣି ନୂଆ ଶୁଳ୍କ ଲଗାଇବା ପ୍ରସ୍ତାବ ଦେଇଛନ୍ତି। ଏଥର ସେ ଅତ୍ୟଧିକ ଉତ୍ପାଦନ କରୁଥିବା ଦେଶଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି। ଭାରତ ଉପରେ ୨୫% ପର୍ଯ୍ୟନ୍ତ ଶୁଳ୍କ ଲାଗିବା ଆଶଙ୍କା ରହିଛି। ଏଭଳି ଏକ ସମୟରେ ଏହି ନୂଆ ଶୁଳ୍କ ଲାଗିବାକୁ ଯାଉଛି ‌ଯେତେବେଳେ ଉଭୟ ଭାରତ ଓ ଆମେରିକା ଏକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ବୁଝାମଣା ଚୂଡ଼ାନ୍ତ କରିବାକୁ ସଂଘର୍ଷ କରୁଛନ୍ତି। ଯଦି ଏହି ଶୁଳ୍କ ଲାଗିବ ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଆଉ ଏକ ନୂଆ ଦିଗରେ ଯିବ ଓ ଚୁକ୍ତି ଆହୁରି ବିଳମ୍ବ ହେବା ଆଶଙ୍କା ରହିଛି।

ଟ୍ରମ୍ପ ପ୍ରଶାସନର ସଦ୍ୟତମ ଶୁଳ୍କ ପ୍ରସ୍ତାବ ଦ୍ବାରା ଚୀନ ସର୍ବାଧିକ ପ୍ରଭାବିତ ହେବ। ଚୀନ ଉପରେ ସର୍ବାଧିକ ୪୦%ର ଶୁଳ୍କ ଲାଗିପାରେ। ଆମେରିକା ଅଭିଯୋଗ କରିଛି ଯେ ଚୀନ ସାରା ବିଶ୍ବ ବଜାରରେ ଶସ୍ତା ସାମଗ୍ରୀର ବନ୍ୟା କରୁଛି। ୧୪ଟି ଦେଶ ଉପରେ ଶୁଳ୍କ ଲଗାଇବାର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିରେ ଭାରତର ନାମ ରହିଛି। ବିଭିନ୍ନ ପ୍ରକାର ନିୟମ, ନୀତି ଓ ଅଭ୍ୟାସ ମାଧ୍ୟମରେ ଅତ୍ୟଧିକ ଉତ୍ପାଦନକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକ ଏହି ତାଲିକାରେ ଥିବା ଆମେରିକା କହିଛି।

ସୂଚନା ଅନୁସାରେ, ଟ୍ରମ୍ପ ପ୍ରଶାସନ ତରଫରୁ ଚୀନ, ବାଲାଂଦେଶ, କାମ୍ବୋଡିଆ, ୟୁରୋପୀୟ ସଂଘ, ଭାରତ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ସିଙ୍ଗାପୁର, ସ୍ବିଜରଲ୍ୟାଣ୍ଡ, ତାଇୱାନ, ଥାଇଲ୍ୟାଣ୍ଡ ଓ ଭିଏତନାମ ଉପରେ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଭିଏସ୍‌ନାମ ଉପରେ ୩୫% ପର୍ଯ୍ୟନ୍ତ, ୟୁରୋପୀୟ ସଂଘ ସମେତ ଅନ୍ୟାନ୍ୟ ଦେଶଗୁଡ଼ିକ ଉପରେ ୨୦% ପର୍ଯ୍ୟନ୍ତ ଶୁଳ୍କ ଲାଗିପାରେ। ଅନୁଚିତ ବାଣିଜ୍ୟ ଅଭ୍ୟାସ ଗ୍ରହଣ କରିଥିବା ଅଭିଯୋଗରେ ୧୬ଟି ଦେଶ ବିରୋଧରେ ଆମେରିକା କରିଥିବା ଆଠ ମାସର ତଦନ୍ତ ଶେଷ ହେବା ପରେ ଏହି ଶୁଳ୍କ ଲଗାଇବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ଆମେରିକାର ଅଭିଯୋଗ ହେଉଛି, ଏହି ଦେଶଗୁଡ଼ିକ ବଜାର ଚାହିଦାଠାରୁ ଯଥେଷ୍ଟ ଅଧିକ ବିନିର୍ମାଣ ଓ ଉତ୍ପାଦନ ପାଇଁ ସହଯୋଗ କରୁଛନ୍ତି, ଯାହା ଫଳରେ ଆମେରିକୀୟ ବ୍ୟବସାୟ ଉପରେ ଚାପ ସୃଷ୍ଟି ହୋଇଛି। ଆମେରିକା ପ୍ରଶାସନ ସ୍ପଷ୍ଟ କରିଛି ଯେ ଏଥର ଯେଉଁ ଶୁଳ୍କ ଲାଗୁହେବ ତାହା ବିଭିନ୍ନ ଦେଶ ସହ ହୋଇଥିବା ବାଣିଜ୍ୟ ଚୁକ୍ତି ଅନୁରୂପ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button