ନୂଆଦିଲ୍ଲୀ: ଇଭିଏମ୍ରେ ରେକର୍ଡ ହୋଇଥିବାଭୋଟ୍ ଗଣତି ସମୟରେ ପ୍ରତ୍ୟେକ ବୁଥ୍ର ଭୋଟ୍ ଧାରା (ଭୋଟିଂ ପ୍ୟାଟର୍ଣ୍ଣ) ଜଣାପଡ଼ିବାକୁ ରୋକିବା ଲାଗି ‘ଟୋଟାଲାଇଜର’ ବ୍ୟବସ୍ଥା ଲାଗୁ କରିବା ସମ୍ପର୍କରେ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ଭୋଟ୍ର ଗୋପନୀୟତା ସୁରକ୍ଷିତ ରଖିବା ସହ ନିର୍ବାଚନ ପରେ ଭୋଟରଙ୍କୁ ଧମକ କିମ୍ବା ହଇରାଣ କରାଯିବାର ଆଶଙ୍କା କମାଇବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ଟୋଟାଲାଇଜର ବ୍ୟବସ୍ଥା ଲାଗୁ କରିବା ନେଇ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ କେନ୍ଦ୍ରକୁ ଏହି
ବ୍ୟବସ୍ଥା ଲାଗୁ କରିବାରେ କ’ଣ ସମସ୍ୟା ରହିଛି ଏବଂ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ କି ନାହିଁ, ତାହା ଯାଞ୍ଚ କରିବାକୁ କହିଛନ୍ତି। ଏଥିପାଇଁ ନିର୍ବାଚନ ଆଚରଣ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇପାରିବ କି ନାହିଁ, ତାହା ମଧ୍ୟ ଦେଖିବାକୁ କୋର୍ଟ କହିଛନ୍ତି।
ଟୋଟାଲାଇଜର ହେଉଛି ଏକ ଏଭଳି ବ୍ୟବସ୍ଥା, ଯେଉଁଥିରେ ଏକାଧିକ ଇଭିଏମ୍ର ଭୋଟ୍କୁ ଏକାଠି କରି ଫଳ ପ୍ରକାଶ କରାଯାଏ। ପ୍ରସ୍ତାବିତ ବ୍ୟବସ୍ଥାରେ ପ୍ରାୟ ୧୪ଟି ମତଦାନ କେନ୍ଦ୍ରର ଭୋଟ୍ ଏକାଠି ଗଣାଯାଇପାରେ। ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ବୁଥ୍ରେ କେଉଁ ପ୍ରାର୍ଥୀ କେତେ ଭୋଟ୍ ପାଇଛନ୍ତି, ତାହା ସହଜରେ ଜଣାପଡ଼ିବ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଅଶ୍ୱିନୀ ଉପାଧ୍ୟାୟ କହିଥିଲେ ଯେ, ନିର୍ବାଚନ କମିସନ୍ ପୂର୍ବରୁ ଟୋଟାଲାଇଜର ବ୍ୟବସ୍ଥାକୁ
ସମର୍ଥନକରିଥିଲା। ଏହି ବ୍ୟବସ୍ଥା ଲାଗୁ ହେଲେ କୌଣସି ବୁଥ୍ରେ କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍ ମିଳିଛି, ତାହା ଚିହ୍ନଟ କରିବା କଷ୍ଟକର ହେବ। ଏହା ଭୋଟରଙ୍କୁ ନିର୍ବାଚନ ପରେ ଧମକ, ଚାପ କିମ୍ବା ପ୍ରତିଶୋଧରୁ ସୁରକ୍ଷା ଦେଇପାରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ ମଧ୍ୟ ବୁଥ୍ ଭିତ୍ତିକ ଭୋଟ୍ ଧାରା ପ୍ରକାଶ ଯୋଗୁ ଭୋଟରଙ୍କ ଉପରେ ଚାପ ସୃଷ୍ଟି ହୋଇପାରେ ବୋଲି କହିଥିଲେ।