ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ପାଞ୍ଚ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ ଚାରୋଟି ଭିନ୍ନ ଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସହିତ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ତାଲିକାରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଏନେଇ ସୂଚନା କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟରେ ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚନ୍ଦ୍ରଶେଖରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଚଦେବ,ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲିଙ୍କ ନାମ ତାଲିକାରେ ରହିଛି। ବରିଷ୍ଠ ଆଇନଜୀବୀ ଭି. ସୁବ୍ରମଣି ମୋହନାଙ୍କୁ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଆଇନ ମନ୍ତ୍ରଣାଳୟ ସୋମବାର ସକାଳେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।
ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି, ଭାରତୀୟ ସମ୍ବିଧାନର ଧାରା ୧୨୪ (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି।
ଭି. ସୁବ୍ରମଣି ମୋହନା ଆଇନଜୀବୀରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ହୋଇଛନ୍ତି। କୌଣସି ଆଇନଗତ ପୃଷ୍ଠଭୂମି ନଥିବା ପରିବାରରେ ଜନ୍ମଗ୍ରହଣ କରି, ସେ ୧୯୮୩ ମସିହାରେ କୋଏମ୍ବାଟୁରର ସରକାରୀ ଆଇନ କଲେଜର ପ୍ରଥମ ବ୍ୟାଚ୍ରେ ଯୋଗ ଦେଇଥିଲେ। ସେତେବେଳେ ଭାରତରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷିଆ ସମନ୍ୱିତ ଆଇନ ପାଠ୍ୟକ୍ରମ ପ୍ରଚଳନ କରାଯାଇଥିଲା।
ଉଲ୍ଲେଖନୀୟ, ୫ ମେ’ରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ସରକାର ସଂସଦର ପରବର୍ତ୍ତୀ ଅଧିବେଶନରେ ଏ ସମ୍ପର୍କିତ ଏକ ବିଲ୍ ଆଗତ କରିବେ। କ୍ୟାବିନେଟ ଅନୁମୋଦନ ପରେ ୧୯୫୬ ଆଇନରେ ସଂଶୋଧନ କରାଯିବ। ସମ୍ବିଧାନର ଧାରା ୧୨୪(୧) ଅନୁଯାୟୀ, ସଂସଦର ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାର କ୍ଷମତା ଅଛି। ଆଇନ କାର୍ଯ୍ୟକାରୀ ହେବା ପରେ, କଲେଜିୟମ୍ ଖାଲି ପଦବୀ ପୂରଣ ପାଇଁ ନୂତନ ନାମ ସୁପାରିଶ କରିପାରିବେ।
ସୌଜନ୍ୟ ସମ୍ବାଦ

