Supreme Court: ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ପରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ: ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରୁ ହଟିବ ‘ନ୍ୟାୟିକ ଦୁର୍ନୀତି’ ପ୍ରସଙ୍ଗ

ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏନ୍‌ସିଇଆର୍‌ଟି ଏଥିରେ ବଡ଼ଧରଣର ସଂଶୋଧନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଏନ୍‌ସିଇଆର୍‌ଟି ଏଥିରେ ବଡ଼ଧରଣର ସଂଶୋଧନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ପାଠ୍ୟପୁସ୍ତକର ଏହି ଅଂଶକୁ ପକ୍ଷପାତପୂର୍ଣ୍ଣ ଓ ଅସନ୍ତୁଳିତ ଦର୍ଶାଇ କେନ୍ଦ୍ର ସରକାର ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଆଜି ଏହି ପାଠ୍ୟକ୍ରମକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି। ପାଠ୍ୟପୁସ୍ତକରେ ଯେଉଁଭଳି ଭାବେ ନ୍ୟାୟପାଳିକାର ଚିତ୍ରଣ କରାଯାଇଛି, ତାହା ଏହି ସାମ୍ବିଧାନିକ ଅନୁଷ୍ଠାନର ସ୍ୱଚ୍ଛତା ଉପରେ ଏକ  ଗଭୀର ଆକ୍ରମଣ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାରେ ଏଭଳି ଏକତରଫା ତଥ୍ୟ ନ୍ୟାୟପାଳିକାର ସମ୍ମାନକୁ କ୍ଷତି ପହଞ୍ଚାଉଛି ଏବଂ ଏଭଳି କାର୍ଯ୍ୟକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ସେ ମତ ଦେଇଛନ୍ତି।

ନ୍ୟାୟପାଳିକା ବିରୋଧରେ  ଗଭୀର ଷଡ୍‌ଯନ୍ତ୍ର: ପ୍ରଧାନ ବିଚାରପତି

ଶୀର୍ଷ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଅଧ୍ୟାୟର ପୁନର୍ଲିଖନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ପାଠ୍ୟକ୍ରମରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସନ୍ତୁଳିତ ଏବଂ ଗଠନମୂଳକ ଭାବେ ଉପସ୍ଥାପନ କରାଯିବ। ବିଶେଷ କରି ଛାତ୍ରଛାତ୍ରୀମାନେ ଯେପରି ନ୍ୟାୟପାଳିକାର କାର୍ଯ୍ୟଶୈଳୀ ଏବଂ ଏହାର ଗୁରୁତ୍ୱକୁ ଠିକ୍ ଭାବେ ବୁଝିପାରିବେ, ସେଥିପାଇଁ ଏହି ସଂଶୋଧନ କରାଯାଉଛି। ଏହି ଘଟଣା ଜାତୀୟ ଶିକ୍ଷାନୀତି ଅଧୀନରେ ଚାଲିଥିବା ପାଠ୍ୟକ୍ରମ ସଂସ୍କାର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ନ୍ୟାୟପାଳିକାର ଅଖଣ୍ଡତା ଓ ସମ୍ମାନ ବଜାୟ ରଖିବା ପାଇଁ ଶିକ୍ଷା ବ୍ୟବସ୍ଥାରେ ଏହି ପରିବର୍ତ୍ତନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ସୌଜନ୍ୟ ସମ୍ବାଦ

Exit mobile version