ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଆଜି ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ଏର ସାଂବିଧାନିକ ବୈଧତା ଉପରେ ଏକ ବିଭାଜିତ ରାୟ ଦେଇଛନ୍ତି। ଏହି ଧାରା ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିବା ପାଇଁ ସରକାରଙ୍କଠାରୁ ଆଗୁଆ ଅନୁମତି ଆବଶ୍ୟକ କରୁଛି। ବିଶେଷକରି ଯେଉଁ ଅଭିଯୋଗ ଅଧିକାରୀଙ୍କ ସରକାରୀ କାର୍ଯ୍ୟ ସହ ଜଡ଼ିତ, ସେଥିପାଇଁ ଏଭଳି ଅନୁମତି ଆବଶ୍ୟକ ହୋଇଥାଏ।
ଜଷ୍ଟିସ କେ.ଭି. ବିଶ୍ୱନାଥନ ଓ ବି.ଭି. ନାଗରତ୍ନାଙ୍କ ନେଇ ଖଣ୍ଡପୀଠ ଏହି ମାମଲାରେ ବିଭାଜିତ ରାୟ ପ୍ରଦାନ କରାଯାଇଛି। ଜଣେ ବିଚାରପତି ଏହି ପ୍ରାବଧାନକୁ ସମର୍ଥନ କରିଥିବା ବେଳେ ଅନ୍ୟ ଜଣେ ଅସାମ୍ବିଧାନିକ କହି ବିରୋଧ କରିଥିବାରୁ ମାମଲାକୁ ମୁଖ୍ୟ ନ୍ୟାୟାଧୀଶଙ୍କ ନିକଟକୁ ପଠାଯାଇଛି ଏବଂ ଏହା ବଡ଼ ଖଣ୍ଡପୀଠରେ ଶୁଣାଣି ହେବ।
ଜଷ୍ଟିସ ବିଶ୍ବନାଥନ ସେକ୍ସନ୍ ୧୭ଏକୁ ସାଂବିଧାନିକ ଭାବେ ବୈଧ ବୋଲି କହିଛନ୍ତି। ତେବେ ଅନୁମତି ନିଷ୍ପତ୍ତି ଲୋକପାଳ କିମ୍ବା ରାଜ୍ୟର ଲୋକାୟୁକ୍ତଙ୍କ ଦ୍ୱାରା ହେବା ଉଚିତ ବୋଲି ସେ କହିଛନ୍ତି। ସରକାରୀ ଅଧିକାରୀଙ୍କୁ ଆକ୍ରୋଶମୂଳକ ମାମଲାରୁ ରକ୍ଷା କରିବା ପାଇଁ ଏହି ଧାରା ଏକ ନ୍ୟାୟୋଚିତ ପଦକ୍ଷେପ ଭାବେ କାମ କରେ ବୋଲି ସେ କହିଛନ୍ତି। ଏହାକୁ ବାତିଲ କରିବା, ଅନ୍ୟାୟକୁ ପ୍ରୋତ୍ସାହନ ସଦୃଶ ହେବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସତ୍ୟବାଦୀ ଓ ସମ୍ମାନିତ ବ୍ୟକ୍ତି ପାଇଁ ମୃତ୍ୟୁ ବି ଅପମାନଠାରୁ ଭଲ। ସୋସିଆଲ ମିଡିଆ ଯୁଗରେ କୋର୍ଟରେ ପରେଡ଼ କରି ଅପରାଧମୁକ୍ତ ପ୍ରମାଣିତ ହେଲେ ବି ଏହା ଦଣ୍ଡିତ ହେବା ଭଳି ସ୍ଥିତି ସୃଷ୍ଟି କରିବ। ଏହା ଧାରାକୁ ହଟାଇଲେ ଏ ବାବଦ ନୀତିରେ ଅଚଳାବସ୍ଥା ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ଜଷ୍ଟିସ ବି.ଭି. ନାଗରତ୍ନା ସେକ୍ସନ୍ ୧୭ଏକୁ ଅସାଂବିଧାନିକ ବୋଲି ଘୋଷଣା କରି ଏହାକୁ ବାତିଲ୍ କରିବାକୁ କହିଛନ୍ତି। ଏହି ଧାରା ଆଇନର ଉଦ୍ଦେଶ୍ୟ ବିରୋଧୀ ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ରକ୍ଷା କରେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ସେକ୍ସନ୍ ୧୭ଏ ଅସାଂବିଧାନିକ ଏବଂ ଏହାକୁ ବାତିଲ କରାଯିବା ହିଁ ଉଚିତ ହେବ। ପୂର୍ବ ଅନୁମତିର ଆବଶ୍ୟକତା ଆଇନରେ ରହିଥିବା ଉଦ୍ଦେଶ୍ୟର ବିରୋଧୀ। ଏହା ତଦନ୍ତକୁ ବନ୍ଦ କରିଦିଏ ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ରକ୍ଷା କରେ । ଦେଶରେ ଦୁର୍ନୀତି ବ୍ୟାପକ ଥିବାରୁ କଡ଼ା ଆଇନ ଆବଶ୍ୟକ ବୋଲି ଜଷ୍ଟିସ ନାଗରତ୍ନା କହିଛନ୍ତି।
ଏହି ମାମଲା ସେଣ୍ଟର୍ ଫର୍ ପବ୍ଲିକ୍ ଇଣ୍ଟ୍ରେଷ୍ଟ ଲିଟିଗେସନ୍ (ସିପିଆଇଏ) ଦ୍ୱାରା ଦାୟର ହୋଇଥିଲା, ଯାହାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପ୍ରତିନିଧିତ୍ୱ କରିଥିଲେ। ସେକ୍ସନ୍ ୧୭ଏକୁ ୨୦୧୮ରେ ସଂଶୋଧନ ଦ୍ୱାରା ଯୋଡ଼ାଯାଇଥିଲା ଏବଂ ଏହାକୁ ଦୁର୍ନୀତି ବିରୋଧୀ ଅଭିଯାନକୁ ବାଧା ଦେଉଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଭିନ୍ନମତ ଯୋଗୁଁ ବର୍ତ୍ତମାନ ମାମଲା ବଡ଼ ବେଞ୍ଚରେ ଶୁଣାଣି ପାଇଁ ଅପେକ୍ଷାରତ ।
ସୌଜନ୍ୟ ସମ୍ବାଦ
