Site icon Swayam News

Swearing Ceremony: ବିହାରରେ ନଭେମ୍ବର ୨୦ରେ ହେବ ଶପଥ ଗ୍ରହଣ, ଗାନ୍ଧୀ ମଇଦାନରେ ହେବ ସମସ୍ତ ବ୍ୟବସ୍ଥା

ପାଟନାବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ। ସୂଚନାନୁଯାୟୀ, ନଭେମ୍ବର ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ପାଟନାର ଗାନ୍ଧୀ ମଇଦାନରେ ଜୋରଦା‌ର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।

୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଛି, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଛନ୍ତି।

୧୧ଟା ୩୦ରେ ହେବ ଶେଷ କ୍ୟାବିନେଟ୍ ବୈଠକ

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହେବ। ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯିବେ। ଏହା ନୂତନ ସରକାର ଗଠନ ଦିଗରେ ପ୍ରଥମ ପଦକ୍ଷେପ ହେବ। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି।

ନୀତିଶଙ୍କ ଇସ୍ତଫା ପରେ ହେବ ବିଧାୟକ ଦଳ ବୈଠକ

ନୀତିଶଙ୍କ ଇସ୍ତଫା ପରେ JDU ବିଧାୟକ ଦଳ ବୈଠକ କରିବ, ଯେଉଁଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବା ନେଇ ଆଶା କରାଯାଉଛି। ଏହା ପରେ ବିଜେପି ବିଧାୟକ ଦଳର ଏକ ବୈଠକ ହେବ, ଏବଂ ଶେଷରେ, NDA ବିଧାୟକ ଦଳର ଏକ ମିଳିତ ବୈଠକ ହେବ, ଯେଉଁଠାରେ ନୀତିଶ କୁମାରଙ୍କୁ ମେଣ୍ଟ ନେତା ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏହା ପରେ, NDA ପ୍ରତିନିଧି ଦଳ ରାଜ୍ୟପାଳଙ୍କ ପାଖକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ।

ସୌଜନ୍ୟ – ସମ୍ବାଦ

Exit mobile version