ଦେଶ ବିଦେଶ

Tamil Nadu: ଦୁର୍ନୀତି ଅଭିଯୋଗକୁ ନେଇ ତାମିଲନାଡ଼ୁ ବିଧାନସଭାରେ ହଙ୍ଗାମା

ତାମିଲନାଡ଼ୁ ବିଧାନସଭାରେ ମଙ୍ଗଳବାର ଡିଏମ୍‌କେ ବିଧାୟକଙ୍କ ହଙ୍ଗାମାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସୋମବାର ବିଧାନସଭାରେ ଡିଏମ୍‌କେ ବିରୋଧରେ କରିଥିବା ଦୁର୍ନୀତି ଅଭିଯୋଗ ଏବଂ ଅନ୍ୟାନ୍ୟ ମନ୍ତବ୍ୟକୁ ବିଧାନସଭା...

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ମଙ୍ଗଳବାର ଡିଏମ୍‌କେ ବିଧାୟକଙ୍କ ହଙ୍ଗାମାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସୋମବାର ବିଧାନସଭାରେ ଡିଏମ୍‌କେ ବିରୋଧରେ କରିଥିବା ଦୁର୍ନୀତି ଅଭିଯୋଗ ଏବଂ ଅନ୍ୟାନ୍ୟ ମନ୍ତବ୍ୟକୁ ବିଧାନସଭା ରେକର୍ଡରୁ ବାଦ ଦେବାକୁ ଦଳର ବିଧାୟକମାନେ ଦାବି କରିଥିଲେ। ଏହାକୁ ନେଇ ଶାସକ ଟିଭିକେ ଓ ଡିଏମ୍‌କେ ସଦସ୍ୟଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ହୋଇଥିଲା।

ସୋମବାର ବିଜୟ ଏପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦସ୍ତାବିଜକୁ ଉଦ୍ଧୃତ କରି ଅଭିଯୋଗ କରିଥିଲେ ଯେ, ଡିଏମ୍‌କେ ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ସରକାରୀ ଠିକାଦାରମାନଙ୍କଠାରୁ ଠିକା ମୂଲ୍ୟର ୭.୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ‘ଦଳୀୟ ପାଣ୍ଠି’ ନାମରେ ନିଆଯାଉଥିଲା। ଏହି ଟଙ୍କା ଲାଞ୍ଚ ଆକାରରେ ନିଆଯାଉଥିବା ଇଡି ଦସ୍ତାବିଜରେ ଉଲ୍ଲେଖ ଥିବା ସେ ଦାବି କରିଥିଲେ। ବିଜୟ ଆହୁରି କହିଥିଲେ ଯେ, ଇଡି ଦସ୍ତାବିଜରେ ଏହି ଅର୍ଥର କଥିତ ପ୍ରତ୍ୟକ୍ଷ ହିତାଧିକାରୀ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, ତାଙ୍କ ପୁଅ ତଥା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ନାମ ରହିଥିଲା। ଏହି ଅଭିଯୋଗ ଉପରେ ଡିଏମ୍‌କେ ତୀବ୍ର ପ୍ରତିବାଦ କରିଛି। ମଙ୍ଗଳବାର ଡିଏମ୍‌କେ ବିଧାୟକମାନେ ବାଚସ୍ପତି ଜେସିଡି ପ୍ରଭାକରଙ୍କ ଆସନ ନିକଟରେ ପ୍ରତିବାଦ କରିଥିଲେ। ବିଜୟଙ୍କ ମନ୍ତବ୍ୟର କିଛି ଅଂଶ ରେକର୍ଡରୁ ବାଦ୍ ଦେବା ସହ ଡିଏମ୍‌କେକୁ ଏହାର ଜବାବ ରଖିବାକୁ ସୁଯୋଗ ଦେବାକୁ ସେମାନେ ଦାବି କରିଥିଲେ। ବାଚସ୍ପତି ଏହି ମନ୍ତବ୍ୟ ବାଦ ଦେବାକୁ ମନା କରି କହିଥିଲେ ଯେ, ଉପସ୍ଥାପିତ ତଥ୍ୟ ସାର୍ବଜନୀନ ହୋଇସାରିଛି।

ପରେ ପ୍ରତିବାଦ ଜାରି ରହିବାରୁ ବାଚସ୍ପତି ଡିଏମ୍‌କେ ବିଧାୟକମାନଙ୍କୁ ବିଧାନସଭାରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଶାଲମାନେ ପ୍ରତିବାଦରତ ବିଧାୟକମାନଙ୍କୁ ଗୃହ ବାହାରକୁ ନେଇଥିଲେ। ଏହାକୁ ନେଇ ଗୃହରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଥିଲା। ଏହା ପୂର୍ବରୁ ସୋମବାର ମଧ୍ୟ ବିଜୟଙ୍କ ଭାଷଣକୁ ନେଇ ଡିଏମ୍‌କେ ବିଧାୟକମାନେ ନାରାବାଜି କରିଥିଲେ। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍‌ ବିଜୟଙ୍କୁ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପୁରୁଣା ଘଟଣା ଉଠାଇବାର ଅଭିଯୋଗ କରିଥିଲେ। ସେ ବିଜୟ ସରକାରଙ୍କୁ ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ସମ୍ପର୍କିତ ନିଜ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button