ଚେନ୍ନାଇ: ତାମିଲନାଡୁ ସରକାର ଓ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଆର.ଏନ. ରବି ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଯାଇଛନ୍ତି। ତାମିଲ ରାଜ୍ୟ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ବଜାଇବାକୁ ସେ ଦାବି କରିଥିଲେ। ଏହି ଦାବିକୁ ବାଚସ୍ପତି ଆପାଭୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ୱରୂପ, ଆର.ଏନ. ରବି ଗୃହକୁ ସମ୍ବୋଧିତ ନକରି କାର୍ଯ୍ୟବଳୀ ବର୍ଜନ କରି ଗୃହତ୍ୟାଗ କରିଥିଲେ। ଏପରି କରି ତୃତୀୟ ଥର ପାଇଁ ରାଜ୍ୟପାଳ ଗୃହକୁ ବର୍ଜନ କରିଛନ୍ତି। ପୂର୍ବରୁ ସେ ୨୦୨୪ ଓ ୨୦୨୫ରେ ଭାଷଣ ନଦେଇ ଅଧିବେଶନ ବର୍ଜନ କରିଥିଲେ। ତାମିଲନାଡୁ ଲୋକଭବନ ପରିସ୍ଥିତି ବିଷୟରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି।
ରାଜ୍ୟପାଳ କ’ଣ କହିଲେ?
ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ ମୁଁ ଗଭୀର ଦୁଃଖିତ। ଅଭିଭାଷଣ ବାଧାପ୍ରାପ୍ତ ହେବା ଦୁର୍ଭାଗ୍ୟଜନକ। ମୁଁ ମୋର ଦାୟିତ୍ୱ ବିଷୟରେ ଭଲଭାବରେ ଅବଗତ। କିନ୍ତୁ, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ବୋଲି ରାଜ୍ୟପାଳ ଆର ଏନ ରବି ତାମିଲନାଡୁ ବିଧାନସଭାରେ କହିଛନ୍ତି।
ବାଚସ୍ପତି ଦେଲେ ସ୍ପଷ୍ଟୀକରଣ
ରାଜ୍ୟପାଳଙ୍କ ଅଭିଯୋଗର ଜବାବରେ ତାମିଲନାଡୁ ବାଚସ୍ପତି ଆପାଭୁ କହିଛନ୍ତି, ବିଧାନସଭାରେ କେବଳ ବିଧାୟକମାନେ ସେମାନଙ୍କର ମତାମତ ଦେଇପାରିବେ। ଅନ୍ୟ କେହି ସେମାନଙ୍କର ମତାମତ ଜୋର ଜବରଦସ୍ତ ଲଦି ପାରିବେ ନାହିଁ। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ସରକାର ପ୍ରସ୍ତୁତି କରିଥିଲେ।
ମୋ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଇଥିଲା
ରାଜ୍ୟପାଳ ଆର ଏନ ରବି କହିଛନ୍ତି, ମୋ ମାଇକ୍ରୋଫୋନ ବନ୍ଦ କରିଦିଆଯାଇଥିଲା ଓ ମୋତେ କହିବାକୁ ଦିଆଯାଇନଥିଲା। ଏହା ଯୋଗୁ ମୁଁ ଅପମାନିତ ଅନୁଭବ କରିଥିଲି।
କ’ଣ କହିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ?
ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ରାଜ୍ୟପାଳଙ୍କ କାର୍ଯ୍ୟ ସଦନର ୧୦୦ ବର୍ଷର ପୁରୁଣା ପରମ୍ପରାକୁ ଅସମ୍ମାନ ଓ ଅପମାନିତ କରିଛି। ଡିଏମକେ ପ୍ରତିଷ୍ଠାତା ସିଏନ ଆନ୍ନାଦୁରାଇ ଦେଇଥିବା ମନ୍ତବ୍ୟ ‘ ଛେଳି ଦାଢ଼ି କାହିଁକି ଆବଶ୍ୟକ କରେ, ରାଜ୍ୟ ପାଇଁ କାହିଁକି ରାଜ୍ୟପାଳ ଆବଶ୍ୟକ ?’କୁ ଷ୍ଟାଲିନ ଦୋହରାଇଛନ୍ତି। ରାଜ୍ୟ ପ୍ରଶାସନ କୌଣସି ପ୍ରକାରେ ରାଜ୍ୟପାଳ କିମ୍ବା ତାଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିନାହିଁ। ରାଜ୍ୟପାଳ ହିଁ ତାମିଲ ଲୋକଙ୍କୁ ସମ୍ମାନ କରିବାରେ ବିଫଳ ହୋଇଛନ୍ତି ବୋଲି ଷ୍ଟାଲିନ ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ
