ଜାତୀୟ

Temple Land Fraud: ଜାଲିଆତି କରି ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ, ୧୯ ଜଣଙ୍କ ନାଁରେ ଏଫ୍‌ଆଇଆର

ଚେନ୍ନାଇ,୩୦/୦୭: ତାମିଲନାଡୁ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ମନ୍ଦିର ସହ ଜଡ଼ିତ ଏକ ଦାତବ୍ୟ ଟ୍ରଷ୍ଟର ୧.୭୯ ଏକର ଜମିକୁ ଜାଲିଆତି କରି ହଡ଼ପ କରାଯିବା ମାମଲା ସାମ୍ନାକୁ ଆସିଛି । ସେହି ଜମିର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ । ଅଭିଯୁକ୍ତମାନେ ଜାଲ୍‌ ଜମି ହସ୍ତାନ୍ତର, ପଞ୍ଜୀକରଣ ଏବଂ ବନ୍ଧକ କାରବାର ମାଧ୍ୟମରେ ଜମିକୁ ହଡ଼ପ ଲାଗି ଷଡ଼ଯନ୍ତ୍ର ରଚନା କରିଥିଲେ । ଏଥିନେଇ ମନ୍ଦିରର ଯୁଗ୍ମ କମିଶନର ତଥା କାର୍ଯ୍ୟକାରୀ ଅଧିକାରୀ ସେଲ୍ଲାଦୁରାଇ ଏବଂ ଦୁର୍ନୀତି ବିରୋଧୀ ସଂସ୍ଥା ଅରୋପୋର ଇୟକ୍କମର ଅଭିଯୋଗ ପରେ ମଦୁରାଇ ସିଟି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ(ସିସିବି) ମୋଟ ୧୯ ଜଣଙ୍କ ବିରୋଧରେ ଏଫ୍‌ଆଇଆର କରିଛି ।

ଅଭିଯୋଗ ଅନୁସାରେ, ସୈଦାପେଟ ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ୧୯୩୦ ମସିହାରେ ଜଣେ ମହିଳାଙ୍କ ପକ୍ଷରୁ ଏକ ଇଚ୍ଛାପତ୍ର ବା ‘ଉଇଲ’ ପଞ୍ଜୀକୃତ ହୋଇଥିଲା । ସେଥିରେ ଅଲଗାର କୋଭିଲ୍‌ ରୋଡ୍‌ସ୍ଥିତ ଅଶୋକ ବିଳାସ ବଙ୍ଗଳା, ତାକୁ ଲାଗିଥିବା ବଗିଚା ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିର ଏବଂ ଅଲଗାର ମନ୍ଦିର ପାଇଁ ଗଠିତ ଦାତବ୍ୟ ଟ୍ରଷ୍ଟର ସମ୍ପତ୍ତି ବୋଲି ଦର୍ଶାଯାଇଥିଲା । ଉଇଲ୍‌ରେ ସେହି ସମ୍ପତ୍ତିକୁ କେବଳ ଲିଜ୍‌ରେ ଦେଇ ହେବ ବୋଲି ଲେଖାଯାଇଥିଲା । ଜମିର ବିକ୍ରି, ବନ୍ଧକ, ମାଲିକାନା ଅଧିକାର ହସ୍ତାନ୍ତର ଉପରେ ବ୍ୟାନ୍‌ ଲଗାଯାଇଥିଲା । କିନ୍ତୁ ୨୦୧୬ ମସିହା ଜୁନ୍‌ ୨୪ରେ ତତ୍କାଳୀନ ମଦୁରାଇ ଉତ୍ତର ତହସିଲଦାର ଅନବଝଗନ୍‌ ଏହି ରେକର୍ଡରୁ ମନ୍ଦିରର ମାଲିକାନା ହକ୍‌ ହଟାଇ ଦେଇଥିଲେ । ସେ ବେଆଇନ ଭାବେ ୯ ଜଣ ଲୋକଙ୍କ ନାମରେ ଜମିର ପଟ୍ଟା କରିଦେଇଥିଲେ । ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ରେଭେନ୍ୟୁ ଡିଭିଜନାଲ  ଅଫିସର ତହସିଲଦାରଙ୍କ ଆଦେଶକୁ ବାତିଲ କରିଥିଲେ । ଜମିକୁ ମନ୍ଦିର ଟ୍ରଷ୍ଟର ସମ୍ପତ୍ତି ଦର୍ଶାଇ ପଟ୍ଟା ପୁଣି ମନ୍ଦିର ନାମରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚରେ ଏଥିନେଇ ଏକ ମାମଲା ଚାଲୁଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button