Textile: ପ୍ରସ୍ତାବିତ ଟେକ୍ସଟାଇଲ୍‌, ଲଜିଷ୍ଟିକ୍‌ ପାର୍କ ଧୂଆଁବାଣ: ୨ବର୍ଷ ହେଲା ହସ୍ତାନ୍ତର ହୋଇପାରୁନି ଜମି

ରାଜ୍ୟର ଏକଦା ପ୍ରମୁଖ ଶିଳ୍ପାନୁଷ୍ଠାନ ଭାବେ ପରିଚିତ ଚୌଦ୍ବାରର ଓଟିଏମ୍‌ ସ୍ଥାନରେ ବିକଳ୍ପ ଶିଳ୍ପ ମୁଣ୍ଡ ଟେକିବାକୁ ନେଇ ପୁଣି ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଓଟିଏମ୍‌ ଖୋଲିବା ପାଇଁ ୧୭ ବର୍ଷ ଧରି ଆନ୍ଦୋଳନ ଚାଲିଥିଲା।

ଦୀପ୍ତିରଂଜନ ସାମଲ
କଟକ: ରାଜ୍ୟର ଏକଦା ପ୍ରମୁଖ ଶିଳ୍ପାନୁଷ୍ଠାନ ଭାବେ ପରିଚିତ ଚୌଦ୍ବାରର ଓଟିଏମ୍‌ ସ୍ଥାନରେ ବିକଳ୍ପ ଶିଳ୍ପ ମୁଣ୍ଡ ଟେକିବାକୁ ନେଇ ପୁଣି ଅନିଶ୍ଚିତତା ବଢ଼ିବାରେ ଲାଗିଛି। ଓଟିଏମ୍‌ ଖୋଲିବା ପାଇଁ ୧୭ ବର୍ଷ ଧରି ଆନ୍ଦୋଳନ ଚାଲିଥିଲା। ସେହି ସ୍ଥାନରେ ଗୁଜରାଟର ୱେଲସ୍ପୁନ୍‌ ଗ୍ରୁପ୍‌ ଟେକ୍ସଟାଇଲ୍‌ ଓ ଲଜିଷ୍ଟିକ୍‌ ପାର୍କ ଖୋଲିବ ବୋଲି ୨୦୨୪ରେ ଶିଳାନ୍ୟାସ ହେଲା। କିନ୍ତୁ ଗଲା ୨ ବର୍ଷ ଭିତରେ ଇଡ୍‌କୋ ୱେଲସ୍ପୁନ୍‌କୁ ୫୬ ଏକର ଜମି ଦେଇଥିବା ବେଳେ ବାକି ଜମି ହସ୍ତାନ୍ତର ‌ହୋଇପାରୁ ନ ଥିବାରୁ କାମ ଅଟକି ଯାଇଛି।

ପାଖାପାଖି ୫୨୨ ଏକର ଜମି ଉପରେ ଓଟିଏମ୍ ଛିଡ଼ା ହୋଇଥିଲା। ୨୦୦୧ ଜୁଲାଇ ୩୧ରେ ଓଟିଏମ୍‌ ବନ୍ଦ ହୋଇଯିବା ପରେ ଚୌଦ୍ବାରର ଅର୍ଥନୀତି ବିଗିଡ଼ି ଯାଇଥିଲା। ଅନେକ ଲୋକ ଅଭାବ ଅନଟନରେ ମୃତ୍ୟୁବରଣ କରିଥିଲେ। ଯେଉଁମାନେ କ୍ବାର୍ଟର୍ସରେ ରହୁଥିଲେ ବିନା ବିଜୁଳି, ପାଣିରେ ଦିନ ବିତାଇଥିଲେ। ୨୦୦୫ ଅଗଷ୍ଟ ୩୦ରେ ଓଟିଏମ୍‌କୁ ଗୁଜୁରାଟର ଏକ କବାଡ଼ିଆ କମ୍ପାନିକୁ ବିକ୍ରି କରି ଦିଆଗଲା।  ଓଟିଏମ୍‌କୁ ଖୋଲିବା ପାଇଁ ୨୦୦୫ ସେପ୍ଟେମ୍ବର ୧ରୁ ଓଟିଏମ୍‌ ବଞ୍ଚାଅ ସଂଗଠନ ଓ ବିରାଟ ଜନକଲ୍ୟାଣ ସମିତି ପକ୍ଷରୁ ଆ‌ନ୍ଦୋଳନ ଆରମ୍ଭ ହୋଇଥିଲା।

୫୨୨ ଏକରରୁ ୫୬ ଏକର ନେଇ ହାତବାନ୍ଧି ବସିଛି କମ୍ପାନି

୨୦୦୬ ସେପ୍ଟେମ୍ବର ୧୯ରେ ରାଜ୍ୟ ସରକାର ହାଇକୋର୍ଟରେ ୩୫ କୋଟି ଟଙ୍କା ଜମା ରଖିବା ସହ ଶୀଘ୍ର ଏହାକୁ ଖୋଲିବା ପାଇଁ ସତ୍ୟପାଠ ଦାଖଲ କରିଥିଲେ। ୨୦୨୨ ଅଗଷ୍ଟରେ ସରକାର ଆଉ ୧୧୫ କୋଟି ଟଙ୍କା ଦାଖଲ କରି ଓଟିଏମ୍‌କୁ ମୁକୁଳାଇଥିଲେ। ସେହି ସମୟରେ ୱେଲସ୍ପୁନ୍‌ ଗ୍ରୁପ ଦ୍ବାରା ଟେକ୍ସଟାଇଲ୍‌ ଓ ଲଜିଷ୍ଟିକ୍‌ ପାର୍କ ପ୍ରତିଷ୍ଠା ସହିତ ଶ୍ରମିକଙ୍କ ବକେୟା ପ୍ରଦାନ ପାଇଁ ଘୋଷଣା ହେଲା। ଫଳରେ ୨୦୨୪ ଫେବ୍ରୁଆରି ୧୩ରେ ଜାରି ରହିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହେଲା। କମ୍ପାନି ଆରମ୍ଭ ହେଲେ ୨୦ହଜାର ନିଯୁକ୍ତି ସୁଯୋଗ ମିଳିବ ବୋଲି ଘୋଷଣା ହୋଇଥିଲା। ଇଡ୍‌କୋ ଅଧୀନକୁ ଓଟିଏମ୍‌ର ସବୁ ଜମି ଆସିଥିଲେ ବି ବର୍ତ୍ତମାନସୁଦ୍ଧା କେବଳ ୪୭୮ ଏକର ଜମି ଅଧିଗ୍ରହଣ ହୋଇପାରିଛି। ଯେଉଁଥିରୁ ୫୬ ଏକର ସଂପୃକ୍ତ ଘରୋଇ କମ୍ପାନିକୁ ଦିଆଯାଇଛି।

ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ ସେତେଶୀଘ୍ର କାମ ଆରମ୍ଭ ହେବ ବୋଲି କମ୍ପାନି କର୍ତ୍ତୃପକ୍ଷ ବାରମ୍ବାର ଘୋଷଣା କରି ଚାଲିଛନ୍ତି। କିନ୍ତୁ କେଉଁ କାରଣରୁ ଶିଳ୍ପ ଆଗକୁ ବଢ଼ିପାରୁ ନାହିଁ, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଓଟିଏମ୍‌ ବଞ୍ଚାଅ ସଂଗଠନର ଆବାହକ ଦୀପକ ରଂଜନ ବାରିକ କହିଛନ୍ତି, ୧୭ ବର୍ଷ ଧରି ଆନ୍ଦୋଳନର ପରିଣାମ ଆମେ ପାଇଛୁ। ହେଲେ ଯେପର୍ଯ୍ୟନ୍ତ କମ୍ପାନି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ନ ଦେଇଛି ଏବଂ କାର୍ଯ୍ୟ ଆରମ୍ଭ ନ ହୋଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନର ପ୍ରକୃତ ସଫଳତା ମିଳିବନି। କମ୍ପାନି ଆରମ୍ଭ ହେଲେ ୨ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ଲାଭବାନ ହେବେ। ହେଲେ କିଛି ଅଧିକାରୀଙ୍କର ଅବହେଳା ଯୋଗୁଁ ଚୌଦ୍ବାରରେ ଶିଳ୍ପର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯାଇଛି ବୋଲି ଶ୍ରୀ ବାରିକ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

Exit mobile version