ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବା ପରଠାରୁ ହିଁ ଭାରତୀୟ ବୋଲର ନିଜ ଯାଦୁ ଦେଖାଇଥିଲେ। ଦୁଇ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ନିଜ ସିମ୍ ଓ ସୁଇଂରେ ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ପୂରା ଘାଇଲା କରିଥିଲେ। ପ୍ରଥମ ସ୍ପେଲ୍‌ରେ ପ୍ରତିପକ୍ଷ ଦଳର ଶୀର୍ଷ ୪ ବ୍ୟାଟର୍‌ଙ୍କୁ ୩୦ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ପ୍ରଥମ ୭ ଓଭର ଭିତରେ ହିଁ ଭାଙ୍ଗି ଯାଇଥିଲା। ଐଦେନ ମାର୍କରାମଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ୧୦ ଓଭର ଭିତରେ ଅଧା ଦଳକୁ ହରାଇବାର ଝଟ୍‌କାରୁ ବାହାରିବାର କୌଣସି ସୁଯୋଗ ଦକ୍ଷିଣ ଆଫ୍ରିକା ସୃଷ୍ଟି କରିପାରିନଥିଲା। ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଦୁଇ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଚମତ୍କାର ଢଙ୍ଗରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ଙ୍କୁ ବାନ୍ଧି ରଖିଥିଲେ। କୁଲଦୀପ ବିଳମ୍ବରେ ଦୁଇଟି ୱିକେଟ୍ କରାୟତ୍ତ କରିଥିଲେ। ପାଣ୍ଡ୍ୟା କିନ୍ତୁ ବିପଜ୍ଜନକ ତ୍ରିଷ୍ଟନ ଷ୍ଟବ୍‌ସଙ୍କୁ ଆଉଟ୍ କରି ଟ୍ବେଣ୍ଟି-୨୦ରେ ୧,୦୦୦ ରନ୍ ଏବଂ ୧୦୦ ୱିକେଟ୍ ନେବାର ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ବରୁଣ ବି ଡୋନୋଭାନ ଫେରେରା ଓ ମା‌ର୍କୋ ୟାନ୍‌ସେନଙ୍କୁ ବୋଲ୍‌ଡ କରି ନିଜ ବିସ୍ମୟ ବୋଲର ଉପାଧିର ଯଥାର୍ଥ ସମ୍ମାନ ରଖିଥିଲେ।

ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ୨୦ ଓଭରରେ-୧୧୭ (ଐଦେନ ମାର୍କରାମ ୬୧, ଡୋନୋଭାନ ଫେରେରା ୨୦, ବରୁଣ ଚକ୍ରବର୍ତ୍ତୀ ୨/୧୧, କୁଲଦୀପ ଯାଦବ ୨/୧୨, ଅର୍ଶଦୀପ ସିଂହ ୨/୧୩, ହର୍ଷିତ ରାଣା ୨/୩୪, ଶିବମ ଦୁବେ ୧/୨୧, ହାର୍ଦିକ ପାଣ୍ଡ୍ୟା ୧/୨୩)। ଭାରତ ୧୫.୫ ଓଭରରେ-୧୨୦/୩ (ଅଭିଷେକ ଶର୍ମା ୩୫, ଶୁବମନ୍ ଗିଲ୍ ୨୮, ତିଳକ ବର୍ମା-୨୮*, ସୂର୍ଯ୍ୟକୁମାର ଯାଦବ ୧୨, ଶିବମ ଦୁବେ ୧୦*, କର୍ବିନ୍ ବସ୍ ୧/୧୮, ଲୁଙ୍ଗି ଏନ୍‌ଗିଡ଼ି ୧/୨୩)।