The Musical Sargam of Smranika: ସ୍ମରଣିକାଙ୍କ ସାଂଗୀତିକ ସାରେଗାମା…

ଫୁଲବାଲୀ, ତୋ’ରି ନାଁରେ, ଶ୍ରାବଣରେ ଶ୍ରାବଣ ଆଦି ଗୀତ ଶୁଣିଛନ୍ତି ତ! ତାହେଲେ ସେ ଗୀତ ପଛର ସୁନ୍ଦର କଣ୍ଠସ୍ୱରକୁ ବି ଜାଣିଥିବେ ନିଶ୍ଚୟ। ହଁ ଆଜ୍ଞା, ଆମେ ତାଙ୍କରି କଥା ହିଁ କହୁଛୁ; ଯିଏ ଏବେ ଲୋକଙ୍କ ପାଖରେ ଖୁବ୍‌ ପରିଚିତ। ନାଁ ତାଙ୍କର ସ୍ମରଣିକା

ଫୁଲବାଲୀ, ତୋ’ରି ନାଁରେ, ଶ୍ରାବଣରେ ଶ୍ରାବଣ ଆଦି ଗୀତ ଶୁଣିଛନ୍ତି ତ! ତାହେଲେ ସେ ଗୀତ ପଛର ସୁନ୍ଦର କଣ୍ଠସ୍ୱରକୁ ବି ଜାଣିଥିବେ ନିଶ୍ଚୟ। ହଁ ଆଜ୍ଞା, ଆମେ ତାଙ୍କରି କଥା ହିଁ କହୁଛୁ; ଯିଏ ଏବେ ଲୋକଙ୍କ ପାଖରେ ଖୁବ୍‌ ପରିଚିତ। ନାଁ ତାଙ୍କର ସ୍ମରଣିକା ନାୟକ।

ସ୍ମରଣିକାଙ୍କ ସଂଗୀତ ଯାତ୍ରା

ସ୍ମରଣିକା ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟର ବିଟେକ୍ ୪ର୍ଥ ବର୍ଷ ଛାତ୍ରୀ। ଏବେ ଏବେ ଏକ ଘରୋଇ କମ୍ପାନିରେ ନୂଆ ଚାକିରି କରିବା ସହ ସଂଗୀତ ଯାତ୍ରା ମଧ୍ୟ ଜାରି ରଖିଛନ୍ତି। ବାପା ଚିତ୍ତରଞ୍ଜନ ନାୟକ ଓ ମାଆ ମନିଷା ନାୟକଙ୍କ ଝିଅ ହେଉଛନ୍ତି ସ୍ମରଣିକା। ପିଲଦିନରୁ ସାଙ୍ଗୀତିକ ପରିବେଶ ମଧ୍ୟରେ ରହିବା ହେତୁ ତାଙ୍କର ସଂଗୀତ ପ୍ରତି ମନ ବଳିଥିଲା। ବାପା ମର୍ଚାଣ୍ଟ ନାଭିରେ କ୍ୟା‌ପ୍‌ଟେନ୍‌। ଏହସହ ସେ ଜଣେ ତବଲା ବାଦକ ଓ ଗାୟକ, ତାଙ୍କ ପିଉସୀ ଚଇତି ଘୋଡ଼ା ନାଚରେ ଗୀତ ଗାଆନ୍ତି ଏବଂ ଜଣେ ଓଡ଼ିଶୀ ଓ କ୍ଲାସିକାଲ କଣ୍ଠଶିଳ୍ପୀ। ତାଙ୍କ ଜେଜେବାପା ଯାହାଙ୍କୁ ସେ କେବେ ଦେଖି ନାହାନ୍ତି, ସେ ଜଣେ ଗାୟକ, ବାଦ୍ୟଶିଳ୍ପୀ ତଥା ଜଣେ କଥକ ନୃତ୍ୟଶିଳ୍ପୀ ଥିଲେ। ଏଣୁ ତାଙ୍କ ଉପରେ କଳାର ଛିଟା ପଡ଼ିବା ସ୍ଵାଭାବିକ। ତିନିବର୍ଷ ବୟସରୁ କଲୋନିର ମଞ୍ଚରୁ ତାଙ୍କ ସଂଗୀତ ପ୍ରୀତି ଜଣା ପଡ଼ିଲା ଏବଂ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା।

କମ୍‌ ବୟସରୁ ଗୀତ ରେକର୍ଡ କରିଥିଲେ

ମାତ୍ର ୧୦ବର୍ଷ ବୟସରେ ସେ ଶିଶୁ କଣ୍ଠଶିଳ୍ପୀ ଭାବେ ତାଙ୍କର ପ୍ରଥମ ଗୀତ ମୁଁ ‘ରୁଷିଚି କାଳିଆ ରେ’ ଗୀତ ରେକର୍ଡ କରିଥିଲେ। ସାର୍ଥକ ଟିଭିରେ ପ୍ରସାରିତ ସାରେଗାମା ପା ଲିଟିଲ୍ ଚାମ୍ପରେ ସେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ‘ତୁ ଫୁଙ୍କିଲୁ ଏମିତି’ ତାଙ୍କର ପ୍ରଥମ ମୁଖ୍ୟ କଣ୍ଠଶିଳ୍ପୀ ଭାବେ ରେକର୍ଡ ଗୀତ ଥିଲା। ଏବେ ଅନେକ ଗୀତ ମୁକ୍ତିଲାଭ କରୁଛି ଏବଂ ଆହୁରି ଅନେକ ବଜାରକୁ ଆସୁଛି।

ସଂଗୀତକୁ ନେଇ ଗବେଷଣା କରୁଥାନ୍ତି ସ୍ମରଣିକା

ସବୁବେଳେ ସଂଗୀତକୁ ନେଇ ଗବେଷଣା କରୁଥାନ୍ତି ଏବଂ ନିଜକୁ ସଜାଡ଼ିବାକୁ ଚେଷ୍ଟା କରନ୍ତି ସ୍ମରଣିକା। ଓଡ଼ିଆ ସିନେମାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଇଚ୍ଛା ରଖିଥିବା ସ୍ମରଣିକା ଭବିଷ୍ୟତରେ ବଲିଉଡ୍‌ରେ ମଧ୍ୟ ଓଡ଼ିଆ ସଂଗୀତକୁ ପରିଚିତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ କମ୍ପ୍ୟୁଟର ଇଞ୍ଜିନିୟରିଂରେ ନିଜର କ୍ୟାରିୟର ବନାଇବା ପାଇଁ ଇଚ୍ଛା ରଖିଛନ୍ତି। କାରଣ ସେ କହନ୍ତି, “ଆଇଟି ମୋ ଶରୀର ହେଲେ ସଂଗୀତ ମୋର ଆତ୍ମା”।

ଯୁବପିଢ଼ିଙ୍କୁ କ’ଣ କହନ୍ତି ସ୍ମରଣିକା:

ଭଲ ସଂଗୀତ ଶୁଣନ୍ତୁ, ସଂଗୀତ ତାଲିମ ନିଅନ୍ତୁ, ଟେକନିକ୍‌କୁ ଜାଣନ୍ତୁ ଏବଂ ସବୁଠୁ ବଡ଼ କଥା ନିଜ କଣ୍ଠର ସ୍ବତନ୍ତ୍ରତା ଅନୁସାରେ ହିଁ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version