Thieves Trapped: ଚୋରି କରିବାକୁ ପଶିଥିଲେ, ଦୋକାନ ଭିତରେ ଫସିଗଲେ ! ‘ସାର୍ ବଞ୍ଚାନ୍ତୁ’ କହି ପୁଲିସକୁ ଫୋନ୍ କଲେ ଚୋର

ଗୁଜରାଟ, ୨୧।୮: ଗୁଜରାଟର ଭାଲସାଦ ଜିଲ୍ଲାରୁ ଏକ ଅଜବ ଏବଂ ହସିବା ଭଳି ଘଟଣା ସାମ୍ନାକୁ ଆସିଛି । ଚୋରି କରିବାକୁ ଯାଇ ଦୋକାନ ଭିତରେ ଫସିଯାଇଥିବା ଦୁଇ ଚୋର ପ୍ରାଣ ବିକଳରେ ନିଜେ ପୁଲିସକୁ ଫୋନ୍ କରି ସାହାଯ୍ୟ ମାଗିଥିଲେ । ବାହାରେ ଲୋକଙ୍କ ଭିଡ଼ ଜମା ହୋଇଯିବା ଏବଂ ମାଡ଼ ଖାଇବାର ଭୟରୁ ସେମାନେ ଏଭଳି ପଦକ୍ଷେପ ନେଇଥିଲେ । ଗତ ବୁଧବାର ବିଳମ୍ବିତ ରାତିରେ ପୁଲିସ ହେଲ୍ପଲାଇନ୍ ନମ୍ବର ୧୧୨ କୁ ଏକ କଲ୍ ଆସିଲା । ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ, “ସାର୍, ଆମେ ଦୁଇଜଣ ଚୋରି କରିବାକୁ ଆସିଥିଲୁ, କିନ୍ତୁ ଲୋକେ ଶଟର୍ ଟାଣି ଦେଇଛନ୍ତି । ଆମେ ଭିତରେ ଫସିଯାଇଛୁ, ଦୟାକରି ଆମକୁ ବଞ୍ଚାନ୍ତୁ ।” ଗୁଜରାଟର ଭାଲସାଦ ଜିଲ୍ଲା ଅନ୍ତର୍ଗତ ଉମରଗାମ ସବ୍-ଡିଭିଜନ୍ ସ୍ଥିତ ସଂଜନ ଗାଁର ‘ବିଜେ ଜୁଏଲର୍ସ’ ତାଡ଼ି ଏହି ଦୁଇ ଚୋର ଭିତରେ ପଶିଥିଲେ ।
ଏହି ଅଞ୍ଚଳ ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ୍ ସୀମା ସଂଲଗ୍ନ ହୋଇଥିବାରୁ ଅପରାଧୀମାନେ ସହଜରେ ସୀମା ପାର କରି ପଳାଇଥାନ୍ତି । କିନ୍ତୁ ଏଥର ଦିନେଶ ସୋନକର ଓ ବିପିନ ପାଠକ ନାମକ ଦୁଇ ଚୋରଙ୍କ ଯୋଜନା ଓଲଟା ପଡ଼ିଗଲା । ଦୋକାନର ତାଲା ଭଙ୍ଗାଯାଉଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ବାହାରୁ ଶଟର୍ ବନ୍ଦ କରିଦେଇଥିଲେ । ବାହାରେ ଉତକ୍ଷିପ୍ତ ଲୋକଙ୍କ ଭିଡ଼ ଜମିଯିବାରୁ ଚୋର ଦୁଇଜଣ ଭୟଭୀତ ହୋଇ ପୁଲିସର ସାହାଯ୍ୟ ଲୋଡ଼ିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକେ ବାଡ଼ି ଧରି ଶଟର୍ ଖୋଲିବାକୁ ଚେଷ୍ଟା କରୁଥିଲେ । ପୁଲିସ ଉଭୟ ଚୋରଙ୍କୁ ଉଦ୍ଧାର କରି ଗିରଫ କରିବା ସହ କିଛି ଗହଣା ଏବଂ ଚୋରିରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି । ବର୍ତ୍ତମାନ ସେମାନଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି ।
ସୌଜନ୍ୟ ପ୍ରମେୟ




