ଦେଶ ବିଦେଶ

Toll Plaza: ମାର୍ଚ୍ଚ ସୁଦ୍ଧା ବାଧାହୀନ ଟୋଲ୍‌ ପ୍ଲାଜା: ସରକାର ବର୍ଷକୁ ୨୫ହଜାର କୋଟି ପାଇବେ

ଟୋଲ୍‌ପ୍ଲାଜାରେ ନ ଅଟକି ଯାତ୍ରା କରିବାର ଅଭିଳାଷ ଶୀଘ୍ର ପୂରଣ ହେବାକୁ ଯାଉଛି। ଦେଶରେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବାଧାହୀନ ଟୋଲ ବ୍ୟବସ୍ଥା ଲାଗୁ କରାଯିବ ବୋଲି ‌କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।

ନୂଆଦିଲ୍ଲୀ: ଟୋଲ୍‌ପ୍ଲାଜାରେ ନ ଅଟକି ଯାତ୍ରା କରିବାର ଅଭିଳାଷ ଶୀଘ୍ର ପୂରଣ ହେବାକୁ ଯାଉଛି। ଦେଶରେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବାଧାହୀନ ଟୋଲ ବ୍ୟବସ୍ଥା ଲାଗୁ କରାଯିବ ବୋଲି ‌କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଫାସ୍‌ଟ୍ୟାଗ୍‌ ଜରିଆରେ ଏହି ଲକ୍ଷ୍ୟ ହାସଲ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୭୦ ପ୍ରତିଶତ ଟୋଲ୍‌ ପ୍ଲାଜାରେ ବାଧାହୀନ ବ୍ୟବସ୍ଥା ପ୍ରସ୍ତୁତ ହୋଇଯିବ। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଫାସ୍‌ଟ୍ୟାଗ୍‌ ଲାଗୁ ହେବା ପରେ ଟୋଲ୍‌ ସଂଗ୍ରହ ପ୍ରାୟ ୭୦୦୦ କୋଟି ଟଙ୍କା ବଢ଼ିଛି। ଫଳରେ ମୋଟ୍‌ ଟୋଲ ସଂଗ୍ରହ ପରମାଣ ୮୨ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଇଲେକ୍ଟ୍ରୋନିକ୍ସ ଟୋଲ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଲାଗୁ କରାଯିବା ପରେ କେବଳ ସଡ଼କ ପରିବହନ ମନ୍ତ୍ରଣାଳୟରୁ କେନ୍ଦ୍ର ସରକାର ବାର୍ଷିକ ୨୫ ହଜାର କୋଟି ଟଙ୍କାର ଅଧିକ ରାଜସ୍ବ ପାଇପାରିବେ। ବାଧାହୀନ ଟୋଲ୍‌ ବ୍ୟବସ୍ଥାରେ ଫାସ୍‌ଟ୍ୟାଗ୍‌ ଓ ନମ୍ବରପ୍ଲେଟ୍‌କୁ ସ୍ବୟଂକ୍ରିୟ ଭାବେ ଚିହ୍ନଟ କରିବା ପ୍ରଯୁକ୍ତି ଜରିଆରେ ଟୋଲ୍‌ ସଂଗ୍ରହ କରାଯିବ। ଗାଡ଼ି ଟୋଲ୍‌ ପ୍ଲାଜା ଦେଇ ଗତି କରିବା ବେଳେ ସେଠାରେ ଲାଗିଥିବା କ୍ୟାମେରା ନମ୍ବର ପ୍ଲେଟ୍‌କୁ ଚିହ୍ନଟ କରି ଗାଡ଼ି ସମ୍ପର୍କିତ ତଥ୍ୟ ହାସଲ କରିବ ଓ ସେଥିରେ ଲାଗିଥିବା ଫାସ୍‌ଟ୍ୟାଗ୍‌ ଖାତାରୁ ଟୋଲ୍‌ କାଟିନେବ। ଫଳରେ ଗାଡ଼ିକୁ ଆଉ ଟୋଲ୍‌ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ।

ଫାସ୍‌ଟ୍ୟାଗ୍‌ ପୋର୍ଟେବିଲିଟି ବ୍ୟବସ୍ଥା ‘ୱାନଟ୍ୟାଗ୍‌’ ସମ୍ପର୍କରେ ସେ କହିଥିଲେ, ଏହି ବ୍ୟବସ୍ଥାକୁ ମୁମ୍ବାଇରେ ଲାଗୁ କରାଯାଇଛି। ଏହି ବ୍ୟବସ୍ଥାରେ ରାଜମାର୍ଗ ଆପ୍‌ ଜରିଆରେ ଗାଡ଼ି ମାଲିକମାନେ ନିଜ ଫାସ୍‌ଟ୍ୟାଗ୍ ଷ୍ଟିକର୍‌ ନ ବଦଳାଇ ବ୍ୟାଙ୍କ ବଦଳାଇପାରିବେ। ପ୍ରତ୍ୟକ୍ଷ ସଡ଼କ ଭିତ୍ତିଭୂମି, ଡିଜିଟାଲ ପେମେଣ୍ଟ ଓ ଡାଟାକୁ ଏକତ୍ରୀତ କରି ପରିବହନ ନେଟ୍‌ୱର୍କକୁ ଅଧିକ ପାରଦର୍ଶୀ ଓ ସ୍ବଚ୍ଛ କରାଯାଇପାରିବ। ଟୋଲ୍‌ ପ୍ଲାଜାରେ ଗାଡ଼ି ଅଟକିବା ସମୟ ଆହୁରି କମିଲେ ତେଲରେ ୫୨୫୦ କୋଟି ଟଙ୍କା ସଞ୍ଚୟ ହେବ। ଟୋଲ ସଂଗ୍ରହରେ ପ୍ରଯୁକ୍ତି ବ୍ୟବହାର କରାଯିବା ପରଠାରୁ ତାହାର ଅନେକ ଅର୍ଥନୈତିକ ଓ ପରିବେଶଗତ ଲାଭ ମିଳିଛି। ପୂର୍ବରୁ ଗାଡ଼ିଗୁଡ଼ିକୁ ‌ଟୋଲ ପ୍ଲାଜାରେ ହାରାହାରି ୧୨ ମିନିଟ୍‌ ଅଟକିବାକୁ ପଡ଼ୁଥିଲା। ଏବେ ତାହା ଅଳ୍ପ କିଛି ସେକେଣ୍ଡକୁ ହ୍ରାସ ପାଇଛି। ଟୋଲ୍‌ ପ୍ଲାଜା ପରିଚାଳନା ଖର୍ଚ୍ଚ ୨-୩ ପ୍ରତିଶତକୁ ଖସିଆସିଛି ଯାହା ପୂର୍ବରୁ ୧୨ ପ୍ରତିଶତ ରହୁଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button