ରାଜ୍ୟ

Crocodile attack : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ବହୁ ଖୋଜାଖୋଜି ପରେ ବି ମିଳିଲାନି ପତ୍ତା

ରାଜକନିକା, ୨୬/୮ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତର ଦ୍ୱୀପ ଗ୍ରାମ ଗଙ୍ଗାଧର ପ୍ରସାଦ ଡିଆରେ ଏକ ଅଘଟଣ ଘଟିଛି । ଗାଁର ପାରେଶ୍ୱର ବେହେରା ଓରଫ ହଡ଼ା(୫୫) ମଙ୍ଗଳବାର ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ନଦୀ ପାର ପାଇଁ ଘାଟ ଡଙ୍ଗା ନିକଟକୁ ପାଣିରେ ପଶି ଆସିବା ମାତ୍ରେ ଏକ କୁମ୍ଭୀର ତାଙ୍କୁ ଝାମ୍ପି ନେଇ ନଦୀ ଭିତରକୁ ପଳାଇଥିଲା । ପାରେଶ୍ୱରଙ୍କ ପଛରେ ଥିବା ବନମାଳି ପ୍ରଧାନ, ଶରତ ବେହେରା ଓ ସୁରେଶ ବେହେରା ପ୍ରମୁଖ ଏହା ଦେଖି ଡାକ ପକାଇବାରୁ ଗାଁ ଲୋକେ ଏକାଠି ହୋଇ ସେହି ଘାଟ ଡଙ୍ଗା ନେଇ ନଦୀରେ ଖୋଜିବା ସହ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କୁମ୍ଭୀର ନଦୀ ମଧ୍ୟରେ ପାରେଶ୍ୱରଙ୍କୁ ମଝିରେ ମଝିରେ ଉପରକୁ ଫିଙ୍ଗି ପୁଣି ଧରିବାର ଦୃଶ୍ୟ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ପ୍ରାୟ ୧୦ଟି ବୋଟ୍‌ରେ ୩୦୦ରୁ ଅଧିକ ଲୋକ ଖରସ୍ରୋତା ନଦୀରେ ସନ୍ଧ୍ୟା ଯାଏ ଖୋଜାଖୋଜି କରିଥିଲେ ହେଁ ପାରେଶ୍ୱରଙ୍କ ପତ୍ତା ମିଳି ନଥିଲା । ଖବର ପାଇ ରାଜକନିକା ବିଡିଓ, କନିକା ତହସିଲଦାର, ଥାନାଧିକାରୀ ଆସି ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲେ

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ ସରକାରଙ୍କ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବହୁ ଲୋକ କୁମ୍ଭୀର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପାରେଶ୍ୱର ଅବିବାହିତ ଥିଲେ ଓ ସେ ପରିବାରର ଦ୍ୱିତୀୟ ସନ୍ତାନ ଥିଲେ । ସୂଚନାଯୋଗ୍ୟ ଯେ, ୨୦୧୨ରେ ଉମାକାନ୍ତ ବେହେରାଙ୍କୁ କୁମ୍ଭୀର ଆକ୍ରମଣ କରି ମାରି ଦେଇଥିବା ବେଳେ ୨୦୧୪ରେ ଅବଳି ବେହେରା କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗାଁର ୫ଟି ଗାଈଙ୍କୁ କୁମ୍ଭୀର ଖାଇଯିବା ସହ ସବୁଦିନ ଗାଁର ବିଭିନ୍ନ ସ୍ଥାନରେ କୁମ୍ଭୀର ଶୋଇ ରହୁଥିବାରୁ ଆମେ କେତେଦିନ ଏମିତି ଡଙ୍ଗାକୁ ଭରସା କରି ବଞ୍ଚିବୁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button