କଂଗ୍ରେସର ଅନ୍ତଃକନ୍ଦଳରେ ଯବନିକା ପଡ଼ିବାର ନାଁ ଧରୁନି। ୨୦୨୫ରେ ଭକ୍ତଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି କରାଗଲା। ଦଳର ସଂଗଠନକୁ ସକ୍ରିୟ କରିବା ପାଇଁ ଭକ୍ତ ବେଶ୍ ତତ୍ପରତା ଦେଖାଇଛନ୍ତି। ଅନେକ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣି ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ କରୁଥିବାର ସମସ୍ତେ ଅନୁଭବ କରୁଥିଲେ। ବିଜେଡି ଏବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିଲେ ମଧ୍ୟ କଂଗ୍ରେସ ପ୍ରଭାବୀ ଢଙ୍ଗରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଥିଲା। ରାହୁଲ ଗାନ୍ଧୀ ଭୁବନେଶ୍ବର ଆସି ନେତାମାନଙ୍କୁ ବଳ ଦେଇଥିଲେ। କିନ୍ତୁ କଂଗ୍ରେସ ପ୍ରତି ଧାରଣା ବଦଳୁଥିଲେ ବି ତାହା ଯେ ଭୋଟରେ ରୂପାନ୍ତରିତ ଏ ଯାଏଁ ହୋଇପାରିନି, ତାହା ନୂଆପଡ଼ା ଉପନିର୍ବାଚନ ପ୍ରମାଣିତ କରିଦେଲା। ନୂଆପଡ଼ାରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଲା ସତ, କିନ୍ତୁ କଂଗ୍ରେସ ପ୍ରାର୍ଥୀ ଗତ ନିର୍ବାଚନରେ ସ୍ବାଧୀନ ଭାବେ ଯେତିକି ଭୋଟ ପାଇଥିଲେ ତାହାଠାରୁ କମ୍ ପାଇଲେ। ତେଣୁ କଂଗ୍ରେସ ପାଇଁ ଏହି ଦ୍ବିତୀୟ ସ୍ଥାନ ଆଦୌ ଆଶ୍ବସ୍ତି ଆଣି ନଥିଲା। ପୁଣି ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ରାସ୍ତାକୁ ଆସିଗଲାଣି। ବରିଷ୍ଠ ନେତା ମହମ୍ମଦ ମୋକିମ ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳ ଭିତରେ ନେତୃତ୍ବକୁ ନେଇ ବୟାନବାଜି ବି ଆରମ୍ଭ ହୋଇଗଲାଣି। ଦଳର ଛକାପଞ୍ଝା ଏବେ ଖୋଲାଖୋଲି ଆଗକୁ ଆସିଲାଣି। ତେଣୁ ସବୁ ବରିଷ୍ଠ ନେତାଙ୍କୁ ମନାଇ ଏବଂ ଯୁବ ନେତାଙ୍କୁ ଆଗକୁ ଆଣି କଂଗ୍ରେସକୁ କିପରି ସଭାପତି ଉପସ୍ଥାପିତ କରିବେ, ତାହା ୨୦୨୬ରେ ଏକ ବଡ଼ ଆହ୍ବାନ ହେବ। ଏହି ବର୍ଷ ହିଁ ଜଣାପଡ଼ିଯିବ ବିଜେପି ବିରୋଧରେ ଆର୍ ପାର୍ ଲଢ଼େଇ ପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରିଲାଣି ନା ନାହିଁ।