Trump: ପୁଣି ଶୁଳ୍କ ଧମକ ଦେଲେ ଟ୍ରମ୍ପ: ଔଷଧ ଉପରେ ୧୦୦% ଲଗାଇବେ

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସହ ସାରା ବିଶ୍ବ ସଂଘର୍ଷ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ପେଟେଣ୍ଟ୍‌ ହୋଇଥିବା ଔଷଧଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି।

ୱାସିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସହ ସାରା ବିଶ୍ବ ସଂଘର୍ଷ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ପେଟେଣ୍ଟ୍‌ ହୋଇଥିବା ଔଷଧଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି। କିନ୍ତୁ ଆମେରିକା ସହିତ ରାଜିନାମା କରି କମ୍ପାନିଗୁଡ଼ିକ ଏହି ଶୁଳ୍କକୁ ଏଡ଼ାଇ ଦେଇ ପାରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଆମେରିକାରେ ପ୍ରମୁଖ ଔଷଧଗୁଡ଼ିକୁ ନିର୍ମାଣ କରି ଦେଶର ସୁରକ୍ଷାଜନିତ ବିପଦକୁ ଦୂର କରିବା ପାଇଁ ଟ୍ରମ୍ପ ଏଭଳି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୯ ଜାନୁଆରିରେ ଶେଷ ହେବା ପୂର୍ବରୁ ଯେଉଁ କମ୍ପାନିଗୁଡ଼ିକ ଆମେରିକାରେ ଉତ୍ପାଦନ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେବେ ସେମାନଙ୍କ ଉପରେ କମ୍‌ ଅର୍ଥାତ୍‌ ୨୦ ପ୍ରତିଶତ ଶୁଳ୍କ ଲଗାଯିବ। ଯେଉଁ କମ୍ପାନି ଆମେରିକା ପ୍ରଶାସନ ସହିତ ମୂଲ୍ୟ ରାଜିନାମା କରିବେ ସେମାନଙ୍କ ଉପରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ତେବେ ଗତବର୍ଷ ୟୁରୋପ, ସ୍ବିଜରଲ୍ୟାଣ୍ଡ୍‌, ବ୍ରିଟେନ, ଦକ୍ଷିଣ କୋରିଆ ଓ ଜାପାନ ଉପରେ କମ୍‌ ଶୁଳ୍କ ଲଗାଯିବା ନେଇ ଯେଉଁ ରାଜିନାମା ଆମେରିକା କରିଛି ତାହାକୁ ପାଳନ କରାଯିବ ବୋଲି କୁହାଯାଇଛି।

ୟୁରୋପୀୟ ସଂଘ, ଜାପାନ, ଦକ୍ଷିଣ କୋରିଆ ଓ ସ୍ବିଜରଲ୍ୟାଣ୍ଡ୍‌ରେ ପ୍ରସ୍ତୁତ ଔଷଧ ଉପରେ ଶୁଳ୍କ ୧୫% ରଖାଯାଇଛି। ବ୍ରିଟେନ୍‌ ପାଇଁ ସ୍ବତନ୍ତ୍ର ରାଜିନାମା ହୋଇଛି। ଶୁଳ୍କ ରିହାତି ସଂକ୍ରାନ୍ତ ରାଜିନାମା ପାଇଁ ବଡ଼ କମ୍ପାନିଗୁଡ଼ିକୁ ୧୨୦ ଦିନ ଏବଂ ଛୋଟ ଓ ମଧ୍ୟମଧରଣର କମ୍ପାନିଗୁଡ଼ିକୁ ୧୮୦ ଦିନର ସମୟ ଦିଆଯାଇଛି। ଟ୍ରମ୍ପଙ୍କ ଏଭଳି ଧମକ ଆମେରିକାରେ ବିଦେଶୀ ଔଷଧ କମ୍ପାନିଗୁଡ଼ିକୁ କାରଖାନା ସ୍ଥାପନ ପାଇଁ ବାଧ୍ୟ କରିପାରେ। ୧୭ଟି ଔଷଧ କମ୍ପାନି ଆମେରିକା ସର୍ତ୍ତରେ ସହମତ ହୋଇଛନ୍ତି। ଏଥିସହିତ ପୂର୍ବରୁ ଇସ୍ପାତ, ଆଲୁମିନିୟମ ଏବଂ ତମ୍ବା ଉପରେ ଲଗାଯାଇଥିବା ଶୁଳ୍କ ବ୍ୟବସ୍ଥାକୁ ଟ୍ରମ୍ପ ବଦଳାଇଛନ୍ତି। ଏସବୁ ଧାତୁକୁ ଉପଯୋଗ କରାଯାଇ ନିର୍ମିତ କେତେକ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯାଇଛି। ସେହିଭଳି ଶୁଳ୍କ ପ୍ରଦାନ ସଂକ୍ରାନ୍ତ ନିୟମ ପାଳନକୁ ସହଜ କରାଯାଇଛି। ଆମଦାନିକାରୀମାନେ ଯେପରି ଏଭଳି ସାମଗ୍ରୀର ଆମଦାନି ମୂଲ୍ୟକୁ କମ୍‌ କରି ଟିକସ ଫାଙ୍କି ପାରିବେ ନାହିଁ ସେ ଲାଗି ପଦକ୍ଷେପ ନିଆଯାଇଛି। କିନ୍ତୁ ବାଣିଜ୍ୟ ଆଇନ ୧୯୭୪ର ଧାରା ୨୩୨ ଅନୁସାରେ ଇସ୍ପାତ, ଆଲୁମିନିୟମ ଏବଂ ତମ୍ବା ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ ବଳବତ୍ତର ରହିବ। ତେବେ ଏସବୁ ସାମଗ୍ରୀର ବିକ୍ରି ମୂଲ୍ୟ ଏବଂ ପ୍ରଭାବୀ ଶୁଳ୍କ କେତେ ରହିବ ତାହା ହଠାତ୍‌ ସ୍ପଷ୍ଟ ହୋଇନାହିଁ।

ସୌଜନ୍ୟ ସମ୍ବାଦ

Exit mobile version