ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନରମ ଆଭିମମୁଖ୍ୟ ପୋଷଣ କରିବାକୁ ଯାଇ ୨୫୪ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କ କମାଇଛନ୍ତି। ଏହା ଭାରତ ପାଇଁ ମଧ୍ୟ ପ୍ରଜୁଯ୍ୟ। ଏଥିଯୋଗୁ ଭାରତର କଫି, ଚା, ଫଳ, କାଜୁ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ୫୦ ପ୍ରତିଶତରୁ ଶୂନ ପ୍ରତିଶତକୁ କମିବ ବୋଲି ଏ ସଂର୍ପକରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି।
ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗତ ୧୪ ତାରିଖରେ ଏକ ସଂଶୋଧିତ ତାଲିକା (ଅନେକ୍ସଚର-୨) ଜାରି କରାଯାଇଛି। ଚଳିତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ପାଲଟା ଶୁଳ୍କ ଏଥିରେ ରହିଛି। ନଭେମ୍ବର ୧୩ରୁ ସଂଶୋଧିତ ଶୁଳ୍କକୁ କାର୍ଯ୍ୟକାରୀ କରାଯାଇଛି। ଅଧିକାରୀମାନଙ୍କ ଠାରୁ ମିଳିଥିବା ଅତିରିକ୍ତ ସୂଚନା ଏବଂ ସୁପାରିସ ଆଧାରରେ ଟ୍ରମ୍ପ ପାଲଟା ଶୁଳ୍କରେ ଏହି ହ୍ରାସ କରିଛନ୍ତି। ୨୫୪ଟି ସାମଗ୍ରୀକୁ ପାଲଟା ଶୁଳ୍କରୁ ବାଦ୍ ଦିଆଯାଇଥିବାବେଳେ ଏଥିରେ ୨୨୯ଟି କୃଷି ସାମଗ୍ରୀ ରହିଛି। ଆମେରିକାକୁ ୨୦୨୪ରେ ଭାରତ କରିଥିବା ୫.୭ ବିଲିଅନ ଡଲାରର କୃଷି ସାମଗ୍ରୀ ରପ୍ତାନି ମଧ୍ୟରୁ ୧ ବିଲିଅନ ଡଲାରରୁ ଅଧିକ ରପ୍ତାନି ଏହାଦ୍ବାରା ଲାଭବାନ ହେବ। ଆମେରିକା ଭାରତରୁ ୪୮ ପ୍ରକାରର ଫଳ, କାଜୁ ଓ ଏହିଜାତୀୟ ସାମଗ୍ରୀ ଆମଦାନି କରିଥାଏ। କଫି, ଚା’ ଏବଂ କୋକୋଆରୁ ପ୍ରସ୍ତୁତ ୫୦ଟି ପ୍ରକ୍ରିୟାକୃତ ଖାଦ୍ୟ ଭାରତରୁ ଆମେରିକା ଆମଦାନୀ କରିଥାଏ। ଅଳ୍ପ କେତୋଟିକୁ ଛାଡ଼ି ଦେଲେ ଭାରତ ଆମେରିକାକୁ ବ୍ୟାପକ ବର୍ଗର ମସଲା ରପ୍ତାନି କରିଥାଏ।
ଏହାର ମୂଲ୍ୟ ପ୍ରାୟ ୩୫୮.୬୬ ନିୟୁତ ଡଲାର। ସେହିଭଳି ୧୨ ପ୍ରକାରର ଚା ଓ କଫି ସାମଗ୍ରୀ ରପ୍ତାନି କରିଥାଏ ଯାହାର ମୂଲ୍ୟ ୮୨.୫ ନିୟୁତ ଡଲାର। ଯଦିଓ ମୂଲ୍ୟଦୃଷ୍ଟିରୁ ଏହା ସେତେଟା ଅଧିକ ନୁହେଁ ତଥାପି ଭାରତର ଶ୍ରମଭିତ୍ତିକ କୃଷି କ୍ଷେତ୍ର ପାଇଁ ଏହାର ଅନେକ ଗୁରୁତ୍ବ ରହିଛି। ଭାରତର କୃଷିସାମଗ୍ରୀ ରପ୍ତାନିକାରୀମାନଙ୍କୁ ବଜାରରେ ପ୍ରତିଯୋଗିତା କରିବା ସହଜ ହେବ। ଶୁଳ୍କ ହ୍ରାସ ଫଳରେ ଭାରତର କୃଷି ସମୁଦାୟ ଲାଭବାନ ହେବେ। ବିଶ୍ଳେଷକଙ୍କ ମତରେ କିଛି ଦିନଧରି ମାନ୍ଦା ରହିଥିବା ଚାହିଦାକୁ ବଢ଼ାଇବାରେ ଏହା ସାହାଯ୍ୟ କରିବ। ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ପରେ ତାଙ୍କ ଦେଶରେ ଦରଦାମ ସ୍ଥିତି ବେଲଗାମ ହୋଇପଡିଛି। ଦେଶବାସୀଙ୍କୁ ମହଙ୍ଗାରୁ ଆଶ୍ୱସ୍ତି ଦେବା ପାଇଁ ସେ ଖାଦ୍ୟ ସାମଗ୍ରୀ ଉପରୁ ଶୁଳ୍କ କମ୍ କରିଛନ୍ତି।
ୟୁରୋପୀୟ ସଂଘ (ଇୟୁ) ଓ ଭିଏତନାମ ଉପରେ ୧୫–୨୦% ଶୁଳ୍କ ଲାଗିଛି। ଟ୍ରମ୍ପ ଭାରତ ଉପରେ ଶୁଳ୍କ ଦ୍ୱିଗୁଣିତ କରି ୫୦%କୁ ବଢ଼ାଇବା ପରେ ଭାରତୀୟ ଚା, କଫି, ମସଲା ଏବଂ କାଜୁରପ୍ତାନିକାରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ପାଲଟା ଶୁଳ୍କ ୨୫ ପ୍ରତିଶତ ଥିବାବେଳେ ରୁଷ୍ରୁ ତେଲ କିଣୁଥିବାରୁ ଜରିମାନା ଭାବେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଭାରତୀୟ ରପ୍ତାନିକାରୀ ମହାସଂଘ (ଏଫଆଇଇଓ) ମହାନିର୍ଦ୍ଦେଶକ ଅଜୟ ସହାୟ କହିଛନ୍ତି ଯେ ଶୁଳ୍କରେ ହୋଇଥିବା ହ୍ରାସରୁ ୨.୫ ବିଲିୟନ୍ ଡଲାରରୁ ୩ ବିଲିୟନ୍ ଡଲାର ମୂଲ୍ୟର ରପ୍ତାନି ଲାଭ ମିଳିପାରିବ। ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଜାରି ରହିଥିବା ବାଣିଜ୍ୟ ଆଲୋଚନା ପାଇଁ ଏହି ଶୁଳ୍କ ହ୍ରାସ ଏକ ସକାରାତ୍ମକ ସଂକେତ। ଚଳିତ ବର୍ଷର ଶୁଳ୍କ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିବା ରପ୍ତାନିର କିଛି ଅଂଶ ଭରଣା ହୋଇପାରିବ।
ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ ଲବି ଗ୍ରୁପ୍ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ଆମେରିକାକୁ ମୁଖ୍ୟତଃ ମସଲା, ଟମାଟୋ, ଫଳ, କଦଳୀ ଏବଂ ଫଳର ରସ ଆଦି ଅଧିକ ପଠାଇ ଶୁଳ୍କ ହ୍ରାସର ଲାଭ ନେଇପାରିବ।
ସୌଜନ୍ୟ – ସମ୍ବାଦ

