U-19 World Cup: ଭାରତ ୨୦୪ ରନ୍ରେ ଜିମ୍ବାୱେକୁ ହରାଇଲା
ଚଳିତ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ସୁପର୍ସିକ୍ସ ମ୍ୟାଚ୍ରେ ଭାରତ ୨୦୪ ରନ୍ର ବୃହତ୍ ବ୍ୟବଧାନରେ ଜିମ୍ବାୱେକୁ ହରାଇ ତା’ର ଅପରାଜେୟ ଧାରା ଜାରି ରଖିଛି। ମଙ୍ଗଳବାର ଭାରତୀୟ ଦଳ ୩୫୩ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା।

ବୁଲାୱାଓ: ଚଳିତ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ସୁପର୍ସିକ୍ସ ମ୍ୟାଚ୍ରେ ଭାରତ ୨୦୪ ରନ୍ର ବୃହତ୍ ବ୍ୟବଧାନରେ ଜିମ୍ବାୱେକୁ ହରାଇ ତା’ର ଅପରାଜେୟ ଧାରା ଜାରି ରଖିଛି। ମଙ୍ଗଳବାର ଭାରତୀୟ ଦଳ ୩୫୩ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହି ରନ୍ ପାହାଡ଼ ଚାପରେ ଚାପି ହୋଇ ଜିମ୍ବାୱେର ପଶ୍ଚାତ୍ଧାବନ କେବଳ ୩୭.୪ ଓଭରରେ ଶେଷ ହୋଇଯାଇଥିଲା। ଭାରତୀୟ ବୋଲର୍ଙ୍କ ସଠିକ୍ ମୁକାବିଲା କରି ନପାରି ଘରୋଇ ଦଳ୧୪୮ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶତକୀୟ ପାଳି ଖେଳିଥିବା ବିହାନ ମାଲହୋତ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଶୁଖିଲା ଓ ବାଦଲବିହୀନ ସହ ଦ୍ରୁତ ଆଉଟ୍ ଫିଲ୍ଡ ସତ୍ତ୍ବେ ଜିମ୍ବାୱେ ଆଜି ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।
ପଞ୍ଚମ ଓଭରରେ ଓପନର୍ ଆରୋନ ଜର୍ଜଙ୍କୁ ହରାଇବା ସତ୍ତ୍ବେ ବିସ୍ମୟ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ୨୪ ବଲ୍ ଅର୍ଦ୍ଧଶତକ ବଳରେ ଭାରତ କିନ୍ତୁ ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ହରାଇ ୯୯ ରନ୍ ସଂଗ୍ରହ କରି ନେଇଥିଲା। ହେଲେ ଜିମ୍ବାୱେ ବୋଲର୍ ତତେଣ୍ଡା ଚିମୁଗୋରୋ ଗୋଟିଏ ଓଭରରେ ବୈଭବଙ୍କ ସହ ଅଧିନାୟକ ଆୟୁଷ ମହାତ୍ରେଙ୍କୁ ଆଉଟ୍ କରି ଭାରତକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ବେଦାନ୍ତ ତ୍ରିବେଦୀ ମଧ୍ୟ ବେଶି ସମୟ କ୍ରିଜ୍ରେ ରହି ପାରି ନଥିଲେ।
ଭାରତ ୧୪୦ ରନ୍ରେ ୪ ୱିକେଟ୍ ହରାଇ ସଂଘର୍ଷ କରୁଥିଲା ବେଳେ କିନ୍ତୁ ବିହାନ ମାଲହୋତ୍ରା ଓ ଅଭିଜ୍ଞାନ କୁଣ୍ଡୁ ପଞ୍ଚମ ୱିକେଟ୍ ଭାଗୀଦାରରେ ୧୧୩ ରନ୍ ଯୋଡ଼ି ପୁଣି ଥରେ ଭାରତକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ। ବିହାନ ୧୦୪ ବଲ୍ରୁ ଶତକ ଅର୍ଜନ କରି ଜିମ୍ବାୱେ ବୋଲରଙ୍କୁ ନୟାନ୍ତ କରିଥିଲେ। ଶେଷ ଓଭରଗୁଡ଼ିକରେ ଖିଲାନ ପଟେଲ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୨ ବଲ୍ରୁ ୩୦ ରନ୍ କରିବା ପରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୫୨ ରନ୍ କରି ନେଇଥିଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ-୩୫୨/୮ (ବିହାନ ମାଲହୋତ୍ରା ୧୦୯*, ଅଭିଜ୍ଞାନ କୁଣ୍ଡୁ ୬୧, ବୈଭବ ସୂର୍ଯ୍ୟବଂଶୀ ୫୨, ଖିଲାନ ପଟେଲ ୩୦, ତତେଣ୍ଡା ଚିମୁଗୋରୋ ୩/୪୯, ଶିମ୍ବାରସେ ମୁଜେଙ୍ଗେରେ ୨/୫୧)। ଜିମ୍ବାୱେ ୩୭.୪ ଓଭରରେ-୧୪୮ (ଲିରୟ ଚିୟୁଲା ୬୨, କିଆନ ବ୍ଲିଗନଟ୍ ୩୭, ତତେଣ୍ଡା ଚିମୁଗୋରୋ ୨୯, ଆୟୁଷ ମହାତ୍ରେ ୩/୧୪, ଉଦ୍ଧବ ମୋହନ ୩/୨୦, ଆର୍ଏସ୍ ଅମ୍ବ୍ରିସ ୨/୧୯)।
ସୌଜନ୍ୟ ସମ୍ବାଦ




