ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବଡ଼ ଘୋଷଣା କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଛନ୍ତି। ପୃଥିବୀ ବାହାରେ ଜୀବନ ବା ‘ଏଲିଏନ୍’ ଏବଂ ଆକାଶରେ ଦେଖାଯାଉଥିବା ଅଜଣା ବସ୍ତୁ (ୟୁଏଫ୍ଓ) ସମ୍ପର୍କିତ ସମସ୍ତ ଗୁପ୍ତ ସରକାରୀ ଫାଇଲକୁ ସାର୍ବଜନୀନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ ରେ ଏକ ପୋଷ୍ଟ କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ ଲେଖିଛନ୍ତି ଯେ, ଏଲିଏନ୍ ଏବଂ ୟୁଏଫ୍ଓ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ତେଣୁ ସେ ଆମେରିକା ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ) ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସରକାରୀ ସଂସ୍ଥାଗୁଡ଼ିକୁ ଏହି ବିଷୟରେ ଥିବା ସମସ୍ତ ଗୁପ୍ତ ତଥ୍ୟ ଚିହ୍ନଟ କରି ସେଗୁଡ଼ିକୁ ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏଥିରେ ଅନ୍ୟାନ୍ୟ ରହସ୍ୟମୟ ମହାକାଶୀୟ ଘଟଣା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ସାମିଲ ରହିବ।
ସୂଚନାଯୋଗ୍ୟ, ଦଶନ୍ଧି ଦଶନ୍ଧି ଧରି ଆମେରିକା ସରକାର ଏଲିଏନ୍ଙ୍କ ସ୍ଥିତିକୁ ନେଇ କିଛି ଗୁପ୍ତ ତଥ୍ୟ ଲୁଚାଇ ରଖିଥିବା ନେଇ ଚର୍ଚ୍ଚା ହୋଇଆସୁଛି। ଟ୍ରମ୍ପ ଏହି ବିଷୟଗୁଡ଼ିକୁ ଅତ୍ୟନ୍ତ ଜଟିଳ କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଯଦି ଏହି ଫାଇଲଗୁଡ଼ିକ ସାର୍ବଜନୀନ ହୁଏ, ତେବେ ବ୍ରହ୍ମାଣ୍ଡରେ ଆମେ ଏକାକୀ କି ନୁହେଁ, ସେହି ବଡ଼ ପ୍ରଶ୍ନର ଉତ୍ତର ମିଳିପାରେ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଷଡ୍ଯନ୍ତ୍ର ତତ୍ତ୍ୱବିତ୍ ଏବଂ ମହାକାଶ ବିଜ୍ଞାନୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଅନେକଙ୍କ ମତରେ, ଆମେରିକାର ଗୁପ୍ତ ସାମରିକ ବେସ୍ ‘ଏରିଆ ୫୧’ ର କିଛି ସତ୍ୟତା ମଧ୍ୟ ଏହା ଦ୍ୱାରା ସାମ୍ନାକୁ ଆସିପାରେ। ବର୍ତ୍ତମାନ ପେଣ୍ଟାଗନ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ସମ୍ବେଦନଶୀଳ ତଥ୍ୟଗୁଡ଼ିକୁ କିପରି ସାର୍ବଜନୀନ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ସମ୍ବାଦ
