ଜାତୀୟ

UN Report: ସଙ୍କଟ ଆଣିବ ସମୁଦ୍ର ଜଳସ୍ତର ବୃଦ୍ଧି ; ଛଡାଇ ନେବ କି ୧.୪ କୋଟି ଲୋକଙ୍କ ଘର ? ଜାତିସଂଘର ଭୟଙ୍କର ରିପୋର୍ଟ

ନୂଆଦିଲ୍ଲୀ,୦୨/୦୯; ଜାତିସଂଘର ଭୟଙ୍କର ଚେତାବନୀ । କଣ ସମୁଦ୍ରରେ ବଢୁଥିବା ପାଣି ମୁମ୍ବାଇ ଏବଂ କୋଲକତା ବାସୀଙ୍କ ଘର ଛଡାଇ ନେବ ?  ମୁମ୍ବାଇ ଓ କୋଲକାତା ଭଳି ମେଟ୍ରୋ ସହରର ସୌନ୍ଦର୍ଯ୍ୟ ବଢ଼ାଉଥିବା ସମୁଦ୍ର ଉଭୟ ସହର ପାଇଁ ସଙ୍କଟ ଆଣିପାରେ । କାରଣ ସମୁଦ୍ରର ଜଳସ୍ତର ବୃଦ୍ଧି ଏହି ଦୁଇ ସହରର ପ୍ରାୟ ୧.୪ କୋଟି ଲୋକଙ୍କ ଘରକୁ ଗିଳିଦେବାର ସମ୍ଭାବନା ରହିଛି । ଜଳସ୍ତର ବୃଦ୍ଧି ବିକାଶଶୀଳ ଓ ବିକଶିତ ଦେଶର ଲୋକଙ୍କ ପାଇଁ ସଙ୍କଟ ଆଣିବ । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଚେତାବନୀ ଦିଆଯାଇଛି ।

ଜାତିସଂଘ ପକ୍ଷରୁ ଗତ ସୋମବାର ଜାରି କରାଯାଇଥିବା ରିପୋର୍ଟରେ ବିଶ୍ୱତାପନ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବକୁ ନେଇ ସତର୍କ କରାଇ ଦିଆଯାଇଛି । ସେଥିରେ କୁହାଯାଇଛି ଯେ ବିଶ୍ୱତାପନ ଯୋଗୁ ହିମବାହ ଓ ବରଫ ଦ୍ରୁତଗତିରେ ତରଳୁଛି ଏବଂ ସମୁଦ୍ରର ଜଳସ୍ତର ଉତ୍ତପ୍ତ ହେଉଛି । ଯାହାର ପ୍ରଭାବ କେବଳ ଲୋକଙ୍କ ଉପରେ ନୁହେଁ, ଧନସମ୍ପତ୍ତି ଓ ସଂସ୍କୃତି ଉପରେ ମଧ୍ୟ ପଡିବାର ସମ୍ଭାବନା ରହିଛି । ୨୦୧୪ରୁ ୨୦୨୩ ମଧ୍ୟରେ ପ୍ରତିବର୍ଷ ବୈଶ୍ୱିକ ସାମୁଦ୍ରିକ ଜଳସ୍ତର ୪.୭ ମିଲିମିଟର ହାରରେ ବଢ଼ୁଥିଲା । କିନ୍ତୁ ୨୦୨୪ରେ ଏହା ସର୍ବାଧିକ ୫.୯ ମିଲିମିଟର ବଢ଼ିଛି । ଯାହାକି ଏକ ରେକର୍ଡ । ଗତ ୪ ହଜାର ବର୍ଷ ଭିତରେ ଏଭଳି ଘଟି ନଥିଲା । ଏହାର କାରଣ ହେଉଛି ବିଶ୍ୱତାପନ । ଆସନ୍ତା ୨୦୫୦ ପର୍ଯ୍ୟନ୍ତ ଏହି ହାରରେ ଜଳସ୍ତର ବୃଦ୍ଧି ପାଇବ । କାରଣ ଜଳବାୟୁ ସିଷ୍ଟମ ସହ ବିଶ୍ୱତାପନ ଯୋଡି ହୋଇସାରିଛି ।

ରିପୋର୍ଟରେ କୁହାଯାଇଛି ଯେ ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁ ଆମେରିକାର ମିଆମି ଓ ନ୍ୟୁୟର୍କ ଏବଂ ଚୀନ୍ର ଗୁଆଙ୍ଗଝୌ ଭଳି ଉଚ୍ଚ ଆୟକାରୀ ସହର ଉପକୂଳ ଭିତ୍ତିଭୂମି ବାବଦରେ ଆର୍ଥିକ ଭାବେ ବିପୁଳ କ୍ଷତିଗ୍ରସ୍ତ ହେବେ । ଯାହାର ପରିମାଣ ୨ ଟ୍ରିଲିୟନ ଡଲାରରୁ ୩.୫ ଟ୍ରିଲିୟନ ଡଲାର ହୋଇପାରେ । ସେହିଭଳି ଦକ୍ଷିଣ ଏସିଆର ତଳିଆ ଡେଲ୍ଟା ଅଞ୍ଚଳ ସହ ଭାରତର ମୁମ୍ବାଇ ଓ କୋଲାକାତା ଏବଂ ବାଂଲାଦେଶର ଢ଼ାକା ଭଳି ସହର ଜଳପ୍ଳାବିତ ହେବାର ଆଶଙ୍କା ରହିଛି । କୋଲକାତା ଓ ମୁମ୍ବାଇର ୧ କୋଟି ୪୦ ଲକ୍ଷ ଲୋକଙ୍କ ଘର ସବୁଦିନ ପାଇଁ ପାଣିରେ ବୁଡିଯିବ । ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁ ତଟବର୍ତ୍ତୀ ଅଞ୍ଚଳର ଲୋକେ ସବୁକିଛି ହରାଇ ବସିବେ । ଏଥିସହ ଏହାର ପ୍ରଭାବ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ମାବାଧିକାର ଓ ସଂସ୍କୃତି ଉପରେ ମଧ୍ୟ ପଡିବ । ଦେଶର ଅନେକ ଚାଷୀ ସେମାନଙ୍କ ଉର୍ବର ଚାଷଜମି ଓ ପରିଚୟ ହରାଇବେ । ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ଏସିଆରେ ବିଶ୍ୱର ସବୁଠାରୁ ବଡ ହିମବାହ ଅଛି । ତେଣୁ ଦକ୍ଷିଣ ଏସିଆକୁ ତୃତୀୟ ଗୋଲାର୍ଦ୍ଧ କୁହାଯାଉଛି ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button