Unbreakable secret: ଅଭେଦ୍ୟ ରହସ୍ୟ: ଗଡୁ ଗଡୁ ଅଟକିଯାଇଛି କୃଷ୍ଣଙ୍କ ଲବଣିଗୁଳା!

ତାମିଲନାଡୁ ରାଜ୍ୟର ମହାବଳୀପୁରମ୍‌ରେ ଥିବା ଗୋଟାଏ ଅତି ବୃହତ୍ ମାଟିଆ ମୁଗୁନି ଶିଳାଗୋଲକ ‘କୃଷ୍ଣଙ୍କ ଲବଣିଗୁଳା’ ନାମରେ ପରିଚିତ। ପୃଥିବୀର ମାଧ୍ୟାକର୍ଷଣ ବଳ ପରାହତକରି ସେଇଟି ସହସ୍ର ବର୍ଷରୁ ଅଧିକ ହେବ ଗୋଟାଏ କ୍ଷୁଦ୍ର ଢାଲୁଆ ଚଟାଣ ଉପରେ ଗଡ଼ନ୍ତା ଅବସ୍ଥାରେ ଅଟକି ଗଲା ଭଳି ରହିଛି।

ତାମିଲନାଡୁ ରାଜ୍ୟର ମହାବଳୀପୁରମ୍‌ରେ ଥିବା ଗୋଟାଏ ଅତି ବୃହତ୍ ମାଟିଆ ମୁଗୁନି ଶିଳାଗୋଲକ ‘କୃଷ୍ଣଙ୍କ ଲବଣିଗୁଳା’ ନାମରେ ପରିଚିତ। ପୃଥିବୀର ମାଧ୍ୟାକର୍ଷଣ ବଳ ପରାହତକରି ସେଇଟି ସହସ୍ର ବର୍ଷରୁ ଅଧିକ ହେବ ଗୋଟାଏ କ୍ଷୁଦ୍ର ଢାଲୁଆ ଚଟାଣ ଉପରେ ଗଡ଼ନ୍ତା ଅବସ୍ଥାରେ ଅଟକି ଗଲା ଭଳି ରହିଛି। ବହୁ କିଂବଦନ୍ତି ଦ୍ବାରା ପରିପୁଷ୍ଟ ଏ ପ୍ରକୃତିକୃତ ବିସ୍ମୟ ବୈଜ୍ଞାନିକମାନଙ୍କୁ ବି ହତବୁଦ୍ଧି କରିପକାଇଛି। କେତେକ ପ୍ରାଚୀନ ରାଜା ଓ ଇଂରେଜ୍‌ ଗଭର୍ଣ୍ଣର୍‌ ଏହାକୁ ଘୁଞ୍ଚାଇବା ଲାଗି ଉଦ୍ୟମ କରିଥିଲେ ବି ତାହା ଅଚଳ ମହାମେରୁ ଭଳି ସେଇଠି ସେମିତି ଅଟକି ରହିଛି।

ଅଣେଇଲେ ବି ଅଟଳ
ଆପାତତଃ ୬ ମିଟର୍‌ ଉଚ୍ଚ ଓ ୫ ମିଟର୍‌ ଓସାରବିଶିଷ୍ଟ ଏ ଶିଳାଗୋଲକର ଓଜନ ପ୍ରାୟ ୨୫୦ ଟନ୍‌। ଗଣେଶ ରଥ ନିକଟ ଗୋଟାଏ ଛୋଟ ପାହାଡ଼ ପାଖରେ ପାଖାପାଖି ୪ ଫୁଟ୍‌ ଲମ୍ବା-ଚୌଡ଼ା ଗୋଟାଏ ମସୃଣ ତଥା ତୀଖା ଢାଲୁଆ ପଥର ଚଟାଣ ଉପରେ କୃଷ୍ଣଙ୍କର ଏଇ ଲବଣିଗୁଳା ଅଣେଇପଡ଼ିଥିଲେ ବି ସନ୍ତୁଳନ ରକ୍ଷାକରି ସମ୍ପୂର୍ଣ୍ଣ ସ୍ଥିର ଅବସ୍ଥାରେ ରହିଛି। ଆହୁରି ବିସ୍ମୟକର ପ୍ରସଙ୍ଗ ହେଉଛି ଯେ ଏ ଅଞ୍ଚଳରେ କେତେ କେତେ ଭୂମିକମ୍ପ, ବାତ୍ୟା ଓ ଅତିପ୍ରବଳ ବର୍ଷା ହୋଇଥିଲେ ବି ଶିଳାଗୋଲକ ଲେଶମାତ୍ର ଘୁଞ୍ଚିନାହିଁ। ସେଥିଯୋଗୁଁ ହିଁ ଏ ଭୂତାତ୍ତ୍ବିକ ବିସ୍ମୟ ଗବେଷକମାନଙ୍କୁ ଅଧିକ ଅନିସନ୍ଧିତ୍ସୁ କରିଛି।

ନିଶ୍ଚୟ କୃଷ୍ଣଙ୍କ ମହିମା!
ଏ ଶିଳାଗୋଲକ ପ୍ରସଙ୍ଗରେ ପ୍ରଚଳିତ କିଂବଦନ୍ତିଟି ଭଗବାନ୍‌ କୃଷ୍ଣ ଓ ତାଙ୍କ ଲବଣିପ୍ରୀତି ଉପରେ ଆଧାରିତ। ଚପଳମତି ବାଳକୃଷ୍ଣ ସର୍ବଦା ମାଆ ଯଶୋଦା ଲୁଚାଇ ରଖିଥିବା ଲବଣିଭାଣ୍ଡରୁ ଲବଣି ଚୋରାଇ ଖାଉଥିଲେ ଏବଂ ଧରାପଡୁଥିଲେ। ସେ ଲବଣିଚୋର ବୋଲି କାଳକ୍ରମେ ସମସ୍ତେ ଜାଣିଲେ ଏବଂ ଶ୍ରଦ୍ଧାଭରେ ତାଙ୍କୁ ସେହି ନାମରେ ଡାକିଲେ ମଧ୍ୟ। ବିପଦଶଙ୍କୁଳ ଅବସ୍ଥାରେ ଥାଇ ବି ଗଡ଼ିଯାଉ ନ ଥିବା ଏ ପ୍ରସ୍ତରରେ ନିଶ୍ଚୟ କୃଷ୍ଣଙ୍କ ମହିମା ରହିଛି ବୋଲି କାଳକ୍ରମେ ଲୋକମାନଙ୍କର ଧାରଣା ହେଲା। ସେମାନଙ୍କର ବିଶ୍ବାସ ହେଲା ସମ୍ଭବତଃ ବାଳକୃଷ୍ଣ ସ୍ବର୍ଗରେ ଦୁଷ୍ଟାମି କରୁଥିବା ବେଳେ ଜାଣିଶୁଣି ମର୍ତ୍ତ୍ୟମଣ୍ଡଳକୁ ଏଇ ବିଶାଳ ଲବଣିଗୁଳା ପକାଇଦେଇଛନ୍ତି। ତେଣୁକରି ସ୍ଥାନୀୟ ଅଧିବାସୀମାନେ ଏ ବୃହଦ୍‌କାୟ ଶିଳାଖଣ୍ଡର ନାଁ ଦେଲେ ‘କୃଷ୍ଣଙ୍କ ଲବଣିଗୁଳା’। କିନ୍ତୁ, ଜଣେ ସ୍ଥାନୀୟ ଗାଇଡ୍‌ କହନ୍ତି ଯେ, ଇନ୍ଦିରା ଗାନ୍ଧୀ ୧୯୬୯ରେ ଏଠାକୁ ବୁଲିଆସିଥିଲା ବେଳେ ଶିଳାଗୋଲକର ଏପରି ନାମକରଣ କରିଥିଲେ।

ବ୍ୟୋମଦେବଙ୍କ ଶିଳା
ତାମିଲ ଭାଷାରେ ‘ବାନ୍‌ ଇରାଇ କାଲ୍‌’ ବୋଲି ଏହାର ଆହୁରି ଗୋଟାଏ ପ୍ରାଚୀନ ନାଁ ବି ରହିଛି। ଆମ ଭାଷାରେ ଏହାର ଅର୍ଥ ‘ବ୍ୟୋମଦେବଙ୍କ ଶିଳା’। ଆଦିମ ଅଧିବାସୀମାନେ କିଭଳି ଏ ପ୍ରସ୍ତର ଗୋଲକଟିକୁ ଈଶ୍ବରଙ୍କ ପ୍ରଦତ୍ତ ଉପହାର ଅଥବା ଦୈବୀ ସଙ୍କେତ ବୋଲି ବିଚାରୁ ଥିଲେ ତାହା ଉପରୋକ୍ତ ନାମକରଣରୁ ଅନୁମେୟ।

ପାରିଲେନି ରାଜା ନରସିଂହବର୍ମନ
କୃଷ୍ଣଙ୍କ ଲବଣିଗୋଲକ ବିଷୟରେ ପଲ୍ଲବ ରାଜବଂଶ ସଂଶ୍ଳିଷ୍ଟ ଥିବା ଗୋଟାଏ ପ୍ରସିଦ୍ଧ ଐତିହାସିକ ଆଖ୍ୟାନ ବି ରହିଛି। ୭ମ ଶତାବ୍ଦୀରେ ଚମତ୍କାର ପର୍ବତ-ଖୋଦିତ ମନ୍ଦିର ନିର୍ମାଣ କରାଇଥିବା ମମଲ୍ଲମ୍‌ ନାମରେ ସୁପରିଚିତ ରାଜା ପ୍ରଥମ ନରସିଂହବର୍ମନ ଥରେ ସେ ଗୋଲାକାର ପ୍ରସ୍ତର ସେଠାରୁ ହଟାଇବାକୁ ଉଦ୍ୟମ କରିଥିଲେ। ତାଙ୍କ ମନରେ ଆଶଙ୍କା ଥିଲା ଯେ ସେଭଳି ଅବସ୍ଥାରେ ରହିଲେ ହୁଏତ କେଉଁଦିନ ତାହା ଗଡ଼ି ଆସି କାହାର ଅନିଷ୍ଟ କରିପାରେ। ଶିଳାଗୋଲକଟିକୁ ଗଡ଼ାଇବା ଲାଗି ସେ ବହୁ ହାତୀ, ସେନାବଳ  ଓ ଅନ୍ୟାନ୍ୟ ସାଧନ ଲଗାଇଲେ, କିନ୍ତୁ ତାହା ତିଳେମାତ୍ର ଘୁଞ୍ଚିଲା ନାହିଁ।

ଗଭର୍ଣ୍ଣର୍‌ଙ୍କ ସପ୍ତହସ୍ତୀ ବିଫଳ
ପୁନଶ୍ଚ ୧୯୦୮ ମସିହାରେ ସର୍ବସାଧାଣଙ୍କ ସୁରକ୍ଷା ଦୃଷ୍ଟିରୁ ମାଡ୍ରାସ୍‌ର ବ୍ରିଟିସ୍‌ ଗଭର୍ଣ୍ଣର୍‌ ଅାର୍ଥର୍‌ ଲ’ଲି ସେ ଭୀମକାୟ ପ୍ରସ୍ତରଟିକୁ ସ୍ଥାନଚ୍ୟୁତ କରିବା ଲାଗି ଉଦ୍ୟମ କରି‌ଥିଲେ। ତାଙ୍କର ଆଶଙ୍କା ଥିଲା ଯେ ଯଦି ଦୈବାତ୍‌ କେଉଁଦିନ ସେ ଶିଳାଗୋଲକଟି ଗଡ଼ିଆସେ, ତଳେ ଥିବା ଜନପଦ ଭୀଷଣ କ୍ଷତିଗ୍ରସ୍ତ ହେବ। ତେଣୁକରି ସେ ଏକକାଳୀନ ୭ଟି ହାତୀ ଯୋଚି ତାହାକୁ ହଟାଇବାକୁ ଉଦ୍ୟମ କରି ବିଫଳପ୍ରଯତ୍ନ ହେଲେ। ୭ଟି ହାତୀ ଯେଉଁ ଶିଳାକୁ ଘୁଞ୍ଚାଇବା ତ ଦୂରର କଥା, ସାମାନ୍ୟ ଦୋହଲାଇ ପାରିଲେ ନାହିଁ; ତାହା ନିଶ୍ଚୟ ଦୈବୀଶିଳା।  ସେହି ସମୟରୁ ସେ ଅଞ୍ଚଳବାସୀଙ୍କ ମନରେ ଅଟଳ ବିଶ୍ବାସ ଜାଗିଲା ଯେ ଶିଳାଖଣ୍ଡଟି ଦିଅଁଙ୍କ ଦ୍ବାରା ସୁରକ୍ଷିତ।

ପ୍ରମାଣରହିତ ବିଜ୍ଞାନ
ମୋଟାମୋଟି ତିନିପାର୍ଶ୍ବରୁ ଗୋଲାକାର ବୋଲି ଜଣାପଡୁଥିଲେ ବି ଉର୍ଦ୍ଧ୍ବାଂଶରୁ କିଛି ପଥର ଭାଙ୍ଗିଯାଇଥିବାରୁ ତାହା ଚେପାଳିଆ ଦିଶେ। ସେ ଯାହାହେଉ, ‘ନାଇସ୍‌’ ଜାତୀୟ ଗ୍ରେନାଇଟ୍‌ରେ ଗଠିତ ଏ ଶିଳାଗୋଲକର ବୟସ ଅନ୍ୟୂନ ୧୨୦୦ ବର୍ଷରୁ କମ୍‌ ହେବନହିଁ। ଏ ଜାତୀୟ ଶିଳା ସାଧାରଣତଃ ଖୁବ୍‌ ସୁଦୃଢ଼ ଓ ଅକ୍ଷୟ। ବୈଜ୍ଞାନିକ, ଭୂତତ୍ତ୍ବବିତ୍‌ ଓ ଇଞ୍ଜିନିୟର୍‌ମାନେ ଏମନ୍ତ ଅକଳ୍ପନୀୟ ସନ୍ତୁଳନ ବିଷୟ ବୁଝାଇବାକୁ ଅନେକ ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ମନେହୁଏ- ଭୂଗର୍ଭ ଅଭ୍ୟନ୍ତରରେ ସମ୍ଭବତଃ ସେ ଶିଳାଗୋଲଟିକୁ ଅଟକାଇ ରଖିବା ଲାଗି ଗୁପ୍ତ ଅଙ୍କୁଶ ରହିଛି। ଆଉ କେତେକଙ୍କ ମତରେ ଉକ୍ତ ପ୍ରସ୍ତର ଚଟାଣ କାଳକ୍ରମେ କ୍ଷୟ ହୋଇଯିବାରୁ ପ୍ରକାଣ୍ଡ ଗୋଲାକାର ଶିଳାଖଣ୍ଡଟି ସେଠାରେ ଭଲରୂପେ ସନ୍ତୁଳିତ ହୋଇ ରହିଛି। ପୁନଶ୍ଚ ଆହୁରି କେତେକ ବୈଜ୍ଞାନିକଙ୍କର ଧାରଣା ଅଭିନବ ଆକୃତି, ପାହାଡ଼ ଢାଲୁ ଏବଂ ଶିଳାଗୋଲକ ଓ ଭୂମି ମଧ୍ୟରେ ନିରନ୍ତର ଚାଲିଥିବା ଅଦୃଶ୍ୟ ବଳ କଷାକଷି ତା’ର ଏଭଳି ଅସାଧାରଣ ଅବସ୍ଥିତି ଲାଗି ଦାୟୀ। ପଦାର୍ଥ ବିଜ୍ଞାନରେ ‘ଲିଭର୍‌ ପ୍ରିନ୍‌ସିପ୍ଲିଜ୍‌’ ବୋଲି ଗୋଟାଏ ସୂତ୍ର ରହିଛି। ସେ ସୂତ୍ର କହେ- ଶିଳାର ଗୋଲାକାର ଆକୃତି ଓ ପାହାଡ଼ ଢାଲୁ ମିଶି ଅଖ ସଦୃଶ ଗୋଟାଏ କେନ୍ଦ୍ର ସୃଷ୍ଟି କରୁଛନ୍ତି। ତାହାରି ଯୋଗୁଁ ସେ ଅତି ବୃହତ୍‌ ଶିଳାଖଣ୍ଡ ସ୍ଥାନଚ୍ୟୁତ ହୋଇପାରୁ ନାହିଁ। କିନ୍ତୁ, ଏ ବିଜ୍ଞାନସମ୍ମତ ମତ ସବୁ ଏଯାବତ୍‌ ପ୍ରମାଣିତ ହୋଇପାରିନାହିଁ।

ସୌଜନ୍ୟ ସମ୍ବାଦ

Exit mobile version