
ନୂଆଦିଲ୍ଲୀ: ଦେଶରେ ୟୁପିଆଇ କାରବାର ସଂଖ୍ୟା ମୁଖ୍ୟତଃ ବଡ଼ ସହରଗୁଡ଼ିକରେ ଅଧିକ ରହୁଛି। ବେଙ୍ଗାଲୁରୁ ଅର୍ବାନ, ମୁମ୍ବାଇ ସବଅର୍ବାନ ଏବଂ ପୁଣେରେ ୟୁପିଆଇ କାରବାର ସଂଖ୍ୟା ସବୁଠୁ ଅଧିକ ଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ତଥ୍ୟରୁ ଜଣାଯାଇଛି। ଦେଶରେ ହୋଇଥିବା ମୋଟ ୟୁପିଆଇ କାରବାର ମଧ୍ୟରୁ ବେଙ୍ଗାଲୁରୁ ଅର୍ବାନ ଜିଲ୍ଲାରେ ପ୍ରାୟ ୨.୮୬ ପ୍ରତିଶତ କାରବାର ହୋଇଛି। ଅର୍ଥାତ୍ ଏହି ଜିଲ୍ଲା ଦେଶରେ ସବୁଠୁ ଆଗରେ ରହିଛି। ଏହା ପଛକୁ ମୁମ୍ବାଇ ସବଅର୍ବାନ ରହିଛି। ଏଠାରେ ୨.୪୯ ପ୍ରତିଶତ ୟୁପିଆଇ କାରବାର ହୋଇଥିବାବେଳେ ପୁଣେରେ ୧.୮୬ ପ୍ରତିଶତ କାରବାର ହୋଇଛି। ଏଥିରୁ ଜଣାଯାଇଛି ଯେ ଜନବହୁଳ ସ୍ଥାନ ଯେଉଁଠି ଅର୍ଥନୈତିକ କାର୍ଯ୍ୟକଳାପ ଅଧିକ ରହୁଛି ଏବଂ ଛାତ୍ର ଓ ପ୍ରବାସୀ ଶ୍ରମିକମାନେ ଅଧିକ ସଂଖ୍ୟାରେ ବାସ କରୁଛନ୍ତି ସେଠାରେ ୟୁପିଆଇ କାରବାର ଅଧିକ ରହୁଛି।
ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ୟୁପିଆଇ କାରବାର ଅଧିକ। କର୍ଣ୍ଣାଟକ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଶୀର୍ଷ ୩ଟି ଜିଲ୍ଲାରେ ସମଗ୍ର ରାଜ୍ୟର ପାଖାପାଖି ଦୁଇ ତୃତୀୟାଂଶ ୟୁପିଆଇ କାରବାର ହୋଇଛି। ତେଲେଙ୍ଗାନାରେ ହାଇଦ୍ରାବାଦ ଏବଂ କର୍ଣ୍ଣାଟକରେ ବେଙ୍ଗାଲୁରୁ ଅର୍ବାନ ଓ ବେଙ୍ଗାଲୁରୁ ରୁରାଲ୍ ଆଗରେ ରହିଛନ୍ତି। ମହାରାଷ୍ଟ୍ର, ଗୁଜରାଟ ଓ ହରିୟାଣା ଭଳି ରାଜ୍ୟରେ ମଧ୍ୟ ସମାନ ପ୍ରକାର ସ୍ଥିତି ଦେଖିବାକୁ ମିଳିଛି। ବିଶେଷକରି ଜାତୀୟ ରାଜଧାନୀ ଅଞ୍ଚଳ, ପ୍ରମୁଖ ଶିଳ୍ପାଞ୍ଚଳ ଏବଂ ପ୍ରଯୁକ୍ତି କେନ୍ଦ୍ରଗୁଡ଼ିକରେ ଏହି କାରବାର ଅଧିକ ରହୁଛି।କିନ୍ତୁ ଅଧିକ ସଂଖ୍ୟାରେ ୟୁପିଆଇ କାରବାର ହେଉଥିବା ଜିଲ୍ଲାରେ କାରବାରର ମୂଲ୍ୟ କମ୍ ରହିଛି। ମୁମ୍ବାଇ ଅର୍ବାନରେ ସଂଖ୍ୟା ଦୃଷ୍ଟିରୁ କାରବାର ୨.୪୯ ପ୍ରତିଶତ ରହିଥିବାବେଳେ ମୂଲ୍ୟଦୃଷ୍ଟିରୁ ସେଠାରେ ୧.୯ ପ୍ରତିଶତ କାରବାର ହୋଇଛି। କିନ୍ତୁ ସହରାଞ୍ଚଳ କମ୍ ଥିବା ଜିଲ୍ଲାରେ ୟୁପିଆଇ କାରବାର ସଂଖ୍ୟା କମ୍ ରହିଥିଲେ ମଧ୍ୟ ମୂଲ୍ୟ ଅଧିକ ରହିଛି। ଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଛୋଟ ସହରରେ କମ୍ ମୂଲ୍ୟର କାରବାର ପାଇଁ ଲୋକମାନେ ନଗଦକୁ ପସନ୍ଦ କରୁଛନ୍ତି। କିନ୍ତୁ ଉଚ୍ଚମୂଲ୍ୟର କାରବାର ପାଇଁ ସେମାନେ ୟୁପିଆଇର ଉପଯୋଗ କରୁଛନ୍ତି। ଅନ୍ୟ ଏକ କାରଣ ହେଲା ଛୋଟ ସହରଗୁଡ଼ିକରେ ଦୋକାନରେ ୟୁପିଆଇ ପେମେଣ୍ଟ ସୁବିଧା ସେତେ ମାତ୍ରାରେ ବ୍ୟାପକ ହୋଇନାହିଁ। ଏହାବ୍ୟତୀତ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ୟୁପିଆଇ ବ୍ୟବହାରକୁ ବଢ଼ାଇବା ଲାଗି ବର୍ତ୍ତମାନର ପ୍ରୋତ୍ସାହନ ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




