ମସ୍କୋ: ଆମେରିକା ଆଜି ଏକ ନାଟକୀୟ ଘଟଣାକ୍ରମରେ ଉତ୍ତର ଆଟ୍ଲାଣ୍ଟିକ ସାଗରରେ ରୁଷ୍ ନିୟନ୍ତ୍ରଣରେ ଥିବା ଭେନେଜୁଏଲାର ଏକ ତୈଳ ଟ୍ୟାଙ୍କର୍ ‘ମାରିନେରା’କୁ ଜବତ କରିଛି। ମସ୍କୋ ଏହି ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ବୁଡ଼ାଜାହାଜ ଓ ନୌସେନା ନିୟୋଜିତ କରିଥବାରୁ ଏହି ମାମଲା ଆଗକୁ ବଡ଼ ସଂଘର୍ଷର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆମେରିକା ଆଜି ଅଚାନକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଏହି ତୈଳବାହୀ ଜାହାଜକୁ ନିୟନ୍ତ୍ରଣକୁ ନେବା ଉତ୍ତେଜନା ସୃଷ୍ଟି କରିଛି। ଆମେରିକା ସେନାର ୟୁରୋପୀୟ କମାଣ୍ଡ୍ ଏକ୍ସରେ ଏକ ବିବୃତି ପୋଷ୍ଟ କରି ଏହି ଅପରେସନକୁ ନିଶ୍ଚିତ କରିଛି। ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି ଯେ ଆମେରିକାର ତଟରକ୍ଷୀ ବାହିନୀ ଜାହାଜରେ ଚଢ଼ିବା ସମୟରେ ‘ମାରିନେରା’ ନିକଟରେ କୌଣସି ରୁଷୀୟ ଜାହାଜ ନଥିଲା। ଫଳରେ ଆମେରିକା ଏବଂ ରୁଷ୍ ସୈନ୍ୟବାହିନୀ ମଧ୍ୟରେ ସମ୍ଭାବ୍ୟ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇନାହିଁ।

