V.K.Pandian: ସିଏମ୍ଓରୁ ଫାଇଲ୍ ଗାୟବ ମାମଲା: ଆଜି କ୍ୟାପିଟାଲ୍ ଥାନାରେ ହାଜର ହେବେନି ଭି.କେ.ପାଣ୍ଡିଆନ୍
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯିବା ଘଟଣାରେ ଆଜି ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ଆଜି କ୍ୟାପିଟାଲ୍ ଥାନାରେ ହାଜର ହେବେନି ବୋଲି ଜଣାଯାଇଛି।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯିବା ଘଟଣାରେ ଆଜି ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ଆଜି କ୍ୟାପିଟାଲ୍ ଥାନାରେ ହାଜର ହେବେନି ବୋଲି ଜଣାଯାଇଛି। ସେ ବିଦେଶରେ ଥିବା ହେତୁ ଆଜି ହାଜର ହେବେ ନାହିଁ ବୋଲି ଜଣାଯାଇଛି। ଏନେଇ ସେ ପୁଲିସ୍କୁ ଇମେଲ୍ ଯୋଗେ ସୂଚନା ଦେଇଛନ୍ତି। ଯଦି ସମ୍ଭବ ଭିଡିଓ କନଫରେନ୍ସିଂ ଜରିଆରେ ବୟାନ ନେବାକୁ ନିବେଦନ କରିଛନ୍ତି ଭି.କେ.ପାଣ୍ଡିଆନ୍। ତାହା ନ ହେଲେ ସେ ବିଦେଶରୁ ଫେରିବା ପରେ ହାଜର ହେବେ ବୋଲି ଭି.କେ.ପାଣ୍ଡିଆନ୍ ସୂଚନା ଦେଇଛନ୍ତି।
ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା
ସିଏମ୍ଓ)ରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିଯିବା ନେଇ ରାଜ୍ୟରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ଚର୍ଚ୍ଚିତ ମାମଲାକୁ ନେଇ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଭୁବନେଶ୍ବର ଏସିପି ଜୋନ୍-୧ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ମାଧ୍ୟମରେ ଭିକେ ପାଣ୍ଡିଆନ୍ଙ୍କୁ ଆଜି ଜୁଲାଇ ୨୫ ତାରିଖ ଦିନ ତାଙ୍କୁ ଏସିପି ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ସଚିବ ଅଧିକାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ମାତ୍ର ସେହି ସମୟରେ ଉଭୟ ଅଧିକାରୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ନିର୍ଦ୍ଧାରିତ ଦିନରେ ହାଜର ହୋଇନଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ମିଳିବା ପରେ ସେ ଆଗାମୀ ଜୁଲାଇ ୨୫ ତାରିଖରେ ହାଜର ହେଉଛନ୍ତି କି ନାହିଁ, ସେ ନେଇ ସମସ୍ତଙ୍କର ନଜର ରହିଥିଲା।
ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ ହେରଫେର ଅଥବା ହଜିଯିବା ଘଟଣାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ପୁଲିସ ଏବଂ ରାଜ୍ୟ ସରକାର ତନାଘନା ଜାରି ରଖିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କିଛି ନୂତନ ଖୁଲାସା ହେବାର ସମ୍ଭାବନା ରହିଥିବାବେଳେ ପ୍ରାଶାସନିକ ମହଲରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।
ସୌଜନ୍ୟ ସମ୍ବାଦ




