Vande Mataram: ୮୦ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରୁ ପ୍ରଥମ ଥର ଗାନ ହେବ ‘ବନ୍ଦେ ମାତରମ୍’
ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚଳିତବର୍ଷ ଏକ ଐତିହାସିକ ଘଟଣା ଦେଖିବ ଦେଶ। ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ପ୍ରଥମ ଥର ପାଇଁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ।

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଚଳିତବର୍ଷ ଏକ ଐତିହାସିକ ଘଟଣା ଦେଖିବ ଦେଶ। ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲାପ୍ରାଚୀରରୁ ପ୍ରଥମ ଥର ପାଇଁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତିରେ ଏହି ସୂଚନା ଦିଆଯାଇଛି।
ଚଳିତବର୍ଷର ଆୟୋଜନର ଆଉ ଏକ ବିଶେଷତ୍ୱ ହେଉଛି ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି। ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏହି ଗୀତ ରଚନା କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାରେ ବିଶେଷ ଭୂମିକା ନେଇଥିଲା। ଏହି କାରଣରୁ ୧୫୦ ବର୍ଷ ପୂର୍ତ୍ତିକୁ ନେଇ ଦେଶବ୍ୟାପୀ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଚାଲିଛି। ଏହାର ତୃତୀୟ ପର୍ଯ୍ୟାୟ ଅଗଷ୍ଟ ୭ରୁ ୧୫ ପର୍ଯ୍ୟନ୍ତ ଚାଲିଛି।
ଏଥରର ସ୍ୱାଧୀନତା ଦିବସ ପାଳନର ମୁଖ୍ୟ ବିଷୟ ରହିବ ‘ଯୁବଶକ୍ତି’। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାର ଯାତ୍ରାରେ ଦେଶର ଯୁବପିଢ଼ିର ଅବଦାନ ଓ ଭୂମିକାକୁ ଏଥିରେ ପ୍ରମୁଖତା ଦିଆଯିବ। ଏହି ସମୟରେ ‘ବନ୍ଦେ ମାତରମ୍’କୁ ନେଇ ଆଇନଗତ ପଦକ୍ଷେପ ମଧ୍ୟ ଚର୍ଚ୍ଚାରେ ରହିଛି। ସଂସଦ ନିକଟରେ ‘ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟସ୍ ଟୁ ନ୍ୟାସନାଲ୍ ଅନର୍ (ଆମେଣ୍ଡମେଣ୍ଟ) ବିଲ୍, ୨୦୨୬’ ପାରିତ କରିଛି। ଏହାଦ୍ୱାରା ‘ବନ୍ଦେ ମାତରମ୍’କୁ ଅପମାନରୁ ଆଇନଗତ ସୁରକ୍ଷା ମିଳିବା ସହ ଜାତୀୟ ସଙ୍ଗୀତ ଭଳି ଏହାର ମର୍ଯ୍ୟାଦାକୁ ଆଇନର ଆଧାର ଦିଆଯାଇଛି। ତେବେ ଏହି ପଦକ୍ଷେପକୁ ନେଇ ଲୋକସଭାରେ ରାଜନୈତିକ ତର୍କ ମଧ୍ୟ ହୋଇଥିଲା। ଡିଏମ୍କେ ଏହାକୁ ବିରୋଧ କରିଥିବାବେଳେ ବିଜେପି ଏହାଦ୍ୱାରା ଜାତୀୟ ଗୀତ ପ୍ରତି ନାଗରିକଙ୍କ ସମ୍ମାନ ସୁନିଶ୍ଚିତ ହେବ ବୋଲି କହିଛି।
ସୌଜନ୍ୟ ସମ୍ବାଦ




