ଦେଶ ବିଦେଶ

Vantara: ପ୍ରଧାନମନ୍ତ୍ରୀଙ୍କ ‘ବନତାରା’ ଉଦ୍‌ଘାଟନକୁ ବର୍ଷେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ବନତାରା’ ଉଦ୍‌ଘାଟନର ଏକ ବର୍ଷ ପୂରଣ ହୋଇଛି। ଏହା ହେଉଛି ବିଶ୍ବର ଅଗ୍ରଣୀ ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ କେନ୍ଦ୍ର। ବନ୍ୟପ୍ରାଣୀ ଉଦ୍ଧାର, ଉନ୍ନତ ଚିକିତ୍ସା ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ....

ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ବନତାରା’ ଉଦ୍‌ଘାଟନର ଏକ ବର୍ଷ ପୂରଣ ହୋଇଛି। ଏହା ହେଉଛି ବିଶ୍ବର ଅଗ୍ରଣୀ ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ କେନ୍ଦ୍ର। ବନ୍ୟପ୍ରାଣୀ ଉଦ୍ଧାର, ଉନ୍ନତ ଚିକିତ୍ସା ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ କ୍ଷେତ୍ରରେ ଏହି ଏକ ବର୍ଷ ମଧ୍ୟରେ ହୋଇଥିବା ଅନେକ ମହତ୍ବପୂର୍ଣ୍ଣ କାର୍ଯ୍ୟର ପ୍ରଭାବକୁ ‘ବନତାରା’ ଏହି ଅବସରରେ ସ୍ମରଣ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ମୁକେଶ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବନତାରା’ ବାଘ, ସରୀସୃପ, ପଶୁ, ପକ୍ଷୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସମେତ ହଜାର ହଜାର ଉଦ୍ଧାର ହୋଇଥିବା ବନ୍ୟପ୍ରାଣୀଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହାର ପଶୁ ଚିକିତ୍ସକ ଦଳ ଅନେକ ଜଟିଳ ଅସ୍ତ୍ରୋପଚାର କରିବା ସହ ବିଭିନ୍ନ ପ୍ରାଣୀଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥାନକୁ ଫେରିବାରେ ସାହାଯ୍ୟ କରିଛନ୍ତି। ଉଦ୍ଧାର, ଚିକିତ୍ସା ଓ ସୁସ୍ଥ ହେବା ପରେ କିଛି ପ୍ରାଣୀଙ୍କୁ ପୁନର୍ବାର ଜଙ୍ଗଲକୁ ଛଡ଼ାଯାଇଛି। ‘ବନତାରା’ର ପ୍ରଥମ ବର୍ଷରେ ବନ୍ୟପ୍ରାଣୀ ସେବା ଏବଂ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ବିଶ୍ୱସ୍ତରୀୟ ଅବଦାନ ପାଇଁ ଅନନ୍ତ ଅମ୍ବାନୀଙ୍କୁ ସମ୍ମାନଜନକ ‘ଗ୍ଲୋବାଲ୍ ହ୍ୟୁମେନ୍ ଆୱାର୍ଡ’ ପ୍ରଦାନ କରାଯାଇଛି ଯାହା ଦୟାଳୁ ଓ ବିଜ୍ଞାନଭିତ୍ତିକ ସଂରକ୍ଷଣ ପ୍ରତି ତାଙ୍କର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ‘ବନତାରା’ର କାର୍ଯ୍ୟଧାରାକୁ  ଇଏଆର୍‌ଏଜେଡ୍‌ଏ ଓ ଏସ୍‌ଇଏଜେଡ୍‌ଏର ସଦସ୍ୟତା, ଗ୍ଲୋବାଲ୍ ହ୍ୟୁମାନ୍ କନ୍‌ଜର୍‌ଭେସନ୍ ସାର୍ଟିଫିକେସନ୍ ଓ ‘ପ୍ରାଣୀ ମିତ୍ର ପୁରସ୍କାର ୨୦୨୫’ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। କେବଳ ସ୍ୱୀକୃତି ନୁହେଁ, ଏହି ସଂଗଠନ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛି। ଏଥିପାଇଁ ଶହ ଶହ ପଶୁ ଚିକିତ୍ସକଙ୍କୁ ସଂରକ୍ଷଣ ଚିକିତ୍ସା ବିଜ୍ଞାନରେ ପ୍ରଶିକ୍ଷଣ ଦିଆଯିବା ସହ ୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଆଗାମୀ ପିଢ଼ିକୁ ସଂରକ୍ଷଣ ପ୍ରତି ଅନୁପ୍ରାଣିତ କରିବା ପାଇଁ ହଜାର ହଜାର ପିଲାଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

ଗତ ଏକ ବର୍ଷ ମଧ୍ୟରେ ‘ବନତାରା’ ପକ୍ଷରୁ ଅତ୍ୟନ୍ତ ଦୁର୍ଦ୍ଦଶାଗ୍ରସ୍ତ ଏବଂ ଶୋଷଣମୂଳକ ପରିସ୍ଥିତିରୁ ପ୍ରାଣୀମାନଙ୍କୁ ଉଦ୍ଧାର କରାଯାଇଛି। ଏହା କାଠ ବୋହିବା, ସର୍କସ, ସବାରୀ ଏବଂ ଭିକ୍ଷାବୃତ୍ତିରେ ନିୟୋଜିତ ଥିବା ପ୍ରାୟ ୨୫୦ରୁ ଅଧିକ ହାତୀଙ୍କୁ ଉଦ୍ଧାର କରି ସେମାନଙ୍କୁ ବିଶ୍ୱସ୍ତରୀୟ ପଶୁ ଚିକିତ୍ସା ଓ ଦୀର୍ଘକାଳୀନ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେଉଛି। ସେମାନଙ୍କ ମଧ୍ୟରୁ ଅନେକ ଗଣ୍ଠି ବାତ ଏବଂ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ। ଏଥିସହ ‘ବନତାରା’ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ କୁମ୍ଭୀର ଥିବା ସ୍ଥାନରୁ  ଉଦ୍ଧାର ହୋଇଥିବା ହଜାର ହଜାର କୁମ୍ଭୀରଙ୍କ ମଧ୍ୟ ଯତ୍ନ ନେଉଛି। ଭାରତ ତଥା ସମଗ୍ର ବିଶ୍ୱରେ ସହାୟତା ପ୍ରଦାନ କରୁଥିବା ‘ବନତାରା’ ଏକ ବିଶ୍ୱସ୍ତରୀୟ ସଂରକ୍ଷଣ ମଡେଲ୍‌ ଭାବେ ଉଭା ହୋଇଛି ଯାହା ଦୟା, କଲ୍ୟାଣ ଏବଂ ବିଜ୍ଞାନ ଉପରେ ଆଧାରିତ।

ଭାରତର ‘ନ୍ୟାସନାଲ୍ ରେଫରାଲ୍ ସେଣ୍ଟର ଫର ୱାଇଲ୍ଡଲାଇଫ୍’ (ପଶ୍ଚିମ ଜୋନ୍) ଭାବେ ପରିଚିତ ‘ବନତାରା’ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟକୁ ବ୍ୟାପକ ରୋଗ ନିରୀକ୍ଷଣ ବ୍ୟବସ୍ଥା ସହ ସଂଯୋଗ କରି ଭାରତର ‘ୱାନ୍‌ ହେଲ୍‌ଥ’ ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି। ଏହାର ବୈଜ୍ଞାନିକ ଭିତ୍ତିଭୂମିରେ ଏକ ମୁଖ୍ୟ ବୈଜ୍ଞାନିକ ପ୍ରୟୋଗଶାଳା ଏବଂ ୧୧ଟି ସାଟେଲାଇଟ୍ ଲ୍ୟାବ୍ ରହିଛି। ଏଠାରେ ୭୦ରୁ ଅଧିକ ବିଶେଷଜ୍ଞ ଦୈନିକ ୨,୦୦୦ରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି। ଏହି ପରୀକ୍ଷାଗାରଗୁଡ଼ିକରେ ବାୟୋ-ବ୍ୟାଙ୍କିଙ୍ଗ୍, ମଲିକ୍ୟୁଲାର୍ ଡାଏଗ୍ନୋଷ୍ଟିକ୍ସ, ପାଥୋଲୋଜି, ପାରାସାଇଟୋଲୋଜି ଏବଂ ଟକ୍ସିକୋଲୋଜି ଭଳି ଅତ୍ୟାଧୁନିକ ସୁବିଧା ରହିଛି। ପ୍ରତିଦିନ ହଜାର ହଜାର ପ୍ରାଣୀଙ୍କୁ ସେବା ଯୋଗାଇବା ପାଇଁ ‘ବନତାରା’ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ୟବସ୍ଥା ଜରିଆରେ ୧,୫୬,୦୦୦ କିଲୋଗ୍ରାମ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରୁଛି। ଏହି ଖାଦ୍ୟ ୫୦ଟି ତାପମାତ୍ରା-ନିୟନ୍ତ୍ରିତ ଗାଡ଼ି ମାଧ୍ୟମରେ ପହଞ୍ଚାଯାଉଛି। ଏହାର ପରିଚାଳନା ପାଇଁ ୨୦୦ ଜଣ ପ୍ରଶିକ୍ଷିତ ବୃତ୍ତିଧାରୀ ଏବଂ ୧,୦୦୦ରୁ ଅଧିକ ଚାଷୀ ପଶୁ ଖାଦ୍ୟ ଓ ଚାରା ଉତ୍ପାଦନରେ ସହଯୋଗ କରୁଛନ୍ତି। ଏହି ବ୍ୟାପକ ବ୍ୟବସ୍ଥା ସହିତ ଏକ ୨୦୦ ଜଣିଆ ୨୪ ଘଣ୍ଟିଆ ତ୍ୱରିତ ପ୍ରତିକ୍ରିୟା ଦଳ ରହିଛି ଯିଏକି ୫୦ରୁ ଅଧିକ ଅନ୍ତର୍ଜାତୀୟ ଉଦ୍ଧାର କାର୍ଯ୍ୟ ଏବଂ ୧୫ଟି ‘ୱାଇଲ୍ଡଲାଇଫ୍ ରାପିଡ୍ ରେସ୍କ୍ୟୁ ଟିମ୍”’ ଅଭିଯାନରେ ସାମିଲ ହୋଇଛି।

ସଂରକ୍ଷଣର ପ୍ରକୃତ ଅର୍ଥ ହେଉଛି ବିଲୁପ୍ତପ୍ରାୟ ପ୍ରାଣୀଙ୍କୁ ବଞ୍ଚିବା ପାଇଁ ଦ୍ୱିତୀୟ ସୁଯୋଗ ଦେବା। ଗତ ଏକ ବର୍ଷ ମଧ୍ୟରେ ସୁଚିନ୍ତିତ ପ୍ରଜନନ ଏବଂ ପୁନର୍ବାସ କାର୍ଯ୍ୟକ୍ରମ ଅନେକ ବିପଦଗ୍ରସ୍ତ ପ୍ରଜାତିଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛି। ଗୁଜରାଟ ବନ ବିଭାଗ ସହ ମିଶି ବର୍ଦା ବନ୍ୟପ୍ରାଣୀ ଅଭୟାରଣ୍ୟରେ ୫୩ଟି ଚିତ୍ରା ହରିଣଙ୍କୁ ମୁକ୍ତ କରିବା ଏବଂ ଇଣ୍ଡୋନେସିଆରେ ‘ସ୍ନେକ୍-ନେକ୍’ କଇଁଛଙ୍କୁ ଜଙ୍ଗଲରେ ଛାଡ଼ିବା ଏହାର ପ୍ରମୁଖ ସଫଳତା। ଏହି ପ୍ରତ୍ୟେକ ପ୍ରୟାସ ‘ବନତାରା’ର ବିଜ୍ଞାନଭିତ୍ତିକ ପରିସଂସ୍ଥା ପୁନରୁଦ୍ଧାର ପ୍ରତି ଥିବା ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଯେତେବେଳେ ପଞ୍ଜାବରେ ଭୟଙ୍କର ବନ୍ୟା ହୋଇଥିଲା, ସେହି ସମୟରେ ପ୍ରଭାବିତ ସମୁଦାୟଙ୍କ ସହ ‘ବନତାରା’ ଠିଆ ହୋଇଥିଲା। ସେଠାରେ ହଜାର ହଜାର ପଶୁଙ୍କୁ ସୁରକ୍ଷା ଦେବା ସହ ପ୍ରାୟ ଏକ ନିୟୁତରୁ ଅଧିକ ଲୋକଙ୍କୁ ମାନବିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହି ପଦକ୍ଷେପ ପ୍ରମାଣିତ କରିଛି ଯେ ପରିବେଶର ସନ୍ତୁଳନ ଏବଂ ମାନବ କଲ୍ୟାଣ ପରସ୍ପର ସହ ଜଡ଼ିତ।

ଉଦ୍‌ଘାଟନର ଏକ ବର୍ଷ ପରେ ‘ବନତାରା’ ଏକ ସମନ୍ୱିତ ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ କେନ୍ଦ୍ର ଭାବେ ଗଢ଼ିଉଠିଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା, ସମାଜକୁ ସଶକ୍ତ କରିବା ଏବଂ ଭାରତ ତଥା ସମଗ୍ର ବିଶ୍ୱରେ ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବାରେ ସହାୟକ ହେବା। ଏହାର ମୂଳରେ ରହିଛି ଏକ ସ୍ପଷ୍ଟ ଓ କରୁଣା ମିସନ। ତାହା ହେଉଛି ଏକ ମାପଯୋଗ୍ୟ ସଂରକ୍ଷଣ ପ୍ରଭାବ ସୃଷ୍ଟି କରିବା ଯାହା ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ, ସମୁଦାୟକୁ ସୁଦୃଢ଼ କରିବ ଏବଂ ଭାରତ ଓ ଦୁନିଆରେ ଅଧିକ ସ୍ଥାୟୀ ଭବିଷ୍ୟତ ପ୍ରତି ଯୋଗଦାନ ଦେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button