VB-G Ram: ଲୋକସଭାରେ ‘ଭିବି-ଜି ରାମ ଜି’ ବିଲ୍‌ ଗୃହୀତ

ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଆଜି ଲୋକସଭାରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିସନ୍‌ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍‌, ୨୦୨୫ ଗୃହୀତ ହୋଇଛି।

ନୂଆଦିଲ୍ଲୀ : ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଆଜି ଲୋକସଭାରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିସନ୍‌ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍‌, ୨୦୨୫ ଗୃହୀତ ହୋଇଛି।  ବିରୋଧୀ ସାଂସଦମାନେ ଏହି ବିଲ୍‌କୁ ତୀବ୍ର ବିରୋଧ କରି ଆଜି ଗୃହରେ ଜୋର୍‌ଦାର ହଟ୍ଟଗୋଳ କରିଥିଲେ ଏବଂ ବିଲ୍‌ର କପି ଚିରି ଫୋପାଡ଼ିଥିଲେ। ଏଭଳି ହାଇଡ୍ରାମା ଭିତରେ  ବିଲ୍‌ଟି ଗୃହୀତ ‌ହୋଇଛି। ସରକାର  ମନରେଗା (ମହାତ୍ମା ଗାନ୍ଧୀ ‌ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ଏମ୍‌ଜିଏନ୍‌ଆର୍‌ଇଜିଏ)  ବ୍ୟବସ୍ଥାକୁ ହଟାଇ ଜାତିର ଜନକଙ୍କୁ ଅପମାନିତ କରିଛନ୍ତି ବୋଲି ବି‌ରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ବିଲ୍‌କୁ ସମର୍ଥନ କରି ଲୋକସଭାରେ କହିଛନ୍ତି ଯେ ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏନ୍‌ଆର୍‌ଇଜିଏରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା। ଚୌହାନ କହିଛନ୍ତି, ପ୍ରାରମ୍ଭ‌ରେ ଏହା ଏନ୍‌ଆର୍‌ଇଜିଏ ଥିଲା ଏବଂ ଏଥିରେ ମହାତ୍ମା ଗାନ୍ଧୀଙ୍କ ନାଁ ସାମିଲ ନଥିଲା। ପରେ ୨୦୦୯ ଲୋକସଭା ନିର୍ବାଚନ ଆସିବା ସମୟରେ ବାପୁଙ୍କ କଥା ମନେ ପଡ଼ିଲା ଏବଂ ଏହା କେବଳ ଭୋଟ୍‌ ପାଇଁ ହିଁ କରାଯାଇଥିଲା।  ତେବେ ମୁଁ ଏହା କହିବାକୁ ଚାହୁଛି ଯେ ଏମଜିଏନ୍‌ଆରଇଜିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଠିକ୍‌ ଭାବେ ଏବଂ ଦୃଢ଼ ଭାବେ କାର୍ଯ୍ୟକାରୀ ହୋଇଛି।  ଭିବି ଜି ରାମ ଜି ବିଲ୍‌ ଉପରେ ୮ ଘଣ୍ଟାର ଆଲୋଚନା ଉପରେ ଜବାବ ରଖି ଚୌହାନ କହିଛନ୍ତି, ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ କାଏମ ରଖିବା ସୁନିଶ୍ଚିତ କରାଯାଇଛି।  ଚୌହାନ କହିଛନ୍ତି, କଂଗ୍ରେସ ବାପୁଙ୍କ ବିଚାରଧାରାକୁ ମାରିଦେଇଛି। କିନ୍ତୁ ଏନ୍‌ଡିଏ ପିଏମ୍‌ ଆୱାସ ଯୋଜନା, ଉଜ୍ଜ୍ବଳା ଯୋଜନା, ସ୍ବଚ୍ଛ ଭାରତ, ଆୟୁଷ୍ମାନ ଭାରତ ଦ୍ବାରା ବାପୁଙ୍କ ବିଚାରଧାରାକୁ ଜୀବିତ ରଖିଛି।  ଚୌହାନ କହିଛନ୍ତି, ଏହି ବିଲ୍‌ ନିଯୁକ୍ତି ସୁନିଶ୍ଚିତ କରିବ ଏବଂ ସ୍ବାବଲମ୍ବୀ ଗ୍ରାମ ନେଇ ମହାତ୍ମା ଗାନ୍ଧୀ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ କରିବାରେ ସହଯୋଗ କରିବ।  ଭିବି-ଜି ରାମ ଜି ବିଲ୍‌ ଗ୍ରାମର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ସହ ଗ୍ରାମଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରିବ ବୋଲି ସେ କହିଛନ୍ତି।

Father and mother: ବାପାମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା

ଗ୍ରାମୀଣ ନିଯୁକ୍ତ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବା ବିରୋଧରେ ଆଜି ବିରୋଧୀ ସାଂସଦମାନେ ଲଗାତାର ସ୍ଲୋଗାନ ଦେଇ ହଟ୍ଟଗୋଳ ଜାରି ରଖିଥିଲେ।  ସେମାନେ ବିଲ୍‌ର କପି ଚିରି ଏହାକୁ ବାଚସ୍ପତିଙ୍କ ଆସନ ଆଡ଼କୁ ଫୋପାଡ଼ିବାରୁ ହଙ୍ଗାମା ବଢ଼ିଥିଲା। ଅନ୍ୟପକ୍ଷେ ଆଜି  ବିରୋଧୀ ସାଂସଦମାନେ ବିଲ୍‌ ପ୍ରତ୍ୟାହାର ଦାବିରେ ସଂସଦ ଭବନ ପରିସରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିଲ୍‌ ଗାନ୍ଧୀଜୀଙ୍କ ପ୍ରତି ଏବଂ କାମ କରିବାର ଅଧିକାର ପ୍ରତି ଏକ ଅପମାନ ବୋଲି  କହିଛନ୍ତି।  ମକର ଦ୍ବାରରେ ଆଜି ବିରୋଧୀ ସାଂସଦମାନେ  ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ‌ସୋନିଆ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜି ରାମ ଜି ବିଲ୍ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫  ଦିନର ମଜୁରୀ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରୁଛି। ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ଅଣକୁଶଳୀ ହସ୍ତକୃତ କାର୍ଯ୍ୟ ପାଇଁ  ଆଗ୍ରହ ପ୍ରକାଶ କରିବେ, ସେମାନଙ୍କୁ ଏହି ଯୋଜନା ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରିବ।

ରାଜ୍ୟସଭାରେ ପାରିତ ହେଲା ‘ଶାନ୍ତି’ ବିଲ୍‌

ବିରୋଧୀ ଦଳମାନଙ୍କ ଜୋର୍‌ଦାର ବିରୋଧ ମଧ୍ୟରେ ରାଜ୍ୟସଭାରେ ଆଜି ସ୍ଥାୟୀ ପରମାଣୁ ଶକ୍ତି ସଂଗ୍ରହ ଓ ଭାରତ ରୂପାନ୍ତରଣ ନିମନ୍ତେ ଅଗ୍ରଗତି (ଶାନ୍ତି) ବିଧେୟକ, ୨୦୨୫ ଗୃହୀତ ହୋଇଛି।  ଏହି ବିଲ୍‌ ଭାରତର ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିଦେବାକୁ ଲକ୍ଷ୍ୟ ରଖିଛି, ଯାହାକୁ ସରକାର ଦେଶର ଶକ୍ତି ସୁରକ୍ଷା ଓ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ପାଇଁ ଅତ୍ୟାବଶ୍ୟକ ବୋଲି କହୁଛନ୍ତି। ଗତକାଲି ଲୋକସଭାରେ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଏହା ଗୃହୀତ ହୋଇଥିବା ବେଳ ଆଜି  ରାଜ୍ୟସଭାରେ ଏହା ଗୃହୀତ ହେବା ସରକାରଙ୍କୁ ଆଶ୍ବସ୍ତ କରିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ଉପସ୍ଥାପନ କରି  କହିଥିଲେ ଯେ ଏହା ଭାରତକୁ ୨୦୪୭ ସୁଦ୍ଧା ୧୦୦ ଜିଗାୱାଟ୍ ପରମାଣୁ କ୍ଷମତା ହାସଲ କରାଇବ ଏବଂ ଶାନ୍ତିପୂର୍ଣ୍ଣ ଉପଯୋଗକୁ ପ୍ରୋତ୍ସାହିତ କରିବ।  ସାଂସଦ ସୁଧା ମୂର୍ତ୍ତି ବିଲ୍‌କୁ ସମର୍ଥନ କରି କହିଛନ୍ତି ଯେ ପରମାଣୁ ଶକ୍ତିକୁ ଧ୍ୱଂସାତ୍ମକ ଘଟଣା ସହ ଯୋଡ଼ି ଦେଖାଯାଏ, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଉପଯୋଗରେ ବ୍ୟବହାର ହୋଇପାରିବ। ସରକାର  ଦାବି କରିଛନ୍ତି ଯେ ଏହା ନିବେଶ ଆକର୍ଷଣ କରି ନୂଆ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପାଇଁ ରାସ୍ତା ଖୋଲିବ ଏବଂ ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି ରଖିବ।
କଂଗ୍ରେସ୍, ତୃଣମୂଳ କଂଗ୍ରେସ୍, ଡିଏମ୍‌କେ, ଆମ୍ ଆଦ୍‌ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳମାନେ କହିଛନ୍ତି ଏବଂ ଏହି ନୂଆ ବିଲ୍‌ ସୀମିତ ଧନୀ ଗୋଷ୍ଠୀଙ୍କ ଦ୍ବାରା ପରମାଣୁ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ରାସ୍ତା ଖୋଲିଦେବ।  ଟିଏମ୍‌ସି ସାଂସଦ ସୌଗତ ରାୟ  କହିଛନ୍ତି ଯେ କଡ଼ା ନିୟନ୍ତ୍ରଣ ବିନା ଘରୋଇ ଭାଗିଦାରୀ ବିପଜ୍ଜନକ। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ସରକାରଙ୍କ ପଦକ୍ଷେପ ପରମାଣୁ କ୍ଷେତ୍ରକୁ ବିପଦସଙ୍କୁଳ କରିବ। ବିରୋଧୀ ଦଳମାନେ ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବାକୁ ଦାବି କରି ରାଜ୍ୟସଭାରେ ମଧ୍ୟ କଡ଼ା ବିରୋଧ କରିଥିଲେ।

Exit mobile version