ଦେଶ ବିଦେଶ

Vijayadashami: ସଂଘ ଓ ସରକାରଙ୍କ ମଧ୍ୟରେ ବିରୋଧାଭାସ ଇଙ୍ଗିତ କଲା କଂଗ୍ରେସ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଆସନ୍ତା ୨୦ ଅକ୍ଟୋବରରେ ହେବାକୁ ଥିବା ବିଜୟଦଶମୀ ସମାରୋହରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନଖଡ଼ ସମ୍ମାନିତ ଅତିଥି ହେବେ। ଗତ ବର୍ଷ ସ୍ୱାସ୍ଥ୍ୟଗତ କାରଣରୁ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା...

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଆସନ୍ତା ୨୦ ଅକ୍ଟୋବରରେ ହେବାକୁ ଥିବା ବିଜୟଦଶମୀ ସମାରୋହରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନଖଡ଼ ସମ୍ମାନିତ ଅତିଥି ହେବେ। ଗତ ବର୍ଷ ସ୍ୱାସ୍ଥ୍ୟଗତ କାରଣରୁ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବିଜେପି ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଛି ବୋଲି ଅନୁମାନ କରାଯାଉଥିବାବେଳେ ଆର୍‌ଏସ୍‌ଏସ୍‌ ତାଙ୍କୁ ଏହାର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମରେ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ସହଜରେ ଗ୍ରହଣ କରିପାରିନାହିଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପାର୍ଟି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ସରକାର ଓ ଆର୍‌ଏସ୍‌ଏସ୍‌ ବିରୋଧାଭାସରେ ପରିପୂର୍ଣ୍ଣ। ଆର୍‌ଏସ୍‌ଏସ୍‌ ଧନଖଡ଼ଙ୍କୁ ନିମନ୍ତ୍ରଣ କରିଛି, କିନ୍ତୁ ଗତବର୍ଷ ଜୁଲାଇରୁ ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କୁ ବାସଭବନ ଆବଣ୍ଟନ କରିନାହିଁ। ଧନଖଡ଼ କୃଷକଙ୍କ ଦାବିକୁ ନେଇ ‌ମୋଦୀ ସରକାରଙ୍କୁ ଲଗାତାର ସମାଲୋଚନା କରୁଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନିର୍ଦ୍ଦେଶରେ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ସଂଘ ଓ ବିଜେପି ମଧ୍ୟରେ ସମ୍ପର୍କ ଆଉ ପୂର୍ବ ପରି ସ୍ୱାଭାବିକ ନାହିଁ, ତେଣୁ ସଂଘ ବିଜେପି ନେତୃତ୍ୱାଧୀନ ମୋଦୀ ସରକାରଙ୍କ ପାଇଁ କଣ୍ଟା ସାଜିଥିବା ଧନଖଡ଼ଙ୍କୁ ଏହାର ବାର୍ଷିକ କାର୍ଯ୍ୟକ୍ରମରେ ଅତିଥି କରୁଛି ବୋଲି ରମେଶ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨୦ ତାରିଖରେ ନାଗପୁରର ରେଶିମବାଗ ଗ୍ରାଉଣ୍ଡରେ ୨୦୨୬ ମସିହାର ଆର୍‌ଏସ୍‌ଏସ୍‌ ବିଜୟାଦଶମୀ ଉତ୍ସବ ସଂଘର ଶତବାର୍ଷିକୀ ବର୍ଷର ଶେଷ ତାରିଖ ହେବ। ଆର୍‌ଏସ୍‌ଏସ୍‌ ବିଜୟାଦଶମୀ ଉତ୍ସବ ପାଇଁ ଧନଖଡ଼, ମଧ୍ୟ-ପଶ୍ଚିମ ଭାରତ ପାଇଁ ଇସ୍ରାଏଲର କନସୁଲ ଜେନେରାଲ ୟାନିଭ ରେଭାଚ ଅତିଥି ଭାବେ ନିମନ୍ତ୍ରଣ କରିଥିବାବେଳେ କାର୍ଯ୍ୟକ୍ରମରେ ଦୈନିକ ଜାଗରଣର ମୁଖ୍ୟ ସମ୍ପାଦକ ସଞ୍ଜୟ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ମୋହନ ଭାଗବତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button