ଜ୍ଞାନବ୍ରତ ଭୋଇ
ଝାରସୁଗୁଡ଼ା: ଛତିଶଗଡ଼ର ପୁଣି ସାଂଘାତିକ ଖେଳ। ମହାନଦୀର ମୁଖ୍ୟ ସ୍ରୋତରୁ ଆରମ୍ଭ କରି ଓଡ଼ିଶାକୁ ସଂଯୋଗ କରୁଥିବା ବଡ଼କେଲୋ ନଦୀକୁ ପୂର୍ବରୁ ଅବରୋଧ କରିସାରିଛି। ଏବେ ସାନକେଲୋ ନଦୀକୁ ବି ନିଜ କବ୍ଜାକୁ ନେଇଗଲାଣି। ଇତିମଧ୍ୟରେ ଏହି ନଦୀର ଉପରମୁଣ୍ଡ ଓଡ଼ିଶା ସୀମାନ୍ତ ବେଲେରିଆରେ ଏକ ବନ୍ଧ ନିର୍ମାଣ କରି ପାଣି ଅବରୋଧ ଆରମ୍ଭ କରିସାରିଛି ଛତିଶଗଡ଼। ଫଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଭିଖମପାଲି ଏବଂ ଅତାବିରା ପଞ୍ଚାୟତର ପ୍ରାୟ ୬ଟି ଗାଁର ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପଡ଼ୋଶୀ ରାୟଗଡ଼ ଜିଲ୍ଲାର ବେଲେରିଆ ଗାଁ ଦେଇ ପ୍ରବାହିତ
ହୋଇଥିବା ସାନ କେଲୋ ନଦୀରେ ଛତିଶଗଡ଼ ସରକାର ୨ ବର୍ଷ ତଳୁ ଏକ ବନ୍ଧ ନିର୍ମାଣ କାମ ଆରମ୍ଭ କରିଥିଲେ। ଏହାମଧ୍ୟରେ ବନ୍ଧ ନିର୍ମାଣ ସରିଯାଇଥିବାବେଳେ ସମସ୍ତ ପାଣି ଗଚ୍ଛିତ ରଖାଯାଇଛି। ଫଳରେ ତଳମୁଣ୍ଡକୁ ମୁନ୍ଦାଏ ବି ପାଣି ଆସୁନାହିଁ।
ପୋଲ ଆଳରେ ବେଲେରିଆରେ ବନ୍ଧ ନିର୍ମାଣ
ମହାନଦୀ ଓଡ଼ିଶାକୁ ପ୍ରବେଶ କରିବା ପରେ ଏହାର ଦ୍ବିତୀୟ ଉପନଦୀ ସାନକେଲୋ ଛତିଶଗଡ଼ରୁ ଆସି ଲଖନପୁର ବ୍ଲକ୍ର ଛୁଇଁପାଲି ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରରେ ମିଶିଛି। ହେଲେ ବର୍ତ୍ତମାନ ଉକ୍ତ ନଦୀକୁ ଅବରୋଧ କରିବା ଦ୍ବାରା ଏହି ପାଣି ଉପରେ ନିର୍ଭରଶୀଳ ଓଡ଼ିଶାର ଅତାବିରା ପଞ୍ଚାୟତର ଏମ୍.କଟାପାଲି, ଗିରେଲପାଲି, ଭିଖମପାଲି ପଞ୍ଚାୟତର ବାଉଁସେନ୍ପାଲି, ଭିଖମପାଲି, ଚିଖିଲାପାଲି ଓ ଛୁଇଁପାଲି ଗାଁର ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି। ସେମିତିରେ ଗତ ପ୍ରାୟ ୫ ବର୍ଷ ହେଲା ଏହି ନଦୀର ପାଣିକୁ ଛତିଶଗଡ଼ର ଏକ ଘରୋଇ ଶିଳ୍ପସଂସ୍ଥା ଅଟକାଇ ରଖିଛି। ଯାହାକିଛି ପାଣି ଆସୁଥିଲା ସେଥିରେ ବାଲିବନ୍ଧ ବାନ୍ଧି ସ୍ଥାନୀୟ ଲୋକେ ଗାଧୋଇବାରୁ ଆରମ୍ଭ କରି ଗୋପାଳନ ଆଦି କାମରେ ବ୍ୟବହାର କରୁଥିଲେ। କିନ୍ତୁ ବେଲେରିଆରେ ବନ୍ଧବାନ୍ଧି ପାଣି ଅଟକାଇବା ପରେ ତଳମୁଣ୍ଡରେ କେବଳ ବାଲି ହିଁ ଦେଖିବାକୁ ମିଳୁଛି। ସାନକେଲୋ ନଦୀ ଶୁଖିଲା ପଡ଼ିବା ଫଳରେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି।
ଏଥିପାଇଁ ବାଉଁସେନ୍ପାଲି, ଭିକମପାଲି, ଚିଖିଲାପାଲି, ଛୁଇଁପାଲି, କଦମଘାଟ ଆଦି ସ୍ଥାନରେ ଥିବା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଏକପ୍ରକାର ଅଚଳ ହେବାକୁ ବସିଲାଣି। ବେଲେରିଆରେ ନିର୍ମିତ ଏହି ବ୍ରିଜ୍ କମ୍ ବ୍ୟାରେଜ୍ ପ୍ରକଳ୍ପକୁ ଷ୍ଟକ୍ ୱାଟର୍ ପ୍ରୋଜେକ୍ଟ ନାମ ଦିଆଯାଇଥିବା ଛତିଶଗଡ଼ ଲୋକେ କହିଛନ୍ତି। ଏହା ବେଳେରିଆରୁ ଡୁମେରପାଲିକୁ ଯୋଡ଼ିବା ସହ ଆଖପଖ ଅଞ୍ଚଳର ଜମିକୁ ଜଳସେଚିତ କରିବ। ପାଣି ଅଧିକ ଗଚ୍ଛିତ ହେଲେ ଆଖପାଖ ଶିଳ୍ପକୁ ବି ଛତିଶଗଡ଼ ସରକାର ପାଣି ଯୋଗାଇବେ ବୋଲି ସେଠାକାର ଜନପ୍ରତିନିଧି ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ