ଉପନ ଚରଣ ସାହୁ
ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ବ୍ଲକ୍ ଅତାବିରା ପଞ୍ଚାୟତର ଗୋଟିଏ ପଡ଼ା ହେଉଛି ଡୁମେରଢିପା। ୧୯୫୭ ମସିହାରେ ହୀରାକୁଦ ନଦୀବନ୍ଧ ଯୋଗୁଁ ବିସ୍ଥାପିତ ୪୫ଟି ପରିବାର ଏଠାରେ ବସବାସ କରିବା ଆରମ୍ଭ କରିଥିଲେ। ଏବେ ୮୭ରୁ ଅଧିକ ପରିବାରବିଶିଷ୍ଟ ଏହି ଗାଁର ଲୋକସଂଖ୍ୟା ୪୫୦ରୁ ଅଧିକ। ଏହି ପଡ଼ାକୁ ୨୦୦୩ ମସିହାରେ ରାଜସ୍ୱ ଗ୍ରାମ ଘୋଷଣା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାନ୍ୟତା ମିଳି ନାହିଁ। କିନ୍ତୁ ଡୁମେରଢ଼ିପା ଗ୍ରାମବାସୀଙ୍କ ଏକତା, ଇଛା ଓ ଆଗ୍ରହ ଯୋଗୁଁ ଏହି ଗାଁ ଏକ ଆଦର୍ଶ ଗ୍ରାମରେ ପରିଣତ ହୋଇଛି। ୟୁପିଏ ସରକାରଙ୍କ ନିର୍ମଳ ଭାରତ ଯୋଜନା ଓ ଏନ୍ଡିଏ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭର ବହୁ ପୂର୍ବରୁ ଏହି ଗ୍ରାମରେ ଜଳ ପରିମଳ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଠାରେ ୨୦୦୭ ମସିହାରେ ୭୦ ପରିବାର ପାଇଁ ପାଇଖାନା, ଗାଧୁଆ ଘର, ୨୪ଘଣ୍ଟିଆ ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲା। ଗ୍ରାମ ଭିତରେ ଏକ ବୃହତ୍ ଟାଙ୍କି ତଳେ ଗୋଟିଏ ସୁନ୍ଦର ଅଭ୍ୟର୍ଥନା ଗୃହ ରହିଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ସମୟରେ ପରିବାର ପିଛା ୧୨ ଶହ ଟଙ୍କା, ଗ୍ରାମ ବିକାଶ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ପରିବାର ପିଛା ୩ ହଜାର ଟଙ୍କା, ଟିଆର୍ଏଲ୍ ପକ୍ଷରୁ ପରିବାର ପିଛା ୧୫୦୦ ଖଣ୍ଡ ଇଟା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଗ୍ରାମବାସୀମାନେ ଶ୍ରମଦାନ ସହିତ ଗ୍ରାମ ଗୋଷ୍ଠୀ ପାଣ୍ଠି ବିନିଯୋଗରେ ଏହାକୁ ନିର୍ମାଣ କରିଥିଲେ।
ସୌଜନ୍ୟ ସମ୍ବାଦ
