Vinod Kambli: ଦିନକୁ ଦିନ ସ୍ମରଣଶକ୍ତି ହରାଇ ଚାଲିଛନ୍ତି କାମ୍ବଲି

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲି ଦିନକୁ ଦିନ ତାଙ୍କ ସ୍ମରଣଶକ୍ତି ହରାଇ ଚାଲିଛନ୍ତି। କିଛି କିଛି କଥା ମନେ ରଖି ଅଧିକାଂଶ ଜିନିଷ ଭୁଲି ଯାଉଛନ୍ତି। ଏପରିକି ଡାକ୍ତରମାନେ ତାଙ୍କୁ ଧୂମପାନରୁ ବାରଣ କରିବା କଥାକୁ ମଧ୍ୟ ମନେ ରଖି ପାରୁ ନାହାନ୍ତି। ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ନୂଆ ନୂଆ ସମସ୍ୟା ପରିଲକ୍ଷିତ ହେଉଛି।

ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ସମୟରେ ତାଙ୍କର ମସ୍ତିଷ୍କାଘାତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏବେ କିନ୍ତୁ ସେ ବାଡ଼ି ଧରି ଚାଲିବା ପରିବର୍ତ୍ତେ ସ୍ବାଭାବିକ ଭାବେ ଚଳ ବିଚଳ କରିପାରୁଛନ୍ତି। କିନ୍ତୁ କାମ୍ବଲିଙ୍କ ମସ୍ତିଷ୍କ‌ରେ ରକ୍ତ ଜମାଟ ବାନ୍ଧି ଯାଇଥିବାରୁ ଡାକ୍ତରମାନେ ଚିନ୍ତାରେ ରହିଛନ୍ତି। ୫୪ବର୍ଷୀୟ ଏହି ପୂର୍ବତନ ବାମହାତୀ ବ୍ୟାଟର୍‌ ନିଜର ଅଧିକାଂଶ ବଦଭ୍ୟାସକୁ ପରିତ୍ୟାଗ କରିସାରିଲେଣି ବୋଲି ତାଙ୍କ ନିକଟତମ ବନ୍ଧୁ ମାର୍କୋସ୍‌ କୁଟୋ ପ୍ରକାଶ କରିଛନ୍ତି। ସଂପ୍ରତି କାମ୍ବଲି ଅଧିକାଂଶ ସମୟ ନିଜ ପରିବାର ସହ କଟାଉଛନ୍ତି।

ପତ୍ନୀ ଆଣ୍ଡ୍ରିୟା କେବେ କେବେ ତାଙ୍କୁ ମୁମ୍ବାଇରୁ ଥାନେ ଭୁଲିବାକୁ ନେଉଛନ୍ତି। ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି କୁଟୋସ୍‌ ମଧ୍ୟ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ସ୍ଥାପନ କରିଛନ୍ତି। ଏଥିରେ କାମ୍ବଲିଙ୍କର ଅଧିକାଂଶ କ୍ରିକେଟର୍‌ ବନ୍ଧୁ ଅଛନ୍ତି। ସେମାନେ ପ୍ରତିମାସରେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି। ସୂଚନାଯୋଗ୍ୟ ଯେ ୧୮ ମାସ ପୂର୍ବେ ମୁମ୍ବାଇରେ ଆୟୋଜିତ ରମାକାନ୍ତ ଆର୍ଚେକର ସ୍ମାରକୀ ବକ୍ତୃତା ଅବସରରେ କାମ୍ବଲି ଯୋଗଦେଲା ବେଳେ ଠିକ୍‌ ଭାବେ ଠିଆ ହୋଇ ପାରୁ ନଥିଲେ। ଏହି ଦୃଶ୍ୟ ପଦାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସଚିନ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ