Voter did magic: ମ୍ୟାଜିକ୍ କଲେ ଭୋଟର: ଦିଦିଙ୍କ ଦୁର୍ଗ ଭୁଶୁଡ଼ିଲା, ମମତା, ଷ୍ଟାଲିନ ଚିତ୍ପଟାଙ୍ଗ

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ: ପଶ୍ଚିମବଙ୍ଗ, ତାମିଲନାଡ଼ୁ ସମେତ ୪ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡ଼ୁଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଭାରତୀୟ ରାଜନୈତିକ ଦୃଶ୍ୟପଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ବିଜେପି ଏକ ଐତିହାସିକ ସଫଳତା ହାସଲ କରି ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନକୁ ଧୂଳିସାତ୍ କରିଦେଇଛି। ୨୦୦ରୁ ଅଧିକ ଆସନ ଜିତି ବିଜେପି କେବଳ ମମତାଙ୍କ ଦୁର୍ଗ ଭାଙ୍ଗିନାହିଁ, ବରଂ ରାଜ୍ୟରେ ପ୍ରଥମ ଥର ପାଇଁ ନିଜର ସରକାର ଗଠନ କରିବାକୁ ଯାଉଛି। ଏହି ବିପୁଳ ବିଜୟ ପଶ୍ଚିମବଙ୍ଗ ଭୋଟରଙ୍କ ପସନ୍ଦରେ ଏକ ବଡ଼ ପରିବର୍ତ୍ତନକୁ ସୂଚାଉଛି, ଯେଉଁଠାରେ ବିଜେପିର ଜାତୀୟ ଏକତା, ନିଯୁକ୍ତି ସୁଯୋଗ ଏବଂ ଅନୁପ୍ରବେଶ ତଥା ଆଇନ ଶୃଙ୍ଖଳା ଉପରେ କଠୋର ଆଭିମୁଖ୍ୟକୁ ଜନତା ଗ୍ରହଣ କରିଛନ୍ତି। ଅନ୍ୟପଟେ, ତାମିଲନାଡୁରେ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଦ୍ରାବିଡ଼ ଦଳଗୁଡ଼ିକର ଏକଚାଟିଆ ପ୍ରଭାବକୁ ଏକ ବଡ଼ ଧକ୍କା ଲାଗିଛି। ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (ଟିଭିକେ) ନିଜର ପ୍ରଥମ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରି ୧୦୭ଟି ଆସନ ଜିତି ବହୁମତର ନିକଟତର ହୋଇଛି। ତାମିଲନାଡ଼ୁରେ ଟିଭିକେ ଶାସକ ଡିଏମ୍କେ ଏବଂ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍କେକୁ ପଛରେ ପକାଇ ଦେଇଛି। ଏହା ପ୍ରମାଣ କରୁଛି ଯେ ଅଭିନେତାଙ୍କ ସିନେମା ଜଗତର କ୍ରେଜ୍ ଏବେ ସଫଳ ରାଜନୈତିକ ଶକ୍ତିରେ ପରିଣତ ହୋଇଛି। କେରଳମ୍ରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ବିପୁଳ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆସାମ ଓ ପୁଡୁଚେରୀରେ ଏନ୍ଡିଏ ନିଜର ଦବଦବା ବଜାୟ ରଖିଛି। ଆସାମରେ ବିଜେପିର ହ୍ୟାଟ୍ରିକ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପାଇଁ ଏକ ଐତିହାସିକ ସଫଳତା ଆଣିଛି।
ପଶ୍ଚିମବଙ୍ଗରେ ବିଜେପି ୨୦୬ ଆସନ ହାସଲ କରିବା ୨୦୨୧ ଫଳାଫଳର ସମ୍ପୂର୍ଣ୍ଣ ଓଲଟା ଚିତ୍ର। କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱଙ୍କ ସମନ୍ୱିତ ପ୍ରଚାର, ସ୍ଥାନୀୟ ଦୁର୍ନୀତି ବିରୋଧୀ ଅଭିଯାନ ଏବଂ ଆର୍ଥିକ ମାନ୍ଦାବସ୍ଥାରେ ଅତିଷ୍ଠ ହୋଇଥିବା ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ଟିଏମ୍ସି ମାତ୍ର ୮୧ଟି ଆସନକୁ ଖସି ଆସିଥିବା ବେଳେ ଦଳର ମୁଖ୍ୟ ମମତା ବାନାର୍ଜୀ ନିଜର ଗଡ଼ ଭବାନୀପୁରରେ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଏବଂ ବାମଦଳ କେବଳ ୨ଟି ଲେଖାଏଁ ଆସନରେ ସୀମିତ ରହି ଲଜ୍ଜାଜନକ ପରାଜୟକୁ ସାମନା କରିଛନ୍ତି। ତାମିଲନାଡୁ ରାଜନୀତିରେ ‘ଥାଲାପତି’ ବିଜୟଙ୍କ ଅଭ୍ୟୁଦୟ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଏବେ ପୂରଣ କରିଛି। ତାଙ୍କ ଦଳ ଟିଭିକେ ୧୦୭ଟି ଆସନ ଦଖଲ କରି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ସାଜିଛି। ଏହି ନିର୍ବାଚନରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପରାଜୟ । ସେ ନିଜ ନିର୍ବାଚନମଣ୍ଡଳୀ କୋଲାଥୁରରେ ଟିଭିକେ ପ୍ରାର୍ଥୀଙ୍କଠାରୁ ହାରି ଯାଇଛନ୍ତି। ଉଦୟନିଧି ଷ୍ଟାଲିନ ଚେପାକ୍ ଆସନରୁ ଜିତିବାରେ ସଫଳ ହୋଇଥିଲେ ମଧ୍ୟ ଡିଏମ୍କେ ମାତ୍ର ୭୪ଟି ଆସନରେ ସୀମିତ ରହିଛି। ବିଜୟ ନିଜେ ପେରାମ୍ବୁର ଏବଂ ତ୍ରିଚି ପୂର୍ବ ଆସନରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହା ସହିତ ସେ ରାଜ୍ୟ ରାଜନୀତିର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍କେ ମେଣ୍ଟ ୫୨ ଆସନରେ ସୀମିତ ରହିଯାଇଛି।
କେରଳମ୍ରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୮୯ ଆସନ ଜିତି ପିନରାୟୀ ବିଜୟନଙ୍କ ଏଲ୍ଡିଏଫ୍ର ଲଗାତାର ତୃତୀୟ ଥର ସରକାର ଗଠନ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏଥର ଏଲ୍ଡିଏଫ୍ ୩୫ ଆସନରେ ସୀମିତ ରହିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ କେରଳମ୍ରେ ୩ଟି ଆସନ ଜିତି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଉତ୍ତର-ପୂର୍ବ ଭାରତରେ ବିଜେପିର ଶ୍ରେଷ୍ଠ ପ୍ରଦର୍ଶନ ଅବ୍ୟାହତ ରହିଛି। ଆସାମର ୧୨୬ଟି ଆସନ ମଧ୍ୟରୁ ଏନ୍ଡିଏ ୧୦୨ଟି ଆସନରେ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜାଲୁକବାରୀ ଆସନରୁ ପୁଣିଥରେ ବଡ଼ ବିଜୟ ହାସଲ କରିଛନ୍ତି। କଂଗ୍ରେସର ବଡ଼ନେତା ଗୌରବ ଗୋଗୋଇ ଯୋରହାଟ ଆସନରୁ ବିଜେପି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି। ଆସାମରେ କଂଗ୍ରେସକୁ ୨୧ ଆସନ ମିଳିଛି।
କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ ପୁଣି ଏନ୍. ରଙ୍ଗାସ୍ବାମୀଙ୍କ ନେତୃତ୍ବରେ ଏନ୍ଡିଏକୁ ସଫଳତା ମିଳିଛି। ମୋଟ ୩୦ ଆସନରୁ ମେଣ୍ଟ ୧୮ ଆସନ ହାସଲ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ମେଣ୍ଟ ୬ ଆସନରେ ସୀମିତ ରହିଛି। ‘ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ’(ଏଆଇଏନ୍ଆର୍ସି) ୧୨ଟି ଆସନ ଏବଂ ବିଜେପି ୪ଟି ଆସନ ଜିତି ପୁଣିଥରେ ଏଠାରେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛନ୍ତି। ଏଠାରେ ଟିଭିକେ ମେଣ୍ଟକୁ ୩ଟି ଆସନ ମିଳିଛି।
ସୌଜନ୍ୟ ସମ୍ବାଦ




