War: ‘ଖେମିନିଙ୍କ ଆଦେଶ ହେଲେ ଖୋଲିବ ହର୍ମୁଜ, କୌଣସି ମୂର୍ଖଙ୍କ ଟ୍ୱିଟ୍ ଦ୍ବାରା ନୁହେଁ

ତେହେରାନ: ହର୍ମୁଜ ପ୍ରଣାଳୀକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ବିବାଦ ଚାଲିଛି। ଏହି କୂଟନୈତିକ ବିବାଦ ଏବେ ସୋସିଆଲ ମିଡ଼ିଆରେ ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହୋଇଛି। ସଦ୍ୟତମ ଘଟଣାକ୍ରମରେ, ଇରାନର ନୌସେନା ଏକ ବାଣିଜ୍ୟିକ ଜାହାଜକୁ ସ୍ପଷ୍ଟ ବାର୍ତ୍ତା ପଠାଇଛି ଯେ ଜଳପଥ ଏପର୍ଯ୍ୟନ୍ତ ବନ୍ଦ ଅଛି ଏବଂ କେବଳ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ନିର୍ଦ୍ଦେଶରେ ଖୋଲାଯିବ। ଜାହାଜ ଓ ଇରାନ ନୌସେନା ମଧ୍ୟରେ ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିଛି। ଏଥିରେ ଇରାନ ନୌସେନା କହିଛି ଯେ ପ୍ରଣାଳୀ କୌଣସି ‘ମୂର୍ଖଙ୍କ ଟ୍ୱିଟ୍’ ଦ୍ୱାରା ନୁହେଁ, ବରଂ ଖେମିନିଙ୍କ ନିର୍ଦ୍ଦେଶରେ ଖୋଲାଯିବ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, କତରରୁ ଲୋଡିଂ ପରେ ପାରସ୍ୟ ଉପସାଗରରେ ଫସି ରହିଥିବା ଅତି କମ୍‌ରେ ପାଞ୍ଚଟି ଏଲ୍‌ଏନ୍‌ଜି ଜାହାଜ ମନ୍ଥର ହୋଇଯାଇଥିଲା କିମ୍ବା ହର୍ମୁଜ ନିକଟରୁ ଫେରିଥିଲା। ଇରାନ କର୍ତ୍ତୃପକ୍ଷ ଜାହାଜଗୁଡ଼ିକୁ ଚେତାବନୀ ଦେଇଥିଲେ ଯେ ମାର୍ଗ ବନ୍ଦ ରହିଛି। ଶନିବାର ଦୁଇଟି ଭାରତୀୟ ଜାହାଜକୁ ଟାର୍ଗେଟ୍ କରିବା ପରେ ଏହି ଘଟଣା ଘଟିଥିଲା।

ଏହା ପୂର୍ବରୁ ଶୁକ୍ରବାର ଇରାନର ବୈଦେଶିକ ମନ୍ତ୍ରୀ ସୟିଦ ଅବ୍ବାସ ଆରାଘଚି କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ଅଛି, କିନ୍ତୁ କିଛି ଘଣ୍ଟା ମଧ୍ୟରେ ମିଲିଟାରୀ କମାଣ୍ଡ ସେହି ବିବୃତିକୁ ପ୍ରତ୍ୟାହାର କରି କହିଛି ଯେ ଏହି ମାର୍ଗ ବର୍ତ୍ତମାନ କଠୋର ସାମରିକ ନିୟନ୍ତ୍ରଣ ଅଧୀନରେ ଅଛି। ତେବେ ଇରାନ ନୌସେନା ‘ମୂର୍ଖ’ ଶବ୍ଦଟି ଟ୍ରମ୍ପଙ୍କ ପ୍ରତି ଉଲ୍ଲେଖ କରିଛି ବୋଲି କୁହାଯାଉଥିବା ବେଳେ ଏହା ନିଜ ଦେଶର ବିଦେଶ ମନ୍ତ୍ରୀଙ୍କ ଲାଗି ବ୍ୟବହାର କରାଯାଇଥିବା ସୋସିଆଲ ମିଡ଼ିଆରେ ଦାବି କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ