War Update: ୱାସିଂଟନ୍‌ ସୈନ୍ୟ ଘାଟି ଉପରେ ଉଡ଼ିଲା ଡ୍ରୋନ୍‌; ରୁବିଓ ଓ ହେଗ୍‌ସେଥ୍‌ଙ୍କୁ ସ୍ଥାନାନ୍ତର ଲାଗି ଯୋଜନା…

ଆମେରିକାର ବିଦେଶ ସଚିବ ମାର୍କ ରୁବିଓ ଓ ପେଣ୍ଟାଗନ ମୁଖ୍ୟ ପିଟ୍‌ ହେଗସେଥ୍‌ ରହୁଥିବା ୱାସିଂଟନସ୍ଥିତ ଆମେରିକା ସୈନ୍ୟ ଘାଟି ଉପରେ ଅଜଣା ଡ୍ରୋନ୍‌ ଚିହ୍ନଟ କରାଯାଇଛି। ଡ୍ରୋନ୍‌ ଦେଖାଯିବା ପରେ ରୁବିଓ ଓ ହେଗସେଥ୍‌ଙ୍କୁ ସ୍ଥାନାନ୍ତର କରିବା ବିଷୟରେ ବିଚାର କରାଯାଉଛି।

ୱାସିଂଟନ, ୧୯/୩: ଆମେରିକାର ବିଦେଶ ସଚିବ ମାର୍କ ରୁବିଓ ଓ ପେଣ୍ଟାଗନ ମୁଖ୍ୟ ପିଟ୍‌ ହେଗସେଥ୍‌ ରହୁଥିବା ୱାସିଂଟନସ୍ଥିତ ଆମେରିକା ସୈନ୍ୟ ଘାଟି ଉପରେ ଅଜଣା ଡ୍ରୋନ୍‌ ଚିହ୍ନଟ କରାଯାଇଛି। ଡ୍ରୋନ୍‌ ଦେଖାଯିବା ପରେ ରୁବିଓ ଏବଂ ହେଗସେଥ୍‌ଙ୍କୁ ସ୍ଥାନାନ୍ତର କରିବା ବିଷୟରେ ବିଚାର କରାଯାଉଥିବା ଜଣାପଡିଛି। ସାମରିକ ବାହିନୀ ଏହି ବିପଦ ସମ୍ପର୍କରେ ତର୍ଜମା କରୁଛି ବୋଲି ଆମେରିକାର ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସୁରକ୍ଷା ସମ୍ବନ୍ଧୀୟ ସୂଚନା ସମ୍ବେଦନଶୀଳ ବିଷୟବସ୍ତୁ ହୋଇଥିବାରୁ ସେ ଉପରେ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ଏହି ଡ୍ରୋନ୍‌ କେଉଁଠୁ ଆସୁଛି ତାହା ଜଣାପଡ଼ିନାହିଁ।

ଗତ ୧୦ ଦିନ ମଧ୍ୟରେ ଗୋଟିଏ ରାତିରେ ଫୋର୍ଟ ମ୍ୟାକନେର୍‌ ଉପରେ ଅନେକ ଡ୍ରୋନ ଦେଖାଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଏବଂ ଏହା ଉପରେ ଆଲୋଚନା କରିବା ପାଇଁ ହ୍ୱାଇଟ୍ ହାଉସରେ ଏକ ବୈଠକ କରାଯାଇଥିଲା। ଇରାନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶରେ ଥିବା ଆ‌ମେରିକା କୂଟନୀତିଜ୍ଞଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି।

ଚଳିତ ସପ୍ତାହରେ ନ୍ୟୁ ଜର୍ସିର ଜଏଣ୍ଟ ବେସ୍ ମ୍ୟାକଗୁଇର୍-ଡିକ୍ସ-ଲେକହର୍ଷ୍ଟ ଏବଂ ଫ୍ଲୋରିଡାର ମ୍ୟାକଡିଲ୍ ବାୟୁସେନା ଘାଟିଠାରେ ସୁରକ୍ଷା ବ୍ୟବସ୍ଥା ଚାର୍ଲି ସ୍ତରକୁ ବୃଦ୍ଧି କରାଯାଇଛି। ଚାର୍ଲି ପରେ ଡେଲ୍ଟା, ଏକମାତ୍ର ଉଚ୍ଚ ସତର୍କତା ସ୍ତର ଯାହାକି କେବଳ ଆକ୍ରମଣ ସମୟରେ କିମ୍ବା ଆକ୍ରମଣ ହେବା ପୂର୍ବରୁ ଲାଗୁ କରାଯାଇଥାଏ।

ଫୋର୍ଟ ମ୍ୟାକନେର୍‌ ଉପରେ ଡ୍ରୋନ୍‌ ଦେଖାଯିବା ପରେ ରୁବିଓ ଏବଂ ହେଗସେଥ୍‌ଙ୍କୁ ସ୍ଥାନାନ୍ତର କରିବା ପାଇଁ ବିଚାର କରାଯାଉଛି। ଅକ୍ଟୋବରରେ ଅନେକ ସଂସ୍ଥା ଦ୍ୱାରା ସୈନ୍ୟ ଘାଟିରେ ଥିବା ସେମାନଙ୍କ କ୍ୱାର୍ଟରଗୁଡ଼ିକୁ ସାର୍ବଜନୀନ ଭାବରେ ରିପୋର୍ଟ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version