ଦେଶ ବିଦେଶ

War Updates: ଜଳୁଛି ମଧ୍ୟପ୍ରାଚ୍ୟ: ବିପଦରେ କୋଟିଏ ଭାରତୀୟଙ୍କ ଜୀବନ… ସାହାଯ୍ୟ ପାଇଁ ଆକୁଳ ନିବେଦନ

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଜଳୁଛି। ବିମାନ ଚଳାଚଳ ବନ୍ଦଯୋଗୁଁ ମଧ୍ୟପ୍ରାଚ୍ୟରେ ପର୍ଯ୍ୟଟକ, ଛାତ୍ର ଏବଂ କର୍ମଚାରୀଙ୍କ ସମେତ ଲକ୍ଷ ଲକ୍ଷ ଭାରତୀୟ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଫସି ରହିଥିବା ଭାରତୀୟମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଜଳୁଛି। ବିମାନ ଚଳାଚଳ ବନ୍ଦଯୋଗୁଁ ମଧ୍ୟପ୍ରାଚ୍ୟରେ ପର୍ଯ୍ୟଟକ, ଛାତ୍ର ଏବଂ କର୍ମଚାରୀଙ୍କ ସମେତ ଲକ୍ଷ ଲକ୍ଷ ଭାରତୀୟ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଫସି ରହିଥିବା ଭାରତୀୟମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି। ଅନେକ ଭାରତୀୟ ସେମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ଇମର୍ଜେନ୍ସି ହେଲ୍‌ପଲାଇନ ନମ୍ବର ଜାରି କରିଛି। ଦୁବାଇରେ ଜଣେ କର୍ମଚାରୀ କହିଛନ୍ତି, ମୁଁ ଜୀବିକା ପାଇଁ ଏଠାକୁ ଆସିଥିଲି। କିନ୍ତୁ ଏବେ ବୋମା ଆଶ୍ରୟସ୍ଥଳ ଖୋଜୁଛି। ଆମକୁ ଏଠାରୁ ଖାଲି କରିବା ପାଇଁ ମୁଁ ମୋଦୀ ଏବଂ ଭାରତ ସରକାରଙ୍କୁ ଅନୁରୋଧ କରୁଛି। ଦୁବାଇ ଏବଂ ଆବୁଧାବି‌ରେ ମଧ୍ୟ ପର୍ଯ୍ୟଟକ ଫସିଛନ୍ତି। ମଧ୍ୟପ୍ରାଚ୍ୟରେ ଫସିଥିବା କିଛି ଏମ୍‌ବିଏ ଏବଂ ଡାକ୍ତରୀ ଛାତ୍ର ସୋସିଆଲ ମିଡିଆରେ ପୋଷ୍ଟ୍‌ ମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଇରାନରେ ପାଖାପାଖି ୨ ହଜାର କାଶ୍ମୀରୀ ଛାତ୍ର ଫସି ରହିଛନ୍ତି।

ସେମାନଙ୍କୁ ସୁରକ୍ଷିତ ଫେରାଇବା ଆଣିବା ପାଇଁ ଜମ୍ମୁ କାଶ୍ମୀର ଛାତ୍ର ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଚିଠି ଲେଖିଛି। ମୋଟ୍‌ ଉପରେ ମଧ୍ୟପ୍ରାଚ୍ୟରେ ପାଖାପାଖି କୋଟିଏ ଭାରତୀୟଙ୍କ ଜୀବନ ଏବେ ଅତ୍ୟନ୍ତ ବିପଦରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମଧ୍ୟପ୍ରାଚ୍ୟ ସ୍ଥିତିକୁ ଚିନ୍ତାଜନକ କହିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ମଧ୍ୟପ୍ରାଚ୍ୟ ସ୍ଥିତି ପାଇଁ ଏହା ଗଭୀର ଚିନ୍ତା ପ୍ରକଟ କରିଛି ଏବଂ ସଂଯମତା ରକ୍ଷା ପାଇଁ ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛି। ଉଲ୍ଲେଖଯୋଗ୍ୟ ଯେ ଉପସାଗରୀୟ ରାଷ୍ଟ୍ର ୟୁଏଇରେ ୩୫ ଲକ୍ଷ ଭାରତୀୟ ରହୁଥିବାବେଳେ, ସାଉଦି ଆରବରେ ୨୭ ଲକ୍ଷ , କୁଏତରେ ୧୦ ଲକ୍ଷ , କତାରରେ ୮ ଲକ୍ଷ, ଓମାନରେ ୬ ଲକ୍ଷ ୬୦ ହଜାର ଏବଂ ବାହାରିନରେ ୩ ଲକ୍ଷ ୫୦ ହଜାର ଭାରତୀୟ ରହିଛନ୍ତି। ତେବେ ୟୁଏଇରେ ମୋଟ୍‌ ଜନସଂଖ୍ୟାର କେବଳ ୩୫ ପ୍ରତିଶତ ହେଉଛନ୍ତି ଭାରତୀୟ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button