Weather Update: ପଶ୍ଚିମ ଓଡ଼ିଶାରେ ଏବେଠୁ ଅସହ୍ୟ ତାତି, ଉତ୍ତର ଓଡ଼ିଶା ଝଡ଼ବର୍ଷା ଆଶଙ୍କା

ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ କରୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ କୂଆପଥର ବର୍ଷା ସହ ଘଡ଼ଘଡି । କେଉଁଠି ଗଛପଡି ଜୀବନ ଯାଇଛି ତ ଆଉ କେଉଁଠି ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭୁବନେଶ୍ୱର : ଶୁକ୍ରବାର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶାରେ ଝଡ଼ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ ପାଇଁ ଅଧିକ ପ୍ରଭାବଥିବାରୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ମୟୂରଭଞ୍ଜରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।

ଉତ୍ତର ଓଡ଼ିଶାରେ ଅଧିକ:

ଉତ୍ତର ଓଡ଼ିଶାର ଅନ୍ୟ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । କେନ୍ଦୁଝର ଓ ସୁନ୍ଦରଗଡ଼ରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ତାରିଖରେ ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ମାଲକାନଗିରିରେ ଝଡ଼ବର୍ଷା ଆଶଙ୍କା ଅଛି ।

ବିଜୁଳି, ଘଡଘଡି ସହ ପବନ:

କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ୩୧, ୧ ଓ ୨ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଏବେଠୁ ଅସମ୍ଭାଳ ତାତି ହେଲାଣି । ଶୁକ୍ରବାର ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

ପଶ୍ଚିମରେ ତତାଇବ:

ସମ୍ବଲପୁରର ୩୯.୩, ଝାରସୁଗୁଡ଼ା, ହୀରାକୁଦ, ସୋନପୁର ଓ ଭବାନୀପାଟଣାରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରିଅନୁଗୁଳ, ରାଉରକେଲା, ନବରଙ୍ଗପୁର, ତାଳଚେରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା । ରାଜଧାନୀ ଭୁବନେଶ୍ୱର ସମେତ ବଲାଙ୍ଗୀର, ନୂଆପଡ଼ା, ଚାନ୍ଦବାଲି, ଭଦ୍ରକ, ବାରିପଦା ଓ ସୁନ୍ଦରଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା ।

 

 

 

ସୌଜନ୍ୟ Prameya News7

Exit mobile version