ଭୁବନେଶ୍ବର ୨୭।୩: ଦିନରେ ତତାଇବ, ରାତିରେ ଭିଜାଇବ । ଦୁଇ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ଭିତରେ ଝାରସୁଗୁଡ଼ା, ଟିଟିଲାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଏଥିସହ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ କୁପାପଥର ବର୍ଷାର ବି ସମ୍ଭାବନା ରହିଛି ।
କାଳବୈଶାଖୀକୁ ସାବଧାନ । ୭ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା । ଝଡ଼ବର୍ଷା ବେଳେ ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ ପବନ । ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ମାଲକାନଗିରି ଭଳି ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୩୦ ରୁ ୫୦ କି.ମି. ଝଟ୍କା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଶନିବାର ଅର୍ଥାତ ୨୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ବାର୍ଣ୍ଣିଂ । ୨୯ ଓ ୩୦ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିଭଳି ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ଭିତରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଭଳି ୧୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ଦିଆଯାଇଛି ୟେଲୋ ଓ୍ବାର୍ଣ୍ଣିଂ ।
ସୌଜନ୍ୟ Prameya News7
