West Bengal SIR: ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ରେ ୮୦ ଲକ୍ଷ ଅଭିଯୋଗ: ଓଡ଼ିଶା, ଝାଡ଼ଖଣ୍ଡର ସହଯୋଗ ନିଅ

ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମୟରେ ଆସିଥିବା ପ୍ରାୟ ୮୦ ଲକ୍ଷ ଦାବି ଓ ଆପତ୍ତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମୟରେ ଆସିଥିବା ପ୍ରାୟ ୮୦ ଲକ୍ଷ ଦାବି ଓ ଆପତ୍ତିର ସମାଧାନ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପଡ଼ୋଶୀ ଓଡ଼ିଶା ଓ ଝାଡ଼ଖଣ୍ଡରୁ ବିଚାର ବିଭାଗୀୟ ଅଧିକାରୀଙ୍କ ସହାୟତା ଲୋଡ଼ିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ବିପୁଲ ଏମ. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପତ୍ରକୁ ଆଧାର କରି କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ନିୟୋଜିତ ଥିବା ୨୫୦ ଜଣ ଜିଲ୍ଲା ଜଜ୍‌ ଏହି ବିପୁଳ ସଂଖ୍ୟକ ଅଭିଯୋଗର ଫଇସଲା ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ସମ୍ଭବ ନୁହେଁ। ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ ସିଭିଲ ଜଜ୍‌ଙ୍କ ନିୟୋଜନକୁ ମଧ୍ୟ ସମ୍ମତି ଦେଇଛନ୍ତି।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼େ ତେବେ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଓଡ଼ିଶା ଏବଂ ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କ ସହ ଯୋଗାଯୋଗ କରି ସେଠାକାର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ନିୟୋଜିତ କରିପାରିବେ। ଏହି ସମସ୍ତ ଖର୍ଚ୍ଚ ଭାରତୀୟ ନିର୍ବାଚନ କମିସନ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଫେବ୍ରୁଆରି ୨୮ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେହି ସମୟ ମଧ୍ୟରେ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ନହୁଏ, ତେବେ ପରବର୍ତ୍ତୀ ସମୟରେ ସପ୍ଲିମେଣ୍ଟାରି ଲିଷ୍ଟ୍ (ଅତିରିକ୍ତ ତାଲିକା) ଜାରି କରାଯାଇପାରିବ। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି କୋର୍ଟ କହିଛନ୍ତି ଯେ ଏହି ଅତିରିକ୍ତ ତାଲିକାରେ ସାମିଲ ହେବାକୁ ଥିବା ଭୋଟରମାନେ ଫେବ୍ରୁଆରି ୨୮ର ଚୂଡ଼ାନ୍ତ ତାଲିକାର ଅଂଶବିଶେଷ ବୋଲି ଗ୍ରହଣ କରାଯିବ।

ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଅନ୍ୟ ରାଜ୍ୟର ଅଧିକାରୀମାନେ ବଙ୍ଗଳା ଭାଷା ଜାଣି ନଥିବା ନେଇ ଆପତ୍ତି ଉଠାଇଥିଲେ। ଏହାର ଉତ୍ତରରେ କୋର୍ଟ କହିଥିଲେ, ଓଡ଼ିଶା ଓ ଝାଡ଼ଖଣ୍ଡ ପୂର୍ବରୁ ବଙ୍ଗଳାର ଅଂଶ ଥିବା ଐତିହାସିକ ତଥ୍ୟକୁ ବିଚାରକୁ ନେଇ ଏହି ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ କମିସନଙ୍କ ମଧ୍ୟରେ ଥିବା ବିଶ୍ୱାସର ଅଭାବ ଏବଂ ଦୋଷାରୋପ ରାଜନୀତି ଉପରେ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସମୟାନୁସାରେ କାର୍ଯ୍ୟ ଶେଷ କରିବାକୁ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ)ମାନଙ୍କୁ ସମସ୍ତ ଦସ୍ତାବିଜ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version