Wi-Fi Nationwide: ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇର ହେବ ଗୋଟିଏ ପାସ୍‌ୱାର୍ଡ

ନୂଆଦିଲ୍ଲୀ: ପିଏମ୍‌ ବାଣୀର ବିଫଳତାରୁ ମିଳିଥିବା ଶିକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ଉନ୍ନତ ସାର୍ବଜନୀନ ୱାଇ-ଫାଇ ବ୍ୟବସ୍ତା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ ରହିବ। ଏଥିରେ ବ୍ୟବହାରକାରୀମାନଙ୍କୁ ହଟ୍‌ସ୍ପଟ୍‌ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ। ସାରା ଦେଶରେ ଥିବା ୪ ଲକ୍ଷରୁ ଅଧିକ ୱାଇ-ଫାଇ ହଟ୍‌ସ୍ପଟ୍‌ରେ ଗୋଟିଏ ଓଟିପି କିମ୍ବା ପାସ୍‌ୱାର୍ଡରେ ଲଗ୍‌ ଇନ୍‌ କରିହେବ।

ଏ ସମ୍ପର୍କିତ ଏକ ଚିଠା ପ୍ରସ୍ତାବ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ପ୍ରସ୍ତୁତ କରିଥିବା ବେଳେ ତାହା ଉପରେ ଲୋକଙ୍କ ମତାମତ ଲୋଡ଼ିିଛି।ସାର୍ବଜନୀନ ୱାଇ-ଫାଇକୁ ସୁରକ୍ଷିତ କରିବା ପାଇଁ ‘ୱାଇ-ଫାଇ ପ୍ରୋଟେକ୍ଟେଡ୍‌ ଆକ୍ସେସ୍‌ ୩’ ଲାଗୁ କରାଯିବ। ଫଳରେ ପ୍ରବଳ ଭିଡ଼ ଥିବା ଅଞ୍ଚଳରେ ତାହାକୁ ବ୍ୟବହାର କରି ଡିଜିଟାଲ୍‌ ପେମେଣ୍ଟ୍‌ କରିବା ବେଳେ ଲୋକମାନଙ୍କୁ ଅତିରିକ୍ତ ସୁରକ୍ଷା ମିଳିପାରିବ। କେବଳ ମୌଳିକ କାର୍ଯ୍ୟ ପାଇଁ ଏହି ସେବା ମାଗଣା ରହିବ। କିନ୍ତୁ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ହାସଲ କରିବାକୁ ହେଲେ ଛୋଟ ରିଚାର୍ଜ କରିବାକୁ ପଡ଼ିବ। ଷ୍ଟେସନ ଓ ଭିଡ଼ ଥିବା ଅଞ୍ଚଳ‌ରେ ମୋବାଇଲ୍ ନେଟ୍‌ୱର୍କ ଉପରେ ଚାପ ରହିଥାଏ। ତେଣୁ ଡିଜିଟାଲ ପେମେଣ୍ଟ୍‌ ବିଫଳ ହେବାର ଆଶଙ୍କା ରହିଥାଏ। ସେଭଳି ପରିସ୍ଥିତିରେ ପବ୍ଲିକ୍‌ ୱାଇ-ଫାଇ ନେଟ୍‌ୱର୍କ ଟ୍ରାଫିକ୍‌କୁ ସମ୍ଭାଳି ନେଇଥାଏ। ସେଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ମଧ୍ୟ ଭଲ ରହିଥାଏ।

ପୂର୍ବ ୱାଇ-ଫାଇ ମଡେଲ୍‌ ବିଫଳ ହେବାର ପ୍ରମୁଖ କାରଣଗୁଡ଼ିକ ହେଉଛି ତାହା ଲୋକମାନଙ୍କ ଆବଶ୍ୟକତା ପୂରଣ କରିପାରିନଥିଲା। ଅପରେଟରମାନେ ମଧ୍ୟ କୌଣସି ଲାଭ ପାଇନଥିଲେ। ନୂଆ ଯୋଜନାରେ ଏହି ଦୁଇଟି ବିଷୟକୁ ଦୃଷ୍ଟି ଦିଆଯାଇଛି। ସେବାକୁ ବିଜ୍ଞାପନ ଆଧାରିତ କରି ଅପରେଟରମାନଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି। ଏଥି ସହିତ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂର ବ୍ୟବସ୍ଥା କରିବା ଉପରେ ମଧ୍ୟ ବିଚାର କରାଯାଉଛି। ସହରରେ ହାଇସ୍ପିଡ୍‌ ବିଶିଷ୍ଟ ଇଣ୍ଟରନେଟ୍ ଓ ଗ୍ରାମାଞ୍ଚଳରେ କମ୍ୟୁନିଟି ୱାଇ-ଫାଇ ମଡେଲ୍‌ ଲାଗୁ କରାଯିବ।

ସାର୍ବଜନୀନ ୱାଇ-ଫାଇ ବ୍ୟବହାରରେ ଭାରତ ବହୁ ପଛରେ ରହିଛି। ଦକ୍ଷିଣ କୋରିଆରେ ୮୦ ପ୍ରତିଶତ, ଆମେରିକାରେ ୭୦ ପ୍ରତିଶତ, ୟୁରୋପରେ ୬୦ ପ୍ରତିଶତ, ଚୀନ୍‌ରେ ୬୦ ପ୍ରତିଶତ ଓ ବ୍ରିଟେନରେ ୫୦ ପ୍ରତିଶତ ଲୋକ ପବ୍ଲିକ୍‌ ୱାଇ-ଫାଇ ବ୍ୟବହାର କରୁଛନ୍ତି। କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ମାତ୍ର ୨ ପ୍ରତିଶତ ଲୋକ ଏହି ସେବା ବ୍ୟବହାର କରିଛନ୍ତି। ଟ୍ରାଇର ନୂଆ ପ୍ରସ୍ତାବ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌କୁ ଅଧିକ ଅଞ୍ଚଳରେ ପହଞ୍ଚାଇବ ଓ ଡାଟା ପାଇଁ ମୋବାଇଲ୍‌ ନେଟ୍‌ୱର୍କ ଉପରେ ପଡ଼ୁଥିବା ଚାପ କମ୍‌ କରିବ।

 

 

 

ସୌଜନ୍ୟ ସମ୍ବାଦ