Talcher-Bimalagarh Railway Project ପ୍ରଶାସନର ଅପାରଗତା ଜଳଜଳ: ଏଯାଏ ହୋଇନି ୬୦% ଜମି ହସ୍ତାନ୍ତର, ୬୦ ବର୍ଷ ପୁରୁଣା ପ୍ରକଳ୍ପର ଭାଗ୍ୟ ଫିଟୁନି
ରାଉରକେଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି ତଥା ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି। ଏ ଯାଏ ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇନଥିବାରୁ ପ୍ରକଳ୍ପ ବେଗ ଧରିପାରୁନି।

ରାଉରକେଲା: ସହରବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି ତଥା ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି। ଏ ଯାଏ ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇନଥିବାରୁ ପ୍ରକଳ୍ପ ବେଗ ଧରିପାରୁନି। ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ପଛରେ କେବଳ ଜିଲ୍ଲା ପ୍ରଶାସନର ଅପରାଗତା ଓ କ୍ରମାଗତଃ ଅବହେଳା, ଏକମାତ୍ର କାରଣ। ସ୍ଥାନୀୟ ଗ୍ରାମବାସୀ ଅତ୍ୟଧିକ କ୍ଷତିପୂରଣ ଦାବିରେ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି ସତ; କିନ୍ତୁ ଏହାକୁ ସମାଧାନ କରିବାରେ ଜିଲ୍ଲା ପ୍ରଶାସନ ଶତପ୍ରତିଶତ ବିଫଳ ହୋଇଛି।
ଏକକାଳୀନ ନିର୍ମାଣ ସମ୍ଭବ ହେଉନି
ତାଳଚେର ପଟୁ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିମଳାଗଡ଼ ପଟୁ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଆବଶ୍ୟକ ହେଉଥିବା ମୋଟ୍ ଜମିର ପ୍ରାୟ ୬୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିନି। ରେଳବାଇକୁ ଜମି ହସ୍ତାନ୍ତର ହେଉନଥିବାରୁ ନିର୍ମାଣକାର୍ଯ୍ୟ ବହୁମାତ୍ରାରେ ଧିମେଇ ଯାଇଛି। ୩୨.୨୫ କିଲୋମିଟର ଲମ୍ବ ବିଶିଷ୍ଟ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିମଳାଗଡ଼-ମହୁଲଡିହା ରେଳପଥ ମଧ୍ୟରୁ କେବଳ ୧୩ କିଲୋମିଟର ରେଳପଥ ନିର୍ମାଣ ଜାରିରହିଛି। କିନ୍ତୁ ଅବଶିଷ୍ଟ ୧୯ କିଲୋମିଟର ରେଳପଥ ନିର୍ମାଣ ବାଧାପ୍ରାପ୍ତ ହୋଇଛି। ଏଠାରେ ଜମି ଅଧିଗ୍ରହଣକରି ରେଳବାଇକୁ ହସ୍ତାନ୍ତର କରାଯାଇନଥିବାରୁ ଏକକାଳୀନ ନିର୍ମାଣ ସମ୍ଭବ ହେଉନି।
ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ୩୪.୬୬ ଏକର ବେସରକାରୀ ଓ ୫୬.୮୫ ଏକର ସରକାରୀ ଜମି ଏହିପରି ମୋଟ୍ ୯୧.୫୧ ଏକର ଜମି ଅଧିଗ୍ରହଣ ବାକି ଅଛି। ସେହିଭଳି ଦେବଗଡ଼ ଜିଲ୍ଲାରେ ୧୪୫.୭୯ ଏକର (୧୧୫.୭୦ ଏକର ବେସରକାରୀ ଓ ୩୦.୦୯ ଏକର ସରକାରୀ ଜମି) ଓ ଅନୁଗୁଳ ଜିଲ୍ଲାରେ ୩୨.୧୫ ଏକର (୧୦.୩୧ ବେସରକାରୀ ଓ ୨୧.୮୪ ଏକର ସରକାରୀ) ଜମି ଅନଧିକୃତ ହୋଇ ପଡ଼ିରହିଛି।
ଉଲ୍ଲେଖଯୋଗ୍ୟ, ୧୪୯.୭୮ କିଲୋମିଟର ପ୍ରକଳ୍ପ ପାଇଁ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ମୋଟ୍ ୨୦୮୮.୭୭ ଏକର ଜମି ଆବଶ୍ୟକ। ସୁନ୍ଦରଗଡ଼ ଜିଲ୍ଲାରେ ୩୫.୦୩ କିଲୋମିଟର ରେଳପଥ ନିର୍ମାଣ ହେବାକୁଥିବାବେଳେ ଏଥିପାଇଁ ପ୍ରାୟ ୪୯୩ ଏକର, ଦେବଗଡ଼ରେ ୪୨୨ ଏକର (୩୨.୧୦ କିଲୋମିଟର) ଓ ଅନୁଗୁଳରେ ୧୧୨୮ ଏକର (୮୨.୬୫ କିଲୋମିଟର) ଜମି ଆବଶ୍ୟକ। ଅଧିଗ୍ରହଣ ହୋଇପାରୁନଥିବାରୁ ପୂର୍ବରୁ ଏକାଧିକବାର ନିର୍ମାଣ ଅବଧି ପରିବର୍ତ୍ତନ ହେଲାଣି। ୨୦୨୭ ମାର୍ଚ୍ଚ ସୁଦ୍ଧା ନିର୍ମାଣ ସଂପନ୍ନ କରିବାକୁ ନୂତନ ସଂଶୋଧିତ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କିନ୍ତୁ ଜମି ଅଧିଗ୍ରହଣରେ ମାତ୍ରାଧିକ ଶିଥିଳତା, ଲକ୍ଷ୍ୟ ହାସଲ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ




