Women: ଅଙ୍ଗଦାନ କ୍ଷେତ୍ରରେ ଆଗରେ ମହିଳା

ଆଧୁନିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ, ବିଶେଷକରି ଅଙ୍ଗଦାନ କଥା ପଡ଼ିଲେ ପୁରୁଷଙ୍କୁ ମହିଳାମାନେ ଢେର୍‌ ପଛରେ ପକାଇ ଦେଇଛନ୍ତି। ସ୍ବେଚ୍ଛାରେ ହେଉ ବା ବାଧ୍ୟବାଧକତାରେ, ଆମ ଦେଶରେ ଅଧିକ ମହିଳା.....

ଆଧୁନିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ, ବିଶେଷକରି ଅଙ୍ଗଦାନ କଥା ପଡ଼ିଲେ ପୁରୁଷଙ୍କୁ ମହିଳାମାନେ ଢେର୍‌ ପଛରେ ପକାଇ ଦେଇଛନ୍ତି। ସ୍ବେଚ୍ଛାରେ ହେଉ ବା ବାଧ୍ୟବାଧକତାରେ, ଆମ ଦେଶରେ ଅଧିକ ମହିଳା ଅଙ୍ଗଦାନ କରୁଥିବାବେଳେ ଅଧିକ ପୁରୁଷଙ୍କ ଶରୀରରେ ଅଙ୍ଗ ପ୍ରତିରୋପଣ ହେଉଛି।‘ନ୍ୟାସ୍‌ନାଲ୍‌ ଅର୍ଗାନ୍‌ ଆଣ୍ଡ୍‌ ଟିସ୍ୟୁ ଟ୍ରାନ୍‌ସ୍‌ପ୍ଲାଣ୍ଟ୍‌ ଅର୍ଗାନାଇଜେସନ୍‌’ର ଏକ ତଥ୍ୟ ଅନୁସାରେ, ୧୯୯୫ରୁ ୨୦୨୧ ମଧ୍ୟରେ ଭାରତରେ ପ୍ରତି ୫ ଜଣ ଅଙ୍ଗଦାତାଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ମହିଳା। ସେହିପରି ୫ ଜଣ ଅଙ୍ଗଗ୍ରହୀତାଙ୍କ ଭିତରୁ ୪ ଜଣ ହେଉଛନ୍ତି ପୁରୁଷ। ୨୦୨୫ରେ ଭାରତରେ ପ୍ରାୟ ୨୦,୦୧୯ଟି ଅଙ୍ଗ ପ୍ରତିରୋପଣ କରାଯାଇଥିବାବେଳେ ୨୦୧୩ରେ ଏହି ସଂଖ୍ୟା ୫,୦୦୦ ଥିଲା। ସେହିଭଳି ୧୮ ପ୍ରତିଶତ ମୃତକଙ୍କ ଠାରୁ ପ୍ରତିରୋପଣ ପାଇଁ ଅଙ୍ଗ ଅଣାଯାଉଛି। ଜୀବନ୍ତ ଅଙ୍ଗଦାତାମାନେ ସାଧାରଣତଃ ଗ୍ରହୀତାଙ୍କ ପରିବାର ଲୋକ ଓ ଅଧିକାଂଶ ହେଉଛନ୍ତି ପରିବାରର ମହିଳା।

ଆମ ପରିବାରଗୁଡ଼ିକରେ ନିଜ ଆବଶ୍ୟକତା ଅପେକ୍ଷା ଅନ୍ୟର ଆବଶ୍ୟକତା ଉପରେ ଗୁରୁତ୍ବ ଦେବାକୁ ଛୋଟବେଳୁ ହିଁ ଝିଅମାନଙ୍କୁ ଶିଖା ଯାଇଥାଏ। ଏହି କାରଣରୁ ସେମାନଙ୍କୁ ସ୍ବାମୀ, ସନ୍ତାନ ବା ଆତ୍ମୀୟଙ୍କ ପାଇଁ ଅଙ୍ଗଦାନ କରିବାକୁ ରାଜି ହେବାକୁ ପଡ଼ିଥାଏ। ଏହାଛଡ଼ା, ଆର୍ଥିକ ପରିସ୍ଥିତି ବି ସେମାନଙ୍କୁ ବାଧ୍ୟ କରେ। କାରଣ, ଅଧିକାଂଶ ଘରେ ପୁରୁଷ ହିଁ ରୋଜଗାରକାରୀ ହୋଇଥାନ୍ତି। ଡାକ୍ତରୀ ଦୃଷ୍ଟିକୋଣରୁ ଅଙ୍ଗଦାନ କ୍ଷେତ୍ରରେ ଲିଙ୍ଗଗତ ବିଭେଦ ନୁହେଁ, ଉତ୍ତମ ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରାଧାନ୍ୟ ଦିଆଯାଏ। ଏ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ଫର୍ଟିସ୍‌ ଏସ୍‌କର୍ଟସ୍‌ ହସ୍ପିଟାଲ୍‌ର ୟୁରୋଲୋଜି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପଙ୍କଜ ପନ୍‌ୱାର୍‌ କହନ୍ତି, ‘‘ମହିଳାମାନେ ସହଜାତ ଭାବେ ଶ୍ରେଷ୍ଠ ଅଙ୍ଗଦାତ୍ରୀ ନୁହନ୍ତି।

ତେବେ ଡାକ୍ତରୀ ପରୀକ୍ଷାରେ  ଅଙ୍ଗଦାନ ପାଇଁ ସେମାନେ ଅଧିକାଂଶ ସମୟଯୋଗ୍ୟ ବିବେଚିତ ହେଉଛନ୍ତି।’’ ତା’ଛଡ଼ା ଅଧିକାଂଶ ପୁରୁଷ ରକ୍ତଚାପ ଓ ମଧୁମେହ‌ର ଶିକାର ହେବାସହ ଧୂମପାନ ଓ ମଦ୍ୟପାନ ଭଳି ଅଭ୍ୟାସ ରଖିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ମେଦବହୁଳତା ଓ ମେଟାବଲିକ୍‌ ସିଣ୍ଡ୍ରୋମ୍‌ରେ ଆକ୍ରାନ୍ତ। ଏଥିପାଇଁ ଅଙ୍ଗଦାନ କରିପାରନ୍ତି ନାହିଁ। ଏ ଧରଣର କେତେକ ପୁରୁଷ ଅଙ୍ଗଦାନ ଲାଗି ଇଚ୍ଛୁକ ଥିଲେ ମଧ୍ୟ ‘ଦାତାଙ୍କ ସୁରକ୍ଷା ଆଗ’ ଦାୟରେ ସେମାନଙ୍କୁ ନିବୃତ୍ତ କରାଯାଇଥାଏ।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version