Women: ୫୦% ପିଭିଟିଜି ମହିଳାଙ୍କଠାରେ ରକ୍ତହୀନତା: ନିରକ୍ଷରତା ହାର ୩୯%, ମେଟାବୋଲିକ୍ ବଢ଼ୁଛି
ଓଡ଼ିଶାର ବିଶେଷ ସୁରକ୍ଷା ଆବଶ୍ୟକ କରୁଥିବା ଜନଜାତି(ପିଭିଟିଜି)ର ୫୦%ରୁ ଅଧିକ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ପୁରୁଷଙ୍କ ସଂଖ୍ୟା ୩୭% ରହିଛି। ଉଚ୍ଚ ରକ୍ତଚାପ ଓ ପ୍ରି-ଡାଇବେଟିକ୍ସର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ଅନେକଙ୍କଠାରେ ଦେଖାଯାଇଛି।

ଭୁବନେଶ୍ୱର: ଓଡ଼ିଶାର ବିଶେଷ ସୁରକ୍ଷା ଆବଶ୍ୟକ କରୁଥିବା ଜନଜାତି(ପିଭିଟିଜି)ର ୫୦%ରୁ ଅଧିକ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ପୁରୁଷଙ୍କ ସଂଖ୍ୟା ୩୭% ରହିଛି। ଉଚ୍ଚ ରକ୍ତଚାପ ଓ ପ୍ରି-ଡାଇବେଟିକ୍ସର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ଅନେକଙ୍କଠାରେ ଦେଖାଯାଇଛି। ଡବ୍ଲୁଏଚ୍ଓ ମାନଦଣ୍ଡ ତୁଳନାରେ ଉଚ୍ଚତା-ବୟସ ଓ ଓଜନ-ବୟସ କମ୍ ଥିବାରୁ ଦୀର୍ଘସ୍ଥାୟୀ କୁପୋଷଣ ସ୍ପଷ୍ଟ ହୋଇଛି। ସେହିପରି ପ୍ରାପ୍ତବୟସ୍କଙ୍କ ମଧ୍ୟରେ ମେଟାବୋଲିକ୍ ସ୍ୱାସ୍ଥ୍ୟଗତ ବିପଦ ବଢୁଥିବା ନଜରକୁ ଆସିଛି। ନୂତନ ଜ୍ଞାନକୌଶଳର ପ୍ରୟୋଗ ହୋଇଥିଲେ ବି ପିଭିଟିଜିର ୮୧% ମହିଳା ନାପକିନ୍ ବ୍ୟବହାର କରୁନାହାନ୍ତି। ଅର୍ଥାତ୍ ମାତ୍ର ୧୯% ମହିଳା ସାନିଟାରି ନାପକିନ୍ ବ୍ୟବହାର କରୁଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଜନଜାତି ଏବଂ ପ୍ରାନ୍ତିକ ସମ୍ପ୍ରଦାୟ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।
ସାମାଜିକ-ସାଂସ୍କୃତିକ, ଜନସଂଖ୍ୟାଗତ ଓ ପୋଷଣଜନିତ ସ୍ୱାସ୍ଥ୍ୟ ସ୍ଥିତି ଉପରେ ହୋଇଥିବା ଅଧ୍ୟୟନରେ ସର୍ବେକ୍ଷଣଭୁକ୍ତ ସମ୍ପ୍ରଦାୟଙ୍କ ମଧ୍ୟରେ ଦୃଢ଼ ସାଂସ୍କୃତିକ ପରମ୍ପରା ଓ ପରିବାର ନିୟୋଜନ ଏବଂ ପୋଷଣ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି। ପରିବାର ନିୟୋଜନ ସଚେତନତା ୬୮%ରେ ପହଞ୍ଚିଛି। ଜୁଆଙ୍ଗ ଓ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ପ୍ରସବ ପୂର୍ବ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିଛି। ସକାରାତ୍ମକ ଦିଗ ସତ୍ତ୍ୱେ ଅଧ୍ୟୟନରେ ଗୁରୁତର ସ୍ୱାସ୍ଥ୍ୟଗତ ଆହ୍ବାନ ପାଲଟିଛି। ନିରକ୍ଷରତା ହାର ୩୯% ରହିଥିବାବେଳେ ବାସଗୃହ, ପରିମଳ ବ୍ୟବସ୍ଥା ଓ ବିଦ୍ୟୁତ୍ ସୁବିଧାରେ ଅସମାନତା ରହିଛି। ଋତୁସ୍ରାବ ସ୍ୱାସ୍ଥ୍ୟ କ୍ଷେତ୍ରରେ ତୁରନ୍ତ ସୁଧାର ଦରକାର। ଏଥିସହ ସାଂସ୍କୃତିକ ଭାବେ ସମ୍ବେଦନଶୀଳ ଶିକ୍ଷା, ଜୀବିକାର ବିବିଧୀକରଣ, ବାସଗୃହ ଓ ମୌଳିକ ସୁବିଧାର ବିକାଶ, ଜନଜାତି ଭାଷାର ପୁନରୁଦ୍ଧାର, ମୌଖିକ ସାହିତ୍ୟର ଡିଜିଟାଲ୍ ସଂରକ୍ଷଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ, ମେଡିକାଲରେ ପ୍ରସବ, ସାର୍ବଜନୀନ ଆଇରନ୍-ଫୋଲିକ୍ ଏସିଡ୍ ବଣ୍ଟନ, ଅଣସଂକ୍ରାମକ ରୋଗ ସ୍କ୍ରିନିଂ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ବିଦ୍ୟୁତ୍ ସୁବିଧା ଯୋଗାଇବାର ଆବଶ୍ୟକତା ରହିଛି। ବିଦ୍ୟାଳୟ ଛାଡ଼ିବା ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିକାଶ ଯୋଜନା କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଏଥିସହ ଭିନ୍ନ ଭିନ୍ନ ତଥ୍ୟ ଆଧାରିତ ନିରନ୍ତର ଅନୁଧ୍ୟାନ, ହସ୍ତକ୍ଷେପ ଓ ତାହାର ପ୍ରଭାବକୁ ମୂଲ୍ୟାଙ୍କନ କରିବା ଜରୁରି ବୋଲି ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ବୈଜ୍ଞାନିକ ଶୁଭେନ୍ଦୁ କୁମାର ଆଚାର୍ଯ୍ୟ କହିଛନ୍ତି।
ନିରକ୍ଷରତା ହାର ୩୯%, ମେଟାବୋଲିକ୍ ବଢ଼ୁଛି
୮୧% ମହିଳା ନାପକିନ୍ ବ୍ୟବହାର କରୁନାହାନ୍ତି
ସେହିପରି ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ, ଜମି ଅଧିକାରର ବିସ୍ତାର, କୃଷି-ବନୀକରଣ, ଅଣକାଠ ବନ ଦ୍ରବ୍ୟ ମୂଲ୍ୟ ଧାର୍ଯ୍ୟ, କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହନ, କିଶୋର-କିଶୋରୀଙ୍କ ପ୍ରଜନନ ସ୍ୱାସ୍ଥ୍ୟ ସେବା, ପ୍ରସବ ପୂର୍ବ ଓ ପରବର୍ତ୍ତୀ ସେବା ସୁଦୃଢ଼, ଋତୁସ୍ରାବ ଓ ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳଙ୍କ ଦୂରୀକରଣ କରିବାକୁ ସୁପାରିସ ହୋଇଛି। ଅଧ୍ୟୟନରେ ଓଡ଼ିଶାର ୧୩ଟି ପିଭିଟିଜି ମଧ୍ୟରୁ ୧୦ଟି ସମ୍ପ୍ରଦାୟ ଯଥା ବଣ୍ଡା, ଦିଦାୟୀ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ଜୁଆଙ୍ଗ, ପାଉଡ଼ି ଭୂୟାଁ, ପାହାଡ଼ି ଖଡ଼ିଆ, ମାଙ୍କିଡ଼ିଆ, ଲୋଧା ଓ ଲାଞ୍ଜିଆ ସଉରା ଆଦିକୁ ସାମିଲ କରାଯାଇଥିଲା। ମାଲକାନଗିରି, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ୨,୦୪୧ଟି ପିଭିଟିଜି ପରିବାରର ୯,୨୨୨ଜଣ ବ୍ୟକ୍ତିଙ୍କ ଉପରେ ସର୍ବେକ୍ଷଣ ହୋଇଥିଲା।
ସୌଜନ୍ୟ ସମ୍ବାଦ




