ନିଜକୁ ଫିଟ୍ ରଖିବା ପାଇଁ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଲୋକମାନେ ପ୍ରତିଦିନ ଚାଲୁଛନ୍ତି। ତଥାପି ମେଦ କମୁଛି କି ନାହିଁ, ତାକୁ ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ପ୍ରତିଦିନ ଚାଲିବାକୁ ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଗୋଟିଏ ପାଦ ପରେ ଆଉ ଗୋଟିଏ ପାଦ ପକାଇଲେ ମେଦ କମିଯିବ। ବହୁତ ଚାଲିବା ପରେ ବି କାହିଁକି ମେଦ କମୁନାହିଁ, ତା’ର ପ୍ରକୃତ କାରଣ କହିଛନ୍ତି ଫିଟ୍ନେସ୍ କୋଚ୍ ବବି।
ଆମେରିକାର ଫିଟ୍ନେସ୍ କୋଚ୍ ବବିଙ୍କ ଇନ୍ଷ୍ଟାଗ୍ରାମ୍ରେ ୨୬ ହଜାରରୁ ଅଧିକ ଫଲୋଅର୍ ଅଛନ୍ତି। ନିକଟରେ ମେଦ କମିବା ଉପରେ ସେ ଏକ ଭିଡିଓ ସେୟାର୍ କରିଥିଲେ। ଭିଡିଓରେ ବବି ଦର୍ଶାଇଛନ୍ତି ଯେ, ଚାଲିବା ବେଳେ ଲୋକମାନେ ଗତି ଓ ତୀବ୍ରତାକୁ ଅବହେଳା କରିଥା’ନ୍ତି। ଦ୍ରୁତଗତି ବଦଳରେ ଧୀରେ ଧୀରେ ଚାଲିବା କାରଣରୁ ହୃଦ୍ସ୍ପନ୍ଦନ ବୃଦ୍ଧି ପାଏ ନାହିଁ। ମେଦ କମାଇବା ପାଇଁ ଜୋନ୍-୨ ବା ଫ୍ୟାଟ୍ ବର୍ଣ୍ଣିଂ ଜୋନ୍କୁ ଆସିବାକୁ ପଡ଼ିବ। ସାଧାରଣ ଭାବେ ଚାଲିଲେ ହୃଦ୍ସ୍ପନ୍ଦନ କମ୍ ରହିବା କାରଣରୁ ଶକ୍ତି ସଞ୍ଚୟ ପାଇଁ ଥିବା ଚର୍ବି ବ୍ୟବହୃତ ହୋଇ ନ ଥାଏ। ଜୋନ୍-୨ରେ ଗଚ୍ଛିତ ଚର୍ବି କମାଇବାକୁ ହେଲେ ହୃଦ୍ସ୍ପନ୍ଦନକୁ ଏକ ନିର୍ଦ୍ଦିଷ୍ଟ ସ୍ତରକୁ ଆଣିବାକୁ ହେବ। ତେଣୁ ଷ୍ଟେପ୍ କାଉଣ୍ଟ ନୁହେଁ, ବରଂ ଚାଲିବା ସମୟରେ ଇଣ୍ଟେନ୍ସିଟି ବା ତୀବ୍ରତାକୁ ଧ୍ୟାନରେ ରଖନ୍ତୁ। ଶ୍ବାସକ୍ରିୟା ଜୋର୍ ହେଲେ ଓ ଅଳ୍ପ ଗରମ ଲାଗିଲେ ଜଣେ ବ୍ୟକ୍ତି ଫ୍ୟାଟ୍ ବର୍ଣ୍ଣିଂ ଜୋନ୍ରେ ଅଛନ୍ତି ବୋଲି ବୁଝିବାକୁ ହେବ।
କେମିତି ଚାଲିବେ?
ସାଧାରଣ ଚାଲିବାଠାରୁ ଚର୍ବି କମାଇବା ପାଇଁ ଚାଲିବା ଟିକେ ଭିନ୍ନ। ଏହି ସମୟରେ ଜଣେ କଥା କହିପାରିବେ, ହେଲେ ଗୀତ ଗାଇପାରିବେ ନାହିଁ। ଚାଲୁଥିବା ଲୋକ ଏହାକୁ ଧ୍ୟାନରେ ରଖିବା ଦରକାର। ଚର୍ବି କମାଇବା ପାଇଁ ଘଣ୍ଟାକୁ ୨.୮ରୁ ୩.୮ ମାଇଲ୍ ଚାଲିବାକୁ ହେବ। ଆରାମଦାୟକ ଚାଲିରେ ଜଣେ ବ୍ୟକ୍ତି ଫ୍ୟାଟ୍ ବର୍ଣ୍ଣିଂ ଜୋନ୍ରେ ପହଞ୍ଚିପାରିବେ ନାହିଁ। ତେଣୁ ଆଗକୁ ପାର୍କ କିମ୍ବା ଅନ୍ୟ ସ୍ଥାନରେ ୧୦ ହଜାର ଷ୍ଟେପ୍ ଟାର୍ଗେଟ୍ ହାସଲ ପୂର୍ବରୁ ଫିଟ୍ନେସ୍ କୋଚ୍ ବବିଙ୍କ କଥା ମାନନ୍ତୁ।
ସୌଜନ୍ୟ ସମ୍ବାଦ
