ଗୋଟିଏ ଦିନରେ ରୂପା ୯ ହଜାର ଓ ସୁନା ୩,୫୦୦ ଟଙ୍କା ମହଙ୍ଗା

  • ମୁଦ୍ରାସ୍ଫୀତି ହ୍ରାସ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇବା ସମ୍ଭାବନା କମି ଯାଇଥାଏ
  • ୧ ଏପ୍ରିଲ ୨୦୨୫ରେ ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୪.୧୫୦ ଟଙ୍କା ଥିଲା
  • ସୁନା ୬୧% ବୃଦ୍ଧି ହୋଇଛି, ତେବେ ଏହି ସମୟରେ ରୂପା ମୂଲ୍ୟରେ ୧୩୧%ରୁ ଅଧିକ ବୃଦ୍ଧି ହୋଇଛି

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସୁନା ଓ ରୂପା। ବୈଶ୍ୱିକ ବଜାରରେ ଦେଖା ଦେଇଥିବା ବୃଦ୍ଧି ସୁନା ଓ ରୂପା ଭଳି ମୂଲ୍ୟବାନ ଧାତୁକୁ ପୁଣି ମହଙ୍ଗା କରିଛି। ବୁଧବାର ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କର ବଜାରରେ ରୂପା କେଜି ପିଛା ୯ହଜାର ଟଙ୍କା ମହଙ୍ଗା ହୋଇଥିବା ବେଳେ ସୁନା ପ୍ରତି ୧୦ ଗ୍ରାମ ୩,୫୦୦ ଟଙ୍କା ବଢିଛି। ରୂପା ମୂଲ୍ୟରେ ୩.୮% ବୃଦ୍ଧି ହୋଇଥିବା ବେଳେ କେଜି ପିଛା ଦର ୨ ଲକ୍ଷ ୪୬ ହଜାର ଟଙ୍କାକୁ ପହଞ୍ଚିଛି। ସୋମବାର ବଜାର ବନ୍ଦ କାଳରେ ପ୍ରତି କେଜି ରୂପା ୨ ଲକ୍ଷ୩୭ ହଜାର ଟଙ୍କାରେ କାରବାର ହେଉଥିଲା। ତେବେ ଗୋଟିଏ ଦିନ ବ୍ୟବଧାନରେ ଏକାଥରେ ୯ ହଜାର ଟଙ୍କା ମହଙ୍ଗା ହୋଇଯାଇଛି।

କେବଳ ରୂପା ନୁହେଁ ସୁନା ମୂଲ୍ୟ ମଧ୍ୟ ବଜାରରେ ଚମକିଛି। ୯୯.୯% ଶୁଦ୍ଧ ସୁନା ୧୦ଗ୍ରାମ ପିଛା ମୂଲ୍ୟରେ ୨.୩% ବୃଦ୍ଧି ହୋଇଛି। ଫଳରେ ପ୍ରତି ୧୦ଗ୍ରାମ ୨୪ କ୍ୟାରେଟ ସୁନା ଏବେ ୧ଲକ୍ଷ ୫୫ ହଜାର ଟଙ୍କାରେ କାରବାର ହେଉଛି। ତେବେ ସୋମବାର ବଜାର ବନ୍ଦ ହେବା ବେଳକୁ ପ୍ରତି ୧୦ ଗ୍ରାମ ୧,୫୧,୫୦୦ ଟଙ୍କାରେ କାରବାର କରୁଥିଲା। ପଶ୍ଚିମ ଏସିୟାରେ ଉତ୍ତେଜନା ହ୍ରାସର ସଂକେତ ସୁନା ଓ ରୂପା ଦରବୃଦ୍ଧିର କାରଣ ପାଲଟିଛି। ଯୁଦ୍ଧ ବନ୍ଦ ହେଲେ ଶକ୍ତି ଭିତ୍ତିଭୂମି କ୍ଷୟକ୍ଷତିର ଭୟ ହ୍ରାସ ହୋଇଛି। ଏଣୁ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ନରମ ପଡିଛି।

ଦେଶରେ ମୁଦ୍ରାସ୍ଫୀତି ହ୍ରାସ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇବା ସମ୍ଭାବନା କମି ଯାଇଥାଏ। ଏହାର ସିଧା ପ୍ରଭାବ ସ୍ୱର୍ଣ୍ଣାଳଙ୍କାର ବଜାରରେ ଦେଖାଯାଏ। ୧ ଏପ୍ରିଲ ୨୦୨୫ରେ ୧୦ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୪.୧୫୦ ଟଙ୍କା ଥିଲା। ତେବେ ୧ ଏପ୍ରିଲ ୨୦୨୬ରେ ଏହି ଦର ୧,୫୫,୫୦୦ ଟଙ୍କା ଅର୍ଥାତ ୬୧% ବୃଦ୍ଧି ହୋଇଛି। ତେବେ ଏହି ସମୟରେ ରୂପା ମୂଲ୍ୟରେ ୧୩୧%ରୁ ଅଧିକ ବୃଦ୍ଧି ହୋଇଛି। ଫଳରେ ନିବେଶକ ମାଲାମାଲ ହୋଇଛନ୍ତି। ଏଥିରେ ଅନ୍ତର୍ଜାତୀୟ ବଜାର କଥା କହିଲେ ସୁନା ପ୍ରତି ଆଉନ୍ସ ୪,୭୪୩.୮୯ ଡଲାରରେ କାରବାର ହେଉଛି। ତେବେ ସାମାନ୍ୟ ହ୍ରାସ ସହିତ ରୂପା ପ୍ରତି ଆଉନ୍ସ ୭୫.୦୪ ଡଲାରରେ ରହିଛି।

ସୌଜନ୍ୟ Prameya News7