ପୁରୀ: ଅନ୍ଲାଇନ୍ ଗେମ୍ରେ ବେଟିଂ କରି ବାସେଳିସାହି ଥାନା ଅଞ୍ଚଳର ଜଣେ ଯୁବକ କୋଟିପତି ହୋଇଗଲାଣି। ବ୍ରହ୍ମପୁରର ମୁଖ୍ୟ ଅଭିଯୁକ୍ତ ସହିତ ଲିଙ୍କ ରଖିଥିବା ଏହି ଯୁବକକୁ ଆଜି ସ୍ପେଶାଲ ସ୍କ୍ବାର୍ଡ ଟିମ୍ ଟାଉନ ହଲ୍ ନିକଟରୁ ଉଠାଇନେଇଛି। ବାସେଳିସାହି ଥାନାରେ ତାକୁ ଅଟକ ରଖି ପୁଲିସ ପଚରାଉଚରା କରି ଆଉ ଦୁଇ ଜଣଙ୍କୁ ମଧ୍ୟ ଉଠାଇନେଇଛି। ଏହି ଯୁବକ ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କା ଜବତ କରିବା ସହ ଘରୁ କାଗଜପତ୍ର ଜବତ କରିଛି। ତେବେ ଏହି ବେଟିଂରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି, ତାହାକୁ ପୁଲିସ ତଦନ୍ତ କରୁଛି।
ଅନେକ ତଥ୍ୟ ହସ୍ତଗତ ହୋଇଛି
ଖବର ନେବାରେ ଜଣାପଡ଼ିଛି ଯେ ମଶାଣିଚଣ୍ଡି ଛକରେ ଏକ ମୋବାଇଲ ମରାମତି ଦୋକାନ ଖୋଲିଥିବା ବିଶ୍ବନାଥ ଲେଙ୍କାକୁ ଆଜି ଦିନ ଦ୍ବିପ୍ରହରରେ ସ୍ପେଶାଲ ସ୍କାର୍ଡ ଟିମ୍ ଟାଉନ ହଲ୍ ନିକଟରୁ ଉଠାଇ ନେଇଥିଲା। ସେ ଏଠାକୁ ପୁଅର ଡ୍ୟାନ୍ସ ପ୍ରୋଗ୍ରାମ ଦେଖିବାକୁ ଆସିଥିବା ବେଳେ ପୁଲିସ ତାକୁ ଉଠାଇ ନେଇଥିଲା। ତାକୁ ବାସେଳିସାହି ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରିବାରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ସେ ଅନ୍ଲାଇନ୍ ଗେମ୍ ମାଧ୍ୟମରେ କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ପୁଲିସ ସନ୍ଦେହ କରୁଛି। ଏପରିକି ଏହି ଟଙ୍କାରେ ସେ ଜମିବାଡ଼ି ଓ ଅଳଙ୍କାର କିଣିଥିବା ନେଇ ପୁଲିସ ସନ୍ଦେହ କରୁଛି। ପୁଲିସ ତା’ର ଘରେ ଚଢ଼ଉ କରି ଅନେକ କାଗଜପତ୍ର ଓ ଟଙ୍କା ଆଦି ଜବତ କରିଛି। ସେହିପରି ସେ ଅନ୍ୟ କେଉଁଠାରେ ମୂଲ୍ୟବାନ ଜିନିଷ ଓ ଟଙ୍କା ଆଦି ରଖିଥିବା ସନ୍ଦେହ କରି ପୁଲିସ ପଚରା ଉଚରା କରୁଛି।
ତେବେ ବ୍ରହ୍ମପୁରର ଜଣେ ଅନ୍ଲାଇନ୍ ଗେମ୍ ଖେଳ କରୁଥିବା ମୁଖ୍ୟ ଅଭିଯୁକ୍ତ ସହିତ ସେ ସମ୍ପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଛି। ତେଣୁ ପୁଲିସ ତାକୁ ଧରି ପଚରା ଉଚରା କରି ୨୫ ଲକ୍ଷ ୩୫ ହଜାର ଟଙ୍କା ଜବତ କରିଥିବା ନେଇ ଏସପି ପ୍ରତୀକ ସିଂ କହିଛନ୍ତି।
ସୌଜନ୍ୟ ସମ୍ବାଦ

