ଅଧରାତି ଯାଏଁ ଛକାପଞ୍ଝା; ଉତ୍କଳରେ ଏବିଭିପି, ରମାଦେବୀରେ ବିସିଜେଡି
ଅଧ ରାତି ପର୍ଯ୍ୟନ୍ତ ଛକାପଞ୍ଝା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ରମାଦେବୀରେ...

ଭୁବନେଶ୍ବର: ଅଧ ରାତି ପର୍ଯ୍ୟନ୍ତ ଛକାପଞ୍ଝା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ରମାଦେବୀରେ ବିଜୁ ଛାତ୍ର ଜନତା ଦଳ(ବିସିଜିଡି)ର ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଉତ୍କଳରେ ସଭାପତି ଭାବେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଆୟୁଷୀ ପ୍ରଧାନ ବିଜୟ ହାସଲ କରିଛନ୍ତି। ସେହିପରି ରମାଦେବୀରେ ସଭାପତି ଭାବେ ବିସିଜେଡିର ସୋନାଲି ବେହେରା ଓ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବିଜୟୀ ହୋଇଛନ୍ତି।
ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଅଧିକାଂଶ କ୍ୟାମ୍ପସ୍ରେ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। କେତେବେଳେ ଭୋଟ ଗଣତି ଅଧାରୁ ବନ୍ଦ ହୋଇଥିଲା ତ ଆଉ କେତେବେଳେ ଜାତୀୟ ରାଜପଥ ଅବରୋଧ କରିଥିଲେ ଛାତ୍ର ସଙ୍ଗଠନ। ଛାତ୍ର ସଂସଦ ନିର୍ବାଚନ ହୋଇଥିଲେ ସୁଦ୍ଧା କୌଣସି ଗୁଣରେ ସାଧାରଣ ନିର୍ବାଚନଠାରୁ କମ୍ ନ ଥିଲା। ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, ମାତ୍ର ଏଠାରେ ଲଢ଼େଇ ସିଧାସଳଖ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା। ନିର୍ବାଚନ ତାରିଖ ଘୋଷଣାଠାରୁ ଉଷ୍ମ ରହିଥିବା ଏଠାକାର କ୍ୟାମ୍ପସ୍ ରାଜନୀତି ଆଜି ଶୀର୍ଷରେ ପହଞ୍ଚିଥିଲା। ଆରୋପ, ପ୍ରତ୍ୟାରୋପ ସାଙ୍ଗକୁ ବିସିଜେଡି ଓ ଏବିଭିପିର ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା କ୍ୟାମ୍ପସ୍ ପରିସ୍ଥିତିକୁ ଅଣାୟତ୍ତ କରିଥିଲା। ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ହାତାହାତି, ଭଙ୍ଗାରୁଜା ଦ୍ବାରା କ୍ୟାମ୍ପସ୍ ବାହାର ପରିବେଶ ଅଶାନ୍ତ ହେବା ସହ ଭୋଟ ଗଣତି ବହୁ ବିଳମ୍ବିତ ହୋଇଥିଲା।
ସୌଜନ୍ୟ ସମ୍ବାଦ




